ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିପାରନ୍ତି ଭାରତୀୟ କ୍ରିକେଟର ରୋହିତ ଶର୍ମା ଓ ଇଶାନ୍ତ ଶର୍ମା। ଆହତ ଜନିତ ସମସ୍ୟାରୁ ଏହି ଦୁଇ କ୍ରିକେଟର ଏଯାବତ ମୁକୁଳିନଥିବାରୁ ସେମାନେ ଆଗାମୀ ଟେଷ୍ଟ ସିରିଜ୍ ଖେଳିବା ଉପରେ ଆଶଙ୍କା ଦେଖାଦେଇଛି।

ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ଚଳିତ ବର୍ଷ ଆଇପିଏଲ୍ ଖେଳୁଥିବା ସମୟରେ ଆହତ ହୋଇଥିଲେ। ତେଣୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସାମିଲ କରାଯାଇନଥିଲା। ଏହାକୁ ନେଇ ବିବାଦ ଦେଖାଯିବା ପରେ ବିସିସିଆଇ ଏହି ଦୁଇ କ୍ରିକେଟରଙ୍କୁ ଟେଷ୍ଟ ଦଳରେ ସାମିଲ କରିଥିଲା।

ଆଇପିଏଲ୍ ସରିବା ପରେ ରୋହିତ ଓ ଇଶାନ୍ତ ବେଙ୍ଗାଳୁରୁ ଆସି ଜାତୀୟ କ୍ରିକେଟ୍ ଏକାଡେମୀରେ ଅଭ୍ୟାସ ଚଳାଇଛନ୍ତି। ହେଲେ ଏଯାବତ ଦୁହେଁ ଆହତ ସମସ୍ୟାରୁ ମୁକୁଳି ପାରିନଥିବା ସୂଚନା ରହିଛି। ତେଣୁ ସେମାନେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିପାରିବେ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହାପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଏହାକୁ ନେଇ ନିଜର ଟିପ୍ପଣୀ ରଖିସାରିଛନ୍ତି। ସେ କହିଛନ୍ତି ଯେ, ଯଦି ଆଗାମୀ ତିନି ଚାରି ଦିନ ଭିତରେ ଏହି ଦୁଇ କ୍ରିକେଟର ଅଷ୍ଟ୍ରେଲିଆ ନଆସନ୍ତି, ତେବେ ସେମାନେ ଟେଷ୍ଟ ସିରିଜ୍ ଖେଳିବା ମୁସ୍କିଲ ହୋଇଯିବ। କରୋନା କାଳରେ ଏହି ସିରିଜ୍ ହେଉଥିବାରୁ ଏଥିପାଇଁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଯଦି ଏହି କ୍ରିକେଟର ଯଥାଶୀଘ୍ର ଫିଟ୍ ନହୁଅନ୍ତି ତେବେ ସେମାନେ ଟେଷ୍ଟ ସ୍କ୍ୱାର୍ଡରେ ସାମିଲ୍ ହୋଇପାରିବେନି ବୋଲି ସେ କହିଛନ୍ତି।

ନଭେମ୍ବର ୨୭ରୁ ଭାରତ ଓ ଅଷ୍ଟ୍ରେଲିଆ ଭିତରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେଉଛି। ଦୁଇ ଦଳ ପ୍ରଥମେ ତିନୋଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ। ଏହାପରେ ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଆଡିଲେଡରେ ଦିବାରାତ୍ର ଭାବେ ଖେଳାଯିବା ପରେ ଦ୍ୱିତୀୟ ମ୍ୟାଚ୍ ମେଲବୋର୍ଣ୍ଣ, ତୃତୀୟ ମ୍ୟାଚ ସିଡନୀ ଓ ଚତୁର୍ଥ ମ୍ୟାଚ ବ୍ରିସବେନରେ ଖେଳାଯିବ।

Comment