ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକ ମାଲଗୋଦାମ ଓ ଛତ୍ରବଜାରକୁ ରାଜପଥ ସହ ସଂଯୋଗ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଯୋଜନା ମୁତାବକ ରାଣୀହାଟ ପୋଲଠାରୁ ମାତୃଭବନ ରାସ୍ତାରେ ଓଏମ୍‌ପି ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ଥ କରାଯିବ। ତେଣୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବୁଧବାର ମାତୃଭବନ ରାସ୍ତାରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଗତକାଲି ୧୭୦ଟି ଦୋକାନ ଓ ୧୫ଟି ଘର ଭଙ୍ଗାଯାଇଥିବା ଡେପୁଟି କମିସନର ଅବିନାଶ ରାଉତ ସୂଚନା ଦେଇଛନ୍ତି।

ଗତକାଲି ସକାଳ ୯ଟାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୋଲିସ ପ୍ରଶାସନର ସହଯୋଗରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ତେବେ ଜବରଦଖଲ ନେଇ ପୂର୍ବରୁ ସର୍ଭେ କାର୍ଯ୍ୟ ଶେଷ ହୋଇଥିବାରୁ କୌଣସି ସମସ୍ୟା ଉପୁଜିନଥିଲା।ପ୍ରସ୍ତାବିତ ଯୋଜନା ଅନୁଯାୟୀ, ରାଣୀହାଟ କେନାଲ୍ ରୋଡ୍‌କୁ ସଂଯୋଗ କରି ଓଏମ୍‌ପି ପର୍ଯ୍ୟନ୍ତ ରାସ୍ତାକୁ ସମ୍ପ୍ରସାରଣ କରାଯିବ। ଏହାଦ୍ୱାରା ମାଲଗୋଦାମ ଓ ଛତ୍ରବଜାରକୁ ଯାତାୟତ ସହଜ ହେବ। ଯେହେତୁ ଅଧା ଓଡ଼ିଶା ଏହି ଦୁଇ ବ୍ୟବସାୟିକ ମଣ୍ଡି ଉପରେ ନିର୍ଭରଶୀଳ ଏବଂ ଅନ୍ତଃରାଜ୍ୟ ଆମଦାନୀ, ରପ୍ତାନୀ ଏଠାରୁ କରାଯାଏ ତେଣୁ ରାସ୍ତାର ସମ୍ପ୍ରସାରଣ ନିହାତି ଆବଶ୍ୟକ। ତେଣୁ ଏ ଦିଗରେ ପଦକ୍ଷେପ ନେଇ ରାଜ୍ୟ  ସରକାରଙ୍କ ତରଫରୁ ତାଳଦଣ୍ଡା କେନାଲ୍ ରାସ୍ତାକୁ ପ୍ରଶସ୍ଥ କରାଯିବ।

ଏନେଇ ଗତ ୧୭ ତାରିଖରୁ ସର୍ଭେ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଛତ୍ରବଜାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା। ହଜାରେ ବସ୍ତିଘର, ୪ ଶହ ଦୋକାନ ଓ ଛତ୍ରବଜାରର ୬ ଶହ ଉଠା ଦୋକାନ ଭଙ୍ଗାଯିବ। ତା’ସହିତ ପିଏଚ୍‌ଡି ଅଫିସ୍‌, ପମ୍ପ୍ ହାଉସ୍‌, ମନ୍ଦିର, ଅଙ୍ଗନବାଡ଼ି, ୨ଟି ସ୍କୁଲ୍ ଭଙ୍ଗାଯିବାକୁ ସ୍ଥିର କରାଯାଇଛି। ତେବେ ଭଙ୍ଗାଯିବାକୁ ଥିବା ପିଏଚ୍‌ଡି ଅଫିସ୍ ସ୍ଥାନରେ ଛତ୍ରବଜାରର ଉଠା ଦୋକାନୀଙ୍କୁ ଥଇଥାନ କରାଯିବାକୁ ଆପାତତଃ ଯୋଜନା କରାଯାଇଛି।୧୨୫୦ଟି ବସ୍ତିଘର, କଟକ ମହାନଗର ନିଗମର ନିଜସ୍ୱ ୫୫ଟି ଭଡ଼ାଘର ଏବଂ ୩୩ଟି ଗୋଦାମ ଘର ଭଙ୍ଗାଯିବ। ତେବେ ଏହାର ବିକଳ୍ପ କ’ଣ କରାଯିବ ସେ ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟପକ୍ଷରେ କ୍ଷତିପୂରଣ ଦିଗରେ ମଧ୍ୟ ଆଲୋଚନା ଚାଲିଛି। ଏବେ ସୁଦ୍ଧା ପ୍ୟାକେଜ୍ ଚୂଡ଼ାନ୍ତ ହୋଇନାହିଁ ବୋଲି ଡେପୁଟି କମିସନର ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Comment