ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ୧୫ ବର୍ଷରୁ କମ୍ ବୟସର ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳିପାରିବେନି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ସର୍ବନିମ୍ନ ବୟସ ନୀତି ପ୍ରଣୟନ କରି ଏହି ଘୋଷଣା କରିଛି।

ବୋର୍ଡର ନିଷ୍ପତ୍ତି ଅନୁଯାୟୀ ବିଶ୍ୱସ୍ତରରେ କ୍ରିକେଟ ଖେଳିବା ପାଇଁ କ୍ରିକେଟରଙ୍କୁ ସର୍ବନିମ୍ନ ୧୫ବର୍ଷ ବୟସ ହୋଇଥିବା ଆବଶ୍ୟକ। ଖେଳାଳିଙ୍କ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସର୍ବନିମ୍ନ ବୟସ ସୀମା ପ୍ରଣୟନ କରି ବୋର୍ଡ ଏହି ନିଷ୍ପତ୍ତି ନେଇଛି।

ଏହି ନିୟମ ଆଇସିସି ଇଭେଣ୍ଟ, ଦ୍ୱିପାକ୍ଷିକ କ୍ରିକେଟ ଏବଂ ଅଣ୍ଡର-୧୯ କ୍ରିକେଟ ସମେତ କ୍ରିକେଟର ସମସ୍ତ ଫର୍ମାଟ ଉପରେ ଲାଗୁ ହେବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି।ପାକିସ୍ତାନର ହସନ ରଜା ମାତ୍ର ୧୪ ବର୍ଷ ବୟସରେ ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ୧୯୯୬ରୁ ୨୦୦୫ ମଧ୍ୟରେ ସେ ୭ଟି ଟେଷ୍ଟ ଏବଂ ୧୬ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ।

ସେହିପରି ଭାରତୀୟ କ୍ରିକେଟ ଦଳର ବିଶିଷ୍ଟ ବ୍ୟାଟ୍‌ସମ୍ୟାନ ସଚିନ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ କରିଥିଲେ। ସଚିନଙ୍କୁ ଯେତେବେଳେ ୧୬ ବର୍ଷ ୨୦୫ ଦିନ ହୋଇଥିଲା ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଯାତ୍ରା ଆରମ୍ଭ କରିଥିଲେ। କ୍ରିକେଟ ଦୁନିଆର ମାଷ୍ଟର ବ୍ଲାଷ୍ଟର ଭାବେ ଜଣା ସଚିନ୍ ଟେଷ୍ଟ କ୍ରିକେଟରେ ୧୫,୯୨୧ ରନ୍ କରିଥିବା ବେଳେ ଦିନିକିଆ କ୍ରିକେଟରେ ମୋଟ୍ ୧୮,୪୨୬ ରନ୍ କରିଛନ୍ତି।

Comment