ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ସମାଜବାଦୀ ପାର୍ଟି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆହୁରି ୧୪ ମାସରୁ ଅଧିକ ସମୟ ବାକି। ହେଲେ ଏବେଠୁ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ହାତ (କଂଗ୍ରେସ) ଓ ହାତୀ (ବହୁଜନ ସମାଜବାଦୀ ପାର୍ଟି)ଠୁ ଅଲଗା ହୋଇ ନିର୍ବାଚନ ଲଢ଼ିବେ ବୋଲି କହିସାରିଲେଣି। ବିହାର ନିର୍ବାଚନରେ କଂଗ୍ରେସ ଯୋଗୁ ମହାମେଣ୍ଟ ଯେପରି ସରକାର ଗଢ଼ିପାରିଲାନି, ତାକୁ ଦେଖି ଅଖିଳେଶ ଏଭଳି ନିଷ୍ପତ୍ତି ନେଇଥିବା ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।

ଅଖିଳେଶଙ୍କ କହିବା ମୁତାବକ ତାଙ୍କ ଦଳ ୨୦୨୨ ବିଧାନସଭା ନିର୍ବାଚନରେ କୌଣସି ବଡ଼ ଦଳ ସହ ମେଣ୍ଟ କରିବ ନାହିଁ, କେବଳ ଆଞ୍ଚଳିକ ସ୍ତରରେ ଥିବା ଛୋଟ ଛୋଟ ଦଳ ସହ ମିଶି ନିର୍ବାଚନ ଲଢ଼ିବ। ଅର୍ଥାତ, ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କଂଗ୍ରେସ କିମ୍ବା ବିଏସପି ସହ କୌଣସି ପ୍ରକାର ମେଣ୍ଟ କରିବ ନାହିଁ ଏବଂ ନିର୍ବାଚନ ଏକାକୀ ଲଢ଼ିବ ବୋଲି ପକ୍କା ହୋଇଯାଇଛି।ଏଥିସହ ପୂର୍ବରୁ ୨୦୧୭ ଓ ୨୦୧୯ରେ ଦଳ କଂଗ୍ରେସ ଏବଂ ବିଏସପି ସହ ମେଣ୍ଟ କରି ବହୁ କ୍ଷତି ସହିଛି। ୨୦୧୭ରେ କଂଗ୍ରେସ ସହ ମେଣ୍ଟ କରିବା ପରେ ଦଳ ଉତ୍ତରପ୍ରଦେଶର ଶାସନ କ୍ଷମତାରୁ ବାହାରିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଏସପି ସହ ମେଣ୍ଟ କରି ଦଳ ସେଭଳି କିଛି ଲାଭ ପାଇନଥିଲା। ତେଣୁ ୨୦୨୨ ନିର୍ବାଚନରେ ଏକାକୀ ଲଢ଼ି ଅଖିଳେଶ ପୁଣି ନିଜର ଦମ୍ ଦେଖାଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

୨୦୧୭ରେ କଂଗ୍ରେସ ସହ ମେଣ୍ଟ ଭାରିପଡ଼ିଥିଲା

୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ଏହି ସମୟରେ ୨୦୧୪ରେ ସାରା ଦେଶରେ ମୋଦୀ ଲହର ବୋହିବା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦୀ। ଏହାପରେ ଉତ୍ତର ଭାରତର ଏହି ବଡ଼ ରାଜ୍ୟକୁ ଦଖଲ କରିବାକୁ ରଣନୀତି ଆପଣାଇଥିଲା ବିଜେପି।୨୦୧୭ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତେଇବାକୁ ଅମିତ ଶାହ ଘମାସନ ପ୍ରଚାର ଜାରି ରଖିଥିଲେ। ଅନ୍ୟପଟେ ନିଜ ଶାସନ କ୍ଷମତା ବଞ୍ଚାଇବାକୁ ଯାଇ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସ ସହ ହାତ ମିଶାଇଥିଲା। ହେଲେ ସାଇକେଲ ଓ ହାତର ଏହି ଯୋଡ଼ି ଉତ୍ତରପ୍ରଦେଶରେ ନିର୍ବାଚନ ଜିତିପାରିନଥିଲା। ୪୦୩ ଆସନରୁ ସମାଜବାଦୀ ପାର୍ଟିକୁ ମାତ୍ର ୪୭ଟି ଆସନ ମିଳିଥିଲାବେଳେ କଂଗ୍ରେସ ମାତ୍ର ୭ଟି ଆସନରେ ବିଜୟୀ ହୋଇଥିଲା। ସେ ସମୟରେ ରାଜନୈତିକ ପଣ୍ଡିତମାନେ ଅଖିଳେଶଙ୍କୁ କଂଗ୍ରେସ ସହ ହାତ ମିଶାଇବା ମହଙ୍ଗା ପଡ଼ିଲା ବୋଲି କହିଥିଲେ। ତେଣୁ ୨୦୨୨ରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

୨୦୧୯ ଲୋକସଭା ନିର୍ବାଚନରେ ମହାମେଣ୍ଟକୁ ବିଫଳତା

୨୦୧୭ରେ ବିଧାନସଭା ନିର୍ବାଚନରେ ଅଖିଳେଶଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଭୋଟରଙ୍କ ଭୋଟ ଜୁଟାଇବାକୁ ସକ୍ଷମ ହୋଇନଥିଲେ। ଏହାପରେ ୨୦୧୯ ଲୋକସଭା ନିର୍ବାଚନର ସମୟ ଆସିଥିଲା। ଯେଉଁଥିରେ ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ କସରତ କରୁଥିଲେ।

ବିଜେପିର ସ୍ପେଶାଲ୍ ଫୋକସ ମଧ୍ୟ ଉତ୍ତରପ୍ରଦେଶ ଉପରେ ରହିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଏନଡିଏ ଏଠାରୁ ୭୩ଟି ସିଟ୍ ଜିତିଥିବାରୁ, ୨୦୧୯ରେ ଏହାଠାରୁ ଅଧିକ ସିଟ୍ ଜିତିବ ବୋଲି ଆଶା ବାନ୍ଧିଥିଲା। ଏପଟେ ବିଜେପିର ଏହି ଆଶାକୁ ଧୂଳିସାତ କରିବାକୁ ଏସପି, ବିଏସପି ଓ ରାଷ୍ଟ୍ରୀୟ ଲୋକଦଳ ମିଶି ମହାମେଣ୍ଟ ଗଠନ କରିଥିଲେ। ହେଲେ ୨୦୧୪ ପରି ୨୦୧୯ରେ ବି ଉତ୍ତରପ୍ରଦେଶରେ କମାଲ୍ କରିଥିଲା ଏନଡିଏ।୮୦ଟି ଲୋକସଭା ଆସନରୁ ଏନଡିଏ ଖାତାକୁ ୬୪ଟି ଆସନ ଯାଇଥିବାବେଳେ ମହାମେଣ୍ଟ ମାତ୍ର ୧୫ଟି ଆସନ ଜିତିପାରିଥିଲା। ହେଲେ ମହାମେଣ୍ଟର ଏହି ୧୫ଟି ଆସନ ଭିତରୁ ମାୟାବତୀଙ୍କ ବିଏସପି ଦଳ ୧୦ଟି ସିଟରେ ବିଜୟୀ ହୋଇଥିଲା। ତେଣୁ ଉତ୍ତରପ୍ରଦେଶର ଏହି ମହାମେଣ୍ଟ ଦ୍ୱାରା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କିଛି ବି ଲାଭ ପାଇନଥିଲା। ତେଣୁ ଦଳ ଆଗକୁ ଏକାକୀ ଲଢ଼ି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି।

ଉତ୍ତରପ୍ରଦେଶର ରାଜନୀତି ପୃଷ୍ଠାକୁ ଓଲଟାଇ ଦେଖିଲେ ଜଣାପଡ଼ିବ ଯେ, ଦେଶ ସ୍ୱାଧୀନ ହେବା ପରଠାରୁ ୧୯୯୦ ପର୍ଯ୍ୟନ୍ତ ଏଠାରେ କଂଗ୍ରେସ, ବିଜେପି କିମ୍ବା ଜନତା ଦଳର ରାଜୁତି ରହିଆସିଥିଲା। ହେଲେ ଏହାପରେ ୧୯୯୩  ମସିହାରେ ମୁଲାୟମ ସିଂହ ଯାଦବଙ୍କ ନେତୃତ୍ୱରେ ପ୍ରଥମ କରି ଏକ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରେ ସରକାର ଗଢ଼ିଥିଲା। ଯାହାର ନାଁ ଥିଲା ସମାଜବାଦୀ ପାର୍ଟି।

ଏହାପରଠାରୁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କିମ୍ବା ବହୁଜନ ସମାଜବାଦୀ ପାର୍ଟିର ଶାସନ ଚାଲିଆସୁଛି। ୨୦୧୭ରେ କିନ୍ତୁ ବିଜେପି ଏଠାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହ ୩୧୨ ସିଟ୍ ହାସଲ କରିଥିଲା। ସେବେଠାରୁ ଉତ୍ତରପ୍ରଦେଶରେ ଯୋଗୀ ସରକାର କାମ କରୁଛି। ୨୦୨୨ରେ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଥିବାରୁ ଏଥର ଭୋଟରଙ୍କ ମୁଡ୍ କାହା ଆଡ଼କୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

Comment