ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଦୁଇ କିମ୍ବା ତିନି ମାସ ଭିତରେ ମହାରାଷ୍ଟ୍ରର ଶାସନ କ୍ଷମତାରୁ ହଟିବ ମହାବିକାଶ ଅଘାଡ଼ି ମେଣ୍ଟ। ସେଠାରେ ପୁଣିଥରେ ବିଜେପି ସରକାର ଗଠନ କରିବ। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଓସାହେବ ଦାନବେଙ୍କ ଏଭଳି ବୟାନକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାକୁ ଫେରିଛି।

ଆଗକୁ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ହେବାକୁ ଅଛି। ଏଥିପାଇଁ ବିଜେପି ନେତା ରାଓସାହେବ ଦାନବେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଅତିଶୀଘ୍ର ବିଜେପି ଶାସନ କ୍ଷମତାକୁ ଫେରିବ। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ୍ ପୁଣିଥରେ ଶପଥ ଗ୍ରହଣ କରିବେ। ତାଙ୍କର ଏହି ବୟାନ ପରେ ମହାରାଷ୍ଟ୍ରରେ ବିଜେପି ପୁଣି ‘ଅପରେସନ୍ କମଲ’ ଚଳାଇଥିବା କୁହାଯାଉଛି।ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମଧ୍ୟ କହିଛନ୍ତି ଯେ, ଏଥର ସକାଳୁ ସକାଳୁ ଶପଥ ନେବୁ ନାହିଁ। ସଠିକ୍ ସମୟରେ ହିଁ ଶପଥ ଗ୍ରହଣ ହେବ ବୋଲି ଫଡନାବିସ୍ କହିଛନ୍ତି, ଯାହାକୁ ନେଇ ଏବେ ରାଜନୀତି ତେଜିଛି।

ମହାରାଷ୍ଟ୍ରରେ ଏବେ ଅଘାଡ଼ି ମେଣ୍ଟ ସରକାର

୨୦୧୯ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଶିବସେନା ଓ ବିଜେପି ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ। ଭୋଟରମାନେ ମଧ୍ୟ ବିଜେପି ଓ ଶିବସେନା ମେଣ୍ଟକୁ ବହୁମତ ଦେଇଥିଲେ। ୨୮୮ ଆସନରୁ ବିଜେପିକୁ ୧୦୫ଟି ଆସନ ମିଳିଥିଲାବେଳେ ଏବଂ ଶିବସେନାକୁ ମିଳିଥିଲା ୫୬ଟି ସିଟ୍। ଏହାପରେ ମହାରାଷ୍ଟ୍ରରେ ପୁଣି ଫଡନାବିସ୍ ସରକାର ଚାଲିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା।

ଏହି ସମୟରେ କିନ୍ତୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଡ଼ିବସିଥିଲେ। ୫୦-୫୦ ଫର୍ମୁଲାରେ ବିଜେପି ଓ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଉଦ୍ଧବ ଦାବି କରିଥିଲେ। ଯାହାକୁ ବିଜେପି ମାନିବାକୁ ନାରାଜ ଥିଲା। ଏହାପରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ମେଣ୍ଟ ଭାଙ୍ଗିଯାଇଥିଲା।ନଭେମ୍ବର ୨୩, ୨୦୧୯ରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ଏନସିପି ନେତା ଅଜିତ୍ ପାୱାରଙ୍କ ସମର୍ଥନରେ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ବହୁମତ ସାବ୍ୟସ୍ତ କରିବାକୁ ବିଫଳ ହେବାରୁ ସେ ନଭେମ୍ବର ୨୬ ତାରିଖରେ ହିଁ ଇସ୍ତଫା ଦେଇଥିଲେ।

ଏହାପରେ ଶିବସେନା, କଂଗ୍ରେସ ଓ ଏନସିପି ମିଶି ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ଗଠନ କରିଥିଲେ। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଏହି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଢ଼ିଥିଲା। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ସରକାର ଚାଲିଆସୁଛି। ଏହାକୁ ଭାଙ୍ଗିବାକୁ ବିଜେପି ‘ଅପରେସନ କମଲ୍’ ନାମରେ ପ୍ରୟାସ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇନି।

Comment