ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଫାଇନାନ୍ସ କମ୍ପାନିରୁ ସୁନା ଲୁଟ୍‌ ଘଟଣାରେ କମ୍ପାନିର ଜଣେ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ ଥିଲେ।

କଟକ ଫାଇନାନ୍ସ କମ୍ପାନି ସୁନା ଗହଣା ଲୁଟ୍‌ ଘଟଣାରେ କମିସନରେଟ ପୋଲିସକୁ ମିଳିଛି ସଫଳତା। ଲୁଟ୍‌ର ୬ ଦିନ ପରେ ପୋଲିସ ଲୁଟେରାମାନଙ୍କୁ କାବୁ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ ସଂପୃକ୍ତ କମ୍ପାନିର ଜଣେ କର୍ମଚାରୀ ବୋଲି ମଙ୍ଗଳବାର ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ନାଁ ହେଉଛି ଲାଲା ଅମ୍ରିତ ରାୟ।

cuttack loot 1ଛଅ ଦିନରେ ହେଲା ପର୍ଦ୍ଦାଫାସ୍

ଫାଇନାନ୍ସ କମ୍ପାନିରୁ ଲୁଟ୍‌ ହେବାର ୬ଦିନ ଭିତରେ କମିସନରେଟ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ମୋଟ୍ ୪ଜଣ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେମାନଙ୍କଠାରୁ ୨ କେଜି ସୁନା ଏବଂ ୨ଟି ବାଇକ ଜବତ ହୋଇଛି।

କେମିତି ହୋଇଥିଲା ଲୁଟ୍

ନଭେମ୍ଵର ୧୯ ତାରିଖ ଗୁରୁବାର, ସମୟ ସକାଳ ପ୍ରାୟ ୯ଟା ୫୫। କଟକର ଜନଗହଳିପୂର୍ଣ୍ଣ ନୟାସଡ଼କ ଅଞ୍ଚଳ। ହଠାତ୍ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଧସେଇ ପଶିଲେ ସୁନା ବନ୍ଧକ ରଖି ଋଣ ଦେଉଥିବା ଆଇଆଇଏଫ୍ଏଲ୍ ଫାଇନାନ୍ସ ଶାଖାରେ। ସମସ୍ତଙ୍କ ହାତରେ ଥାଏ ମାଉଜର୍। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ସଂସ୍ଥାର ସୁରକ୍ଷା କର୍ମୀଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରାଇ ଏକ ରୁମ୍‌ରେ ଅଟକ ରଖିଲେ। ସବୁ କର୍ମଚାରୀଙ୍କ ହାତରୁ ନେଇଗଲେ ମୋବାଇଲ୍ ଫୋନ୍। ଶାଖା ପରିଚାଳକଙ୍କଠାରୁ ଛଡ଼ାଇନେଲେ ଲକର୍ ରୁମ୍ ଚାବି। ପରେ ଜଣେ କର୍ମାଚାରୀ ଲକର୍ ଖୋଲି ସେଠାରେ ଥିବା ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କାକୁ ଦୁର୍ବୃତ୍ତମାନଙ୍କୁ ଦେଇଥିଲେ। ଦୁଇଟି ବ୍ୟାଗ୍‌ରେ ସମସ୍ତ ସୁନା ଏବଂ ଟଙ୍କାକୁ ଭର୍ତ୍ତି କରି ସେମାନେ ଫେରାର୍ ହୋଇଥିଲେ। ଏସବୁ ଘଟିଗଲା ମାତ୍ର ୯ରୁ ୧୦ ମିନିଟ୍ ଭିତରେ। ଗଲାବେଳକୁ ଶାଖାର ମେନ୍ ଗେଟ୍‌କୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଦ କରିଦେଇ ଯାଇଥିଲେ।ସୁରକ୍ଷା ବ୍ୟବସ୍ଥା ଅକାମୀ

ଲୁଟ୍‌ ବେଳେ ଫାଇନାନ୍ସ ସଂସ୍ଥାର ସମସ୍ତ ସୁରକ୍ଷା ବ୍ୟବସ୍ଥା ଅକାମୀ ଥିଲା। ସିସିଟିଭି, ଆଲାର୍ମ, ଡିଜିଟାଲ ଲକର୍‌ କୌଣସିଟି ମଧ୍ୟ କାମ କରୁ ନଥିଲା। ଗତ ଜାନୁଆରି ମାସରୁ ସଂସ୍ଥାର ଡିଜିଟାଲ ଲକର୍‌ ଖରାପ ହୋଇ ପଡ଼ିଥିଲା। ଏପରିକି ଘଟଣା ଦିନ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଛୁଟିରେ ଥିଲେ। ଯଦି ସିସିଟିଭି ଠିକ୍ ଥାନ୍ତା ତେବେ ମୁମ୍ଵାଇସ୍ଥିତ ଆଇଆଇଏଫ୍‌ଏଲ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଲୁଟ୍‌ ବେଳର ଦୃଶ୍ୟ ରେକର୍ଡ କରାଯାଇ ପାରିଥାନ୍ତା।ଘର ଢିଙ୍କି ହେଲା କୁମ୍ଭୀର

ଫାଇନାନ୍ସ କମ୍ପାନି ଲୁଟ୍‌ ଘଟଣାର ମୁଖ୍ୟ ସୂତ୍ରଧର ଥିଲେ ସେହି କମ୍ପାନିର ଜଣେ କର୍ମଚାରୀ ଲାଲା ଅମ୍ରିତ ରାୟ। ଲାଲାର ଇସାରାରେ ତାର ୫ଜଣ ସାଙ୍ଗ ମିଶି ଏହି ଘଟଣା ଘଟାଇଥିବା ପୋଲିସ କମିସନର ସୂଚନା ଦେଇଛନ୍ତି। କମିସନରଙ୍କ କହିବା ଅନୁସାରେ କିଶନନଗର ଥାନା ବିଶ୍ଵନାଥପୁର ଅଞ୍ଚଳରେ ଲାଲା ଅମ୍ଵିତର ଘର। ଅମ୍ଵିତ ଏହି କମ୍ପାନିରେ ୫ବର୍ଷ ହେବ କାମ କରୁଛି। ତା ନାଁରେ ପୂର୍ବରୁ ଅନେକ ହେରଫେର କରିବାର ଅଭିଯୋଗ ରହିଛି। କିନ୍ତୁ ଯେକୌଣସି ମତେ ପୂର୍ବରୁ ଥିବା ଅଡିଟରମାନଙ୍କଠାରୁ ଅମ୍ରିତ ବଞ୍ଚିଯାଏ। ଏବେ ନୂଆକରି ସଂସ୍ଥାରେ ଯୋଗଦେଇଥିବା ଅଡିଟରଙ୍କ ପାଖରେ ଅମ୍ରିତ ଧରାପଡ଼ିଯିବାର ସମ୍ଭାବନା ଥିବାରୁ ସେ ଏହି କାଣ୍ଡ ଘଟାଇଛି।

ଘଟଣା ଦିନ ୪ଜଣ ଲୁଟ୍‌ କରିବାକୁ ଆସିଥିବା ବେଳେ ଅନ୍ୟ ଜଣେ ପୁରା ଲୁଟ୍‌କୁ ପରିଚାଳନା କରିଥିବା ପୋଲିସ କମିସନର କହିଛନ୍ତି। ୪ ଦୁର୍ବୃତ୍ତମାନେ ହେଲେ କିଶନନଗର ଥାନା ବିଶ୍ଵନାଥପୁର ଅଞ୍ଚଳର ପ୍ରକାଶ ସାହୁ, ପ୍ରଦୀପ୍ତ ବେହେରା, ରାଜକିଶୋର ସାହୁ ଏବଂ ବହୁଗ୍ରାମ ଅଞ୍ଚଳର ସନ୍ତୋଷ ବେହେରା। ପଞ୍ଚମ ବ୍ୟକ୍ତି ଜଣକ ହେଲେ ଲାଲା ଅମ୍ରିତର ସାଙ୍ଗ ରଞ୍ଜନ ବେହେରା। ଅମ୍ରିତ ଏବଂ ରଞ୍ଜନ ପିଲାବେଳୁ ସାଙ୍ଗ। ଏପରିକି ଅମ୍ରିତର ଭାଇ ଲାଲା ରଞ୍ଜନ ରାୟ ମଧ୍ୟ ସୁନା ହେରଫେର ଘଟଣାର ପୁରୁଣା ଖିଲାଡ଼ି। ସେ କିଛିବର୍ଷ ତଳେ କଟକ ମଙ୍ଗଳାବାଗସ୍ଥିତ ମଣପୁରମ ସଂସ୍ଥାରୁ ଏକ କେଜି ସୁନା ହେରଫେର କରି ଗିରଫ ହୋଇଥିଲା। ଏହି ଘଟମାରେ ଅମ୍ରିତ ବି ଜଡ଼ିତ ଥିଲା। କିନ୍ତୁ ଅମ୍ରିତକୁ ଜାମିନ ମିଳିଯାଇଥିଲା।

ଲୁଟ୍‌ର ପର୍ଦ୍ଦାଫାସ୍ ପାଇଁ ସ୍ଵତନ୍ତ୍ର ଟିମ୍

ଏହି ଘଟଣାକୁ ସମାଧାନ କରିବାରେ ସମିସନରେଟ ପୋଲିସର ଅନେକ ଦକ୍ଷ କର୍ମଚାରୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଆଡିସନାଲ ଡିସିପି ପ୍ରମୋଦ ରଥ, ଏସିପି ସୁବନାରାୟଣ ମୁଦୁଲି, ଏସିପି ଅମରେନ୍ଦ୍ର ପଣ୍ଡା, ଇନ୍‌ପ୍ସେକ୍ଟର ଅଜୟ ଦାସ, ଇନ୍‌ପ୍ସେକ୍ଟର ତାପସ ପ୍ରଧାନ, ରଶ୍ମିରଞ୍ଜନ ମହାପାତ୍ର, ରବୀନ୍ଦ୍ରନାଥ ମେହେର, ବିରଞ୍ଚି ପତି, ରଶ୍ମିରଞ୍ଜନ ସାହୁ, କନେଷ୍ଟବଳ ଫିରୋଜ ରାଉତ, କନେଷ୍ଟବଳ ସାଜନ ଜେନା, ଏଏସ୍‌ଆଇ ଅବିନାଶ ରାଉତ ଏବଂ ଅନ୍ୟ କର୍ମଚାରୀ। ଏହି ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ କର୍ମନିଷ୍ଠ ତଦନ୍ତ ପରେ ଡକାୟତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Comment