ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜୟପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ମୁଖ୍ୟ ଟ୍ରାଫିକ ଛକ ନିକଟରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକର ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ ସହ ଗାଡ଼ି ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି।

ଏହି ଧର୍ମଘଟକୁ  ଜୟପୁରର ୧୦ରୁ ଅଧିକ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍, ବାମପନ୍ଥୀ ଦଳ, କୋରାପୁଟ ଜିଲା କଂଗ୍ରେସ କମିଟି ପ୍ରମୁଖ ସମର୍ଥନ ଜଣାଇଥିଲେ। କୋରାପୁଟ କୃଷକ କଲ୍ୟାଣ ମଞ୍ଚ ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଜୟପୁରରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଚାଷୀମାନେ ବ୍ୟାନର ଧରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ।ଅନ୍ୟପଟେ ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ଧାରଣା ଦେଇଥିଲେ। ଏହି ଧାରଣାରେ ନିହାର ବିଶୋଇ, ମହିଳା ଜିଲ୍ଲା ସଭାନେତ୍ରୀ ନଳିନି ରଥ, ହସନ ମଦାନି, ଦୁର୍ଗା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ଆସୋସିଏସନ ତରଫରୁ ବିକ୍ଷୋଭ କରାଯାଇଥିଲା।ବ୍ୟାଙ୍କ କର୍ମଚାରୀ ଆସୋସିଏସନର ସଭାପତି ଦିଗାମ୍ବର ନାୟକ, ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ, ସମ୍ପାଦକ ମନୋଜ କୁମାର ଦାସ, କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ପ୍ରଧାନ, ଉପସଭାପତି ଅଶୋକ ରଥ, କୋଷାଧ୍ୟକ୍ଷ ଗୋଲକ ବିହାରୀ ପାଇକରାୟଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୨୪ଟି ଶାଖା ବ୍ୟାଙ୍କର ୧୧୦ ଜଣ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ଦାବିକୁ ପୂରଣ କରାନଗଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ଏଥିପାଇଁ ସରକାର ଓ ବିଭାଗୀୟ ଅଧିକାରୀମାନେ ଦାୟୀ ରହିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ପ୍ରମୋଦ ମହାନ୍ତି, ଯୁଧିଷ୍ଠିର ରାଉଳ ପ୍ରମୁଖ ନେତୃ‌ତ୍ୱ ନେଇ ବନ୍ଦକୁ ସଫଳ କରିଥିବା ସୂଚନା ମିଳିଛି।

Comment