ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବିପଦପ୍ରବଣ ହୋଇପଡ଼ିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପେଣ୍ଠ ସମୁଦ୍ର ବେଳାଭୂମିରେ କଟକଣା କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଏଠାରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ଏବେ ପ୍ରତିଦିନ ପୋଲିସ ମୁତୟନ ହେଉଛନ୍ତି। ଏହାଛଡ଼ା ସ୍ଥାନୀୟ ୧୦ ଜଣ ସ୍ଵେଚ୍ଛାସେବୀଙ୍କୁ ତାଲିମ ଦେଇ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ପେଣ୍ଠ ସମୁଦ୍ର ବେଳାଭୂମିକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। କିନ୍ତୁ ଏଠାରେ କୌଣସି କଟକଣା ନଥିବାରୁ ଅନେକ ସମୟରେ ଅଘଟଣ ଘଟୁଛି। କୋହଳ କଟକଣା ହେତୁ ନିକଟରେ ମାତ୍ର ୧୫ ଦିନ ଭିତରେ ଦୁଇ ଜଣ ସମୁଦ୍ରରେ ଭାସି ଯାଇଛନ୍ତି। ସେଥିମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।ଏହି ଦୁଇ ଅଘଟଣ ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ। ଗତ ୩ ଦିନ ତଳେ ପେଣ୍ଠ ବେଳାଭୂମି ସମୁଦ୍ର କୂଳରେ ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ଜିଲ୍ଲା ପୋଲିସ ମଧ୍ୟ ସ୍ଥାନୀୟ ପୋଲିସ ଥାନାକୁ ସତର୍କ କରାଇଥିଲା। ଫଳରେ ରାଜନଗର ଥାନା ପକ୍ଷରୁ ଏଠାରେ ଆଇନଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଉଥିବା ରାଜନଗର ଆଇଆଇସି ତପନ କୁମାର ନାୟକ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ବେଳାଭୂମିରେ ପର୍ଯ୍ୟଟକମାନଙ୍କୁ ସଚେତନ କରିବା ପାଇଁ ସ୍ଥାନୀୟ ୧୦ ଜଣ ଯୁବକଙ୍କୁ ସ୍ଵେଚ୍ଛାସେବୀ ଭାବେ ନିଯୁକ୍ତ କରିଛନ୍ତି ରାଜନଗର ବିଡିଓ। ଏମାନେ ପ୍ରତିଦିନ ପର୍ଯ୍ୟଟକମାନଙ୍କ ସହିତ ଉତ୍ତମ ସମ୍ପର୍କ ସୃଷ୍ଟି କରିବା ସହିତ ସେମାନଙ୍କୁ ସମୁଦ୍ରର ଭୟାବହତା ସମ୍ପର୍କରେ ଅବଗତ କରାଇବେ। ଏଥିସହ ପରିବେଶ ପ୍ରଦୂଷଣ ଓ ଆଇନ କାନୁନ ସମ୍ପର୍କରେ ବୁଝାଇବେ ବୋଲି ସୂଚନା ମିଳିଛି।

Comment