ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ପେଣ୍ଠ ବେଳାଭୂମି ସମୁଦ୍ରରେ ଭାସି ଯାଇଥିବା ସତ୍ୟଜିତ ବାଇଙ୍କର କୌଣସି ପତ୍ତା ମିଳୁନି। ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ପୁଅର ସନ୍ଧାନ ମିଳୁନଥିବାରୁ ସତ୍ୟଜିତଙ୍କ ବାପା ଅଭିରାମ ବାଇ ମାନସିକ ଭାରସାମ୍ୟ ହରାଇଛନ୍ତି। ତେବେ ଆଜି ସତ୍ୟଜିତଙ୍କୁ ଖୋଜିବା ପାଇଁ ବନବିଭାଗର ସ୍ପିଡ୍ ବୋଟ୍ ନିୟୋଜିତ ହେବ ବୋଲି ସୂଚନା ମିଳିଛି।

ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୁପ୍ତିରା ଗାଁର ସତ୍ୟଜିତ ବାଇ ଗତ ୧୫ ତାରିଖରେ ସାଙ୍ଗମାନଙ୍କ ସହ ମିଶି ରାଜନଗର ଥାନା ପେଣ୍ଠ ସମୁଦ୍ର ବେଳାଭୂମିକୁ ବଣଭୋଜି କରିବାକୁ ଯାଇଥିଲେ। ସେଠାର ସମୁଦ୍ରରେ ଗାଧୋଇବା ବେଳେ ସତ୍ୟଜିତ ପାଣିରେ ଭାସି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ସତ୍ୟଜିତଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ପୁଅର ପତ୍ତା ମିଳୁନଥିବାରୁ ବାପା ଅଭିରାମ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି।ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା କିଛି ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିଛନ୍ତି। ସମୁଦ୍ରରେ ଭାସୁଥିବା ସେହି ମୃତଦେହର ଫଟୋକୁ ମତ୍ସ୍ୟଜୀବୀମାନେ ନିଜ ମୋବାଇଲ କ୍ୟାମେରାରେ ଉତ୍ତୋଳନ କରି ବିଭିନ୍ନ ଗଣମାଧ୍ୟମକୁ ପଠାଇଥିବା ଜଣାପଡ଼ିଛି।

ଏହି ଖବରପାଇ ରାଜନଗର ପୋଲିସ ସ୍ଥାନୀୟ ବନ ବିଭାଗ ଓ ମୃତ ସତ୍ୟଜିତଙ୍କ ପରିବାର ସଦସ୍ୟଙ୍କୁ ନେଇ ଏକ ବୋଟ୍‌ରେ ସମୁଦ୍ର ମଧ୍ୟକୁ ଖୋଜିବାକୁ ବାହାରିଥିଲା। ହେଲେ ଗଭୀର ସମୁଦ୍ର ମଧ୍ୟକୁ ବୋଟ୍‌ଟି ଯାଇନପାରିବାରୁ ସେମାନେ ଅଧାବାଟରୁ ଫେରି ଆସିଥିଲେ। ଆଜି ବନବିଭାଗର ସ୍ପିଡ୍ ବୋଟ୍ ଦ୍ଵାରା ସମୁଦ୍ର ମଧ୍ୟରେ ସତ୍ୟଜିତଙ୍କ ମୃତଦେହ ଖୋଜାଯିବ ବୋଲି ସତ୍ୟଜିତଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।

Comment