ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାସ୍ତା ଉପରୁ ୭୯ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇ ହଜାଇଥିବା ବ୍ୟକ୍ତିଙ୍କୁ ଫେରାଇ ସଚ୍ଚୋଟତାର ପ୍ରମାଣ ଦେଇଛନ୍ତି ଜଣେ ବ୍ୟକ୍ତି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ସାନ୍ଧ ମହାବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ରାମକୃଷ୍ଣ କର। ଏହି ଖବର ପ୍ରଚାର ହେବା ପରେ ଏବେ କେନ୍ଦ୍ରାପଡ଼ା ସହରରେ ରାମକୃଷ୍ଣଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି।

ପୁରା ଘଟଣାଟି ହେଉଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ବାରତୁଙ୍ଗା ଗାଁର ଜିତେନ୍ଦ୍ର ବସନ୍ତିଆ ଓ ତାଙ୍କ ଭାଇ ସୁଧାଂଶୁ ଶୁକ୍ରବାର କେନ୍ଦ୍ରାପଡ଼ା ତିନିମୁହାଣୀ କଲେଜଛକ ବଜାରର ଏକ ଗାଡ଼ି ସୋରୁମକୁ ବାଇକ କିଣିବାକୁ ଯାଇଥିଲେ। ଜିତେନ୍ଦ୍ର ଏକ ଜରି ବ୍ୟାଗରେ ୭୯ ହଜାର ଟଙ୍କା ସହିତ ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ ଦରକାରୀ ଦସ୍ତାବିଜ ନେଇ ଗାଡି କିଣିବାକୁ ଯାଉଥିବା ବେଳେ ଅସାବଧାନତା କାରଣରୁ ତାଙ୍କ ହାତରୁ କେଉଁଠାରେ ବ୍ୟାଗଟି ଖସିପଡିଥିଲା। ଏବାବଦରେ ଜିତେନ୍ଦ୍ର ଜାଣିପାରିନଥିଲେ। ସେତେବେଳକୁ ସେ ସୋରୁମକୁ ଯାଇ ଗାଡି ପସନ୍ଦ କରିସାରିଥିଲେ। କିନ୍ତୁ ଟଙ୍କା ଖୋଜିବା ବେଳକୁ ବ୍ୟାଗ ପାଖରେ ନଥିବା ଦେଖି ଦୁଇ ଭାଇ ଭାଙ୍ଗି ପଡିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ବ୍ୟାଗ ନମିଳିବାରୁ ସେମାନେ କେନ୍ଦ୍ରାପଡ଼ା ସଦର ଥାନାରେ ଜଣାଇଥିଲେ।
ଏହି ଟଙ୍କା ବ୍ୟାଗଟିକୁ ରାସ୍ତାରୁ ପାଇଥିଲେ ସୁନାଇଲୋ ଗାଁର ରାମକୃଷ୍ଣ କର। ବ୍ୟାଗରେ ଏତେଗୁଡିଏ ଟଙ୍କା ରହିଛି ଜାଣି ରାମକୃଷ୍ଣ ବ୍ୟାଗର ମାଲିକକୁ ଖୋଜିଥିଲେ। ବ୍ୟାଗ ମଧ୍ୟରେ ଏକ ଖାତାରେ ଜିତେନ୍ଦ୍ରଙ୍କର ଫୋନ ନମ୍ବର ଲେଖାଥିବା ଦେଖି ରାମକୃଷ୍ଣ ଜିତେନ୍ଦ୍ରଙ୍କୁ ଫୋନ କରିଥିଲେ। ଏହାପରେ ଜିତେନ୍ଦ୍ର ଆସି ରାମକୃଷ୍ଣଙ୍କଠାରୁ ଟଙ୍କା ବ୍ୟାଗ ନେଇ ତାଙ୍କୁ ଧନ୍ୟବାଦ ଜଣାଇ ତାଙ୍କର ପ୍ରଶଂସା କରିଥିଲେ। ରାମକୃଷ୍ଣଙ୍କର ଏହି ମଣିଷପଣିଆର ଖବର ଏବେ କେନ୍ଦ୍ରାପଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Comment