ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ଏବେ କରୋନା ସ୍ଥିତି ଅଣାୟତ୍ତ।

ରାଜଧାନୀ ଦିଲ୍ଲୀରେ ଏବେ ବେଲଗାମ ହୋଇ ମାଡ଼ିଚାଲିଛି ମହାମାରୀ କରୋନା। ସ୍ଥିତି ଏମିତି ହେଲାଣି ଯେ, ମଶାଣିରୁ ନିଆଁ ଲିଭୁନି। ଦିନରାତି ଦିଲ୍ଲୀରେ ଜଳୁଛି କରୋନା ରୋଗୀଙ୍କ ଜୁଇ।

ଶୀତ ଓ ପ୍ରଦୁଷଣ ବଢ଼ିବା ସହିତ ଦିଲ୍ଲୀରେ ଏବେ କରୋନା ଭାଇରସ୍ ନିଜର ଉଗ୍ରରୂପ ଦେଖାଇବା ଆରମ୍ଭ କରିଛି। ପ୍ରତିଦିନ ୭ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ, ପାଖାପାଖି ଶହେ ଲୋକ କରୋନାରେ ଆଖି ବୁଜୁଛନ୍ତି। ଯାହାକୁ ନେଇ ଏବେ ପ୍ରଶାସନର ଚିନ୍ତା ବଢ଼ିବା ସହିତ ଏହାର କିଭଳି ମୁକାବିଲା କରାଯିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ଦିଲ୍ଲୀର କରୋନା ଗ୍ରାଫ୍

ଶୁକ୍ରବାର ଦିଲ୍ଲୀରୁ ସାଢ଼େ ୭ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟା ଭିତରେ ୯୮ ଜଣ କରୋନା ରୋଗୀ ଦିଲ୍ଲୀରେ ଆଖି ବୁଜିଛନ୍ତି। ଏଥିସହ ସେଠାରେ ମୋଟ କରୋନା ମୃତ୍ୟୁସଂଖ୍ୟା ସଂଖ୍ୟା ୮ ହଜାର ଟପିଛି, ଯାହାକି ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଗତ ସପ୍ତାହରେ ଦିଲ୍ଲୀର କରୋନା ଗ୍ରାଫକୁ ନଜର ପକାଇଲେ ଜଣାପଡ଼ିବ ଯେ, ନଭେମ୍ବର ୧୨ ତାରିଖରୁ ନଭେମ୍ବର ୧୯ ତାରିଖ ଭିତରେ ହିଁ ଦିଲ୍ଲୀରେ ସଂକ୍ରମଣ ଓ ମୃତ୍ୟୁ ଉଭୟ ବଢ଼ିଚାଲିଛି। ସପ୍ତାହେ ହେଲା ପ୍ରତିଦିନ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପ୍ରତିଦିନ ୯୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି।

ନଭେମ୍ବର ୧୨ରେ ଦିଲ୍ଲୀରେ ୧୦୪ ଜଣ ଆକ୍ରାନ୍ତ ଆଖିବୁଜିଥିଲେ। ସେହିଭଳି ନଭେମ୍ବର ୧୩ରେ ୯୧, ନଭେମ୍ବର ୧୪ରେ ୯୬, ନଭେମ୍ବର ୧୫ରେ ୯୫, ନଭେମ୍ବର ୧୬ରେ ୯୯, ନଭେମ୍ବର ୧୭ରେ ୯୯, ନଭେମ୍ବର ୧୮ରେ ୧୩୧ ଓ ନଭେମ୍ବର ୧୯ରେ ୯୮ଜଣ ଆକ୍ରାନ୍ତ ଦିଲ୍ଲୀରେ ଆଖି ବୁଜିଛନ୍ତି।

ଡୋର ଟୁ ଡୋର୍ ସର୍ଭେ଼

ଦିଲ୍ଲୀରେ ସଂକ୍ରମଣ କମାଇବାକୁ ସରକାର ‘ଡୋର୍ ଟୁ ଡୋର୍’ ସର୍ଭେ ଆରମ୍ଭ କରିଛନ୍ତି। ଯେଉଁଥିରେ ୯୫୦୦ଟି ଟିମ୍ ପ୍ରାୟ ୧୩ରୁ ୧୪ ଲକ୍ଷ ଘରର ସର୍ଭେ କରିବ ବୋଲି ଜଣାପଡ଼ିଛି। ଦିଲ୍ଲୀର ପ୍ରାୟ ୫୭ ଲକ୍ଷ ଲୋକ ଏହି ସର୍ଭେରେ ସାମିଲ ହେବେ। ଯାହାଦ୍ୱାରା ଦିଲ୍ଲୀରେ ସଂକ୍ରମଣକୁ କମାଇବା ସମ୍ଭବପର ହେବ ବୋଲି କୁହାଯାଉଛି।

କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଆଲୋଚନା କରିଛନ୍ତି। କେଉଁ କେଉଁ ପନ୍ଥା ଆପଣାଇଲେ ଦିଲ୍ଲୀରେ ସଂକ୍ରମଣ କରିବ ସେ ନେଇ ବିଶେଷଜ୍ଞମାନଙ୍କ ସହ ବୈଠକ ହୋଇଥିବା ଜଣାପଡ଼ିଛି।delhi coronaକାହିଁକି ବଢ଼ିଲା ସଂକ୍ରମଣ?

ଅଗଷ୍ଟ ମାସ ପରଠାରୁ ଦିଲ୍ଲୀରେ ସଂକ୍ରମଣ ସ୍ଥିର ରହିଆସୁଥିଲା। ହେଲେ ଶୀତ ବଢ଼ିବା ସହିତ ଦିଲ୍ଲୀରେ କରୋନାର ନିଜର କାୟା ବିସ୍ତାର କରିବା ଆରମ୍ଭ କରିଥିଲା। ଗୋଟିଏ ପଟେ ଶୀତ ଓ ଅନ୍ୟପଟେ ପ୍ରଦୁଷଣ ହିଁ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଲୋକଙ୍କ ଦାୟିତ୍ୱହୀନତା କାରଣରୁ ହିଁ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ କହିସାରିଲେଣି। କେଜରିୱାଲଙ୍କ କହିବା ମୁତାବକ, ଏବେ ବି ଦିଲ୍ଲୀର କିଛି ବଜାର ଅଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉନି। ଲୋକମାନେ ବିନା ମାସ୍କରେ ବୁଲିବା ସହିତ କୋଭିଡ୍ ନିୟମକୁ ଅଣଦେଖା କରୁଛନ୍ତି। ଯାହା ସଂକ୍ରମଣ ବୃଦ୍ଧିର ଏକ କାରଣ ବୋଲି କୁହାଯାଉଛି।

ଅନ୍ୟପଟେ ଦିଲ୍ଲୀରେ ଶୀତ ଅଧିକ ଅନୁଭୂତ ହେଉଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। ଏହାପୂର୍ବରୁ ୟୁରୋପୀୟ ଦେଶରେ ମଧ୍ୟ ଏହିଭଳି ସ୍ଥିତି ଉପୁଜିଥିଲା। ଶୀତ ବଢ଼ିବା ସହିତ କରୋନା ସଂକ୍ରମଣ ବଢ଼ିଚାଲିଥିଲା। ତା’ସହିତ ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ବଢ଼ିବାର କାରଣ ହସ୍ପିଟାଲର ଅଭାବ ବୋଲି କୁହାଯାଉଛି। ଦିଲ୍ଲୀରେ ଯେତିକି ଆଇସିୟୁ ବେଡ୍ ଅଛି, ତାହାଠାରୁ ଅଧିକ ରୋଗୀ ଚିହ୍ନଟ  ହେଉଛନ୍ତି। ତେଣୁ ଆଇସିୟୁ ଅଭାବ କରୋନା ମୃତ୍ୟୁ ବୃଦ୍ଧିର ଏକ କାରଣ ବୋଲି କୁହାଯାଉଛି।

ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍, ପୁଣି ନିୟମ ହେଲା କଡ଼ା

ସଂକ୍ରମଣ ବଢୁଥିବା ଦେଖି ଦିଲ୍ଲୀ ସରକାର ମଧ୍ୟ ଶକ୍ତ ନିୟମ ଜାରି କରିଛନ୍ତି। ପୂର୍ବରୁ କୌଣସି ଲୋକ ମାସ୍କ ନପିନ୍ଧି ଧରାପଡ଼ିଲେ ତା’ଠାରୁ ୫ ଶହ ଟଙ୍କା ଜରିମାନା ଆଦାୟ ହେଉଥିଲା। ହେଲେ ଏବେ ଏହି ଫାଇନକୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଛଟ ପୂଜା ପାଳନକୁ ମଧ୍ୟ କେଜରିୱାଲ ସରକାର ମନା କରିଦେଇଛନ୍ତି।

ତା ସହ ପୂର୍ବରୁ ବିବାହ ଆଦି କାମରେ ୨୦୦ ଲୋକ ଯୋଗଦେଇପାରିବେ ବୋଲି ଦିଲ୍ଲୀ ସରକାର ଅନୁମତି ଦେଇଥିଲେ। ହେଲେ ଏବେ କିନ୍ତୁ ଏହି ସଂଖ୍ୟାକୁ ୫୦କୁ କମାଇ ଦିଆଯାଇଛି। ଅଧିକ ଜନଗହଳି ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ଦିଲ୍ଲୀ-ମୁମ୍ବାଇ ଭିତରେ ବନ୍ଦ ହୋଇପାରେ ବିମାନ ଓ ଟ୍ରେନ ସେବା

ମୁମ୍ବାଇ-ଦିଲ୍ଲୀ ଭିତରେ ବିମାନ ଓ ଟ୍ରେନ୍ ସେବା ବନ୍ଦ ହୋଇଯାଇପାରେ। ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେବାକୁ ଚିନ୍ତା କରୁଥିବା ଖବର ମିଳିଛି। ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣର ପ୍ରଭାବ ଏବେ  ହରିୟାଣା, ଏନସିଆର୍ ଆଦି ଅଞ୍ଚଳରେ ଦେଖିବାକୁ ମିଳୁଛି। ତେଣୁ ସଂକ୍ରମଣ ଉପରେ ବ୍ରେକ୍ ଦେବାକୁ ଯାଇ ମହାରାଷ୍ଟ୍ର ସରକାର ଦିଲ୍ଲୀରୁ ମୁମ୍ବାଇ ଟ୍ରେନ୍ ଓ ବିମାନ ସେବା ବାତିଲ୍ କରିବାକୁ ବିଚାର କରୁଛନ୍ତି।

Comment