ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଫାଇନାନ୍ସ କମ୍ପାନି ସୁନା ଗହଣା ଲୁଟ୍‌ ଘଟଣାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଘଟଣାଦିନ ୧୨ କୋଟି ଟଙ୍କାର ସୁନା ଲୁଟ୍ ହୋଇଥିବା କୁହାଯାଇଥିଲା। କିନ୍ତୁ ଏବେ ୨୦ କୋଟିର ସୁନା ଲୁଟ୍ ହୋଇଥିବା ଉକ୍ତ ସଂସ୍ଥା ପୋଲିସକୁ କହିଛି।

ଓଡ଼ିଶାର ଲୁଟ ଇତିହାସରେ ଏତେ ବଡ଼ ଘଟଣା ଆଗରୁ କେବେ ଘଟି ନଥିଲା। ଗୁରୁବାର ଦିନ ଦ୍ଵି’ପହରରେ ଚାରି ଜଣ ଯୁବକ ଏକ ସଂସ୍ଥାର ଅଫିସ ଭିତରେ ବସି ଗନ ପଏଣ୍ଟରେ ଗହଣା ଲୁଟ କରିଥିଲେ। ଇଣ୍ଡିଆ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡର କଟକ ନୟାସଡ଼କ ଶାଖାରେ ଏହି ଲୁଟ ହୋଇଥିଲା।ଏହି ଘଟଣାରେ ବ୍ରାଞ୍ଚ ମ୍ୟାନେଜର ସତ୍ୟମ ପ୍ରଧାନ ପ୍ରଥମେ କହିଥିଲେ ଯେ, ନଗଦ ୪ ଲକ୍ଷ ୩୦ ହଜାର ଟଙ୍କା ଓ ୮ରୁ ୧୦ କୋଟି ଟଙ୍କାର ଗହଣା ଲୁଟ୍ ହୋଇଛି। କିନ୍ତୁ ଶୁକ୍ରବାର ସଂସ୍ଥା ପୋଲିସକୁ ଯେଉଁ ସୂଚନା ଦେଇଛି ସେଥିରେ କୁହାଯାଇଛି ଯେ, ଡକାୟତମାନେ ଅଫିସ ଟ୍ରେଜେରୀରେ ଯେତେ ବନ୍ଧକ ଗହଣା ପ୍ୟାକେଟ ଥିଲା ସେସବୁକୁ ଉଠାଇ ନେଇଛନ୍ତି ଯାହାର ମୂଲ୍ୟ ୨୦ କୋଟି ଟଙ୍କା ହେବ।

ସିସିଟିଭି ଫୁଟେଜକୁ ଭିତ୍ତି କରି କଟକ ଡିସିପି ପ୍ରତୀକ ସିଂହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ୪୮ ଘଣ୍ଟା ପାଖାପାଖି ବିତି ଯାଇଥିଲେ ମଧ୍ୟ ପୋଲିସ ଲୁଟେରାଙ୍କୁ ଧରି ପାରିନାହିଁ।

Comment