ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୭ରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍।

ଫଟାଫଟ୍ କ୍ରିକେଟ୍ ଆଇପିଏଲର ମଜା ନେବା ପରେ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଟିମ୍ ଇଣ୍ଡିଆ। ଏହି ଗସ୍ତରେ ଦଳ ଛଅଟି ସୀମିତ ଓଭର ମ୍ୟାଚ୍ ସହ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ତେବେ ଏହି କ୍ରିକେଟ୍ ସିରିଜରେ ଅଷ୍ଟ୍ରେଲିଆର ବ୍ୟାଟିଂ ବାହିନୀକୁ ଭାରତୀୟ ପେସ ବାହିନୀ ଚକମା ଦେବାକୁ ସକ୍ଷମ ବୋଲି କହିଛନ୍ତି ଭାରତୀୟ ପେସ୍ ବୋଲର ମହମ୍ମଦ ସାମି।

ସାମି କହିଛନ୍ତି, “ଆମ ବୋଲର ୧୪୦ରୁ ଅଧିକ ସ୍ପିଡରେ ବୋଲିଂ କରିବାକୁ ସକ୍ଷମ, ଯାହାକି ଅଷ୍ଟ୍ରେଲିଆରେ ବେଶ ଜରୁରୀ। ପୂର୍ବରୁ କେବେ ଭାରତ ପାଖରେ ଏମିତି ପେସ୍ ଆଟାକ୍ ନଥିଲା। ବର୍ତ୍ତମାନର ବୋଲିଂ ଲାଇନ୍ ଅପ୍ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାକୁ ସକ୍ଷମ। ଏଥିସହ ଆମର ସ୍ପିନରମାନେ ମଧ୍ୟ ନିଜର କୌଶଳ ଦେଖାଇବାକୁ ଅପେକ୍ଷା କରିଛନ୍ତି।”ଅଷ୍ଟ୍ରେଲିଆରେ ପେସ୍ ବୋଲରଙ୍କ ରାଜୁତି

ଉପମହାଦେଶୀୟ ପିଚ୍ ଅପେକ୍ଷା ଅଷ୍ଟ୍ରେଲିଆର ପିଚ୍ ସମ୍ପୂର୍ଣ୍ଣ ଭିନ୍ନ। ସେଠାକାର ପିଚ୍ ପେସ୍ ବୋଲରଙ୍କୁ ବେଶ ସୁହାଇଥାଏ। ପୂର୍ବରୁ ମଧ୍ୟ ଅନେକ ମ୍ୟାଚରେ ଏହା ପ୍ରମାଣିତ ହୋଇସାରିଛି। ତେଣୁ ଏଥର ଭାରତର ପେସ୍ ବୋଲିଂ ଲାଇନ୍ ଅପ୍ ଭଲ ଥିବାରୁ ଦଳ ଅଷ୍ଟ୍ରେଲିଆକୁ ମାତ୍ ଦେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ଜଶପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସଇନି, ଟି ନଟରାଜନ, ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କ ଭଳି ପେସ୍ ବୋଲର ରହିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ପେସ୍ ଆଟାକ୍ ଅପେକ୍ଷା ଭାରତୀୟ ପେସ୍ ଆଟାକ୍ ବେଶ ପ୍ରଭାବଶାଳୀ ବୋଲି କୁହାଯାଉଛି। ତେଣୁ ଆଗାମୀ ସିରିଜରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ମାତ୍ ଦେବାକୁ ସକ୍ଷମ ବୋଲି ସାମି କହିଛନ୍ତି।

ଭାଗ ବାଣ୍ଟି ଖେଳିବେ ବୁମରା-ସାମି

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି ମହମ୍ମଦ ସାମି ଏବଂ ଜଶପ୍ରୀତ ବୁମରା। ତେବେ ଏହି ଦୁଇ ବୋଲରଙ୍କୁ ଲଗାତାର ମ୍ୟାଚ୍ ଖେଳାଇବାକୁ ଅନିଚ୍ଛା ପ୍ରକାଶ କରିଛି ଟିମ୍ ମ୍ୟାନେଜମେଣ୍ଟ।

ଲଗାତାର ମ୍ୟାଚ୍ ଖେଳାଇବା ଅପେକ୍ଷା ଏହି ଦୁଇ ବୋଲରଙ୍କୁ ଭାଗ ବାଣ୍ଟି ମ୍ୟାଚ୍ ଖେଳାଇବାକୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣାପଡ଼ିଛି। ଏପରି ହେଲେ ଦୁଇ ବୋଲର ଯଥେଷ୍ଟ ସମୟ ପାଇବା ସହିତ ନିଜକୁ ଫିଟ୍ ରଖିପାରିବେ।

ପେସ ବାହିନୀକୁ ଟକ୍କର ଦେବେ ୱାର୍ନର, ସ୍ମିଥ ଯୋଡ଼ି

ଭାରତୀୟ ପେସ୍ ବାହିନୀ ପାଇଁ ଏଥର ମୁଣ୍ଡ ବିନ୍ଧାର କାରଣ ପାଲଟିପାରନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଓ ଷ୍ଟିଭ୍ ସ୍ମିଥ୍। ଏହି ଦୁଇ ବ୍ୟାଟ୍ସମ୍ୟାନ ଭାରତ ବିପକ୍ଷରେ ସବୁବେଳେ ରନ୍ ସଂଗ୍ରହ କରିଥାନ୍ତି। ଏଥିସହ ନିକଟରେ ଆଇପିଏଲ୍ ଖେଳିଥିବାରୁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ଭାରତୀୟ ବୋଲରଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହେବ ବୋଲି କୁହାଯାଉଛି।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆ

ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (ଉପଅଧିନାୟକ ଏବଂ ୱିକେଟ୍ କିପର), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ମୋହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର, ଟି ନଟରାଜନ୍।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ୍ ରାହୁଲ (ଉପଅଧିନାୟକ ଏବଂ ୱିକେଟ୍ କିପର), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନବଦୀପ ସାଇନି, ସାର୍ଦ୍ଦୁଲ ଠାକୁର, ସଞ୍ଜୁ ସାମସନ (ୱିକେଟ୍ କିପର)।

ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, କେ.ଏଲ୍ ରାହୁଲ, ଚିତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ଶୁଭମାନ ଗିଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ରିଷଭ ପନ୍ତ (ୱିକେଟ୍ କିପର), ଜଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ।

ଭାରତର ଅଷ୍ଟ୍ରେଲିଆ ଗସ୍ତର ଖେଳସୂଚୀ

  • ପ୍ରଥମ ଦିନିକିଆ – ନଭେମ୍ବର ୨୭ – ସିଡନୀ
  • ଦ୍ୱିତୀୟ ଦିନିକିଆ – ନଭେମ୍ବର ୨୯ – ସିଡନୀ
  • ତୃତୀୟ ଦିନିକିଆ- ଡିସେମ୍ବର ୨ – କାନବେରା
  • ପ୍ରଥମ ଟି-୨୦ – ଡିସେମ୍ବର ୪ – କାନବେରା
  • ଦ୍ୱିତୀୟ ଟି-୨୦– ଡିସେମ୍ବର ୬ – ସିଡନୀ
  • ତୃତୀୟ ଟି-୨୦ – ଡିସେମ୍ବର ୮ –  ସିଡନୀ
  • ପ୍ରଥମ ଟେଷ୍ଟ – ଡିସେମ୍ବର ୧୭ରୁ – ଡିସେମ୍ବର ୨୧ – ଆଡିଲେଡ୍ (ଦିବାରାତ୍ର)
  • ଦ୍ୱିତୀୟ ଟେଷ୍ଟ – ଡିସେମ୍ବର ୨୬ରୁ – ଡିସେମ୍ବର ୩୦ –ମେଲବୋର୍ଣ୍ଣ
  • ତୃତୀୟ ଟେଷ୍ଟ- ଜାନୁଆରୀ ୭ରୁ ଜାନୁଆରୀ ୧୧ –ସିଡନୀ
  • ଚତୁର୍ଥ ଟେଷ୍ଟ ମ୍ୟାଚ୍ – ଜାନୁଆରି ୧୫ରୁ – ଜାନୁଆରି ୧୯ – ବ୍ରିସବେନ୍

Comment