ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏଯାବତ୍ ମିଳିଛି ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା
  • ଜବତ ହୋଇଛି ଅଡି କାର

କଟକ: କଟକ ନୟାସଡ଼କସ୍ଥିତ ଫାଇନାନ୍ସ ସଂସ୍ଥା ଆଇଆଇଏଫ୍‌ଏଲ୍ (ଇଣ୍ଡିଆନ୍ ଇନ୍‌ଫୋଲାଇନ୍ ଲିମିଟେଡ୍‌) ଡକାୟତି ଘଟଣାରେ ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାଜଣକ ପୁରୀଘାଟ ଥାନା ଅନ୍ତର୍ଗତ ଭଗତପୁର ଅଞ୍ଚଳର ନିଳିମା ଲେଙ୍କା ବୋଲି ଜଣାପଡ଼ିଛି। ଡକାୟତିର ମାଷ୍ଟର୍‌ମାଇଣ୍ଡ୍ ଅମ୍ରିତ ରାଏ ସହ ମିଶି ନିଳିମା ଏଭଳି କାରନାମାକୁ ରୂପ ଦେଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସଂସ୍ଥାର ଦୁଇ ଜଣ କର୍ମଚାରୀ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିବା ପରେ ପୋଲିସର ସନ୍ଦେହ ଆହୁରି ବଢ଼ିବାରେ ଲାଗିଛି। ଫଳରେ ସମ୍ପୃକ୍ତ ଫାଇନାନ୍ସ ସଂସ୍ଥାର ଏକାଧିକ କର୍ମଚାରୀ ପୋଲିସର ରାଡାରରେ ଅଛନ୍ତି। ଅନ୍ୟପଟେ ମଙ୍ଗଳବାରଠାରୁ ଅଟକ ଥିବା ୭ ଅଭିଯୁକ୍ତମାନଙ୍କୁ ପୋଲିସ ଗତକାଲି ଗିରଫ ଦର୍ଶାଇବା ସହ କୋର୍ଟ ଚାଲାଣ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ମର୍କତନଗର ଅଞ୍ଚଳରେ ରହୁଥିବା ଉମାଚରଣ ରାଏଙ୍କ ପୁଅ ଲାଲା ଅମ୍ରିତ ସାଗର ରାଏ(୩୫), ପୁରୀଘାଟ ଥାନା ଭଗତପୁର ଅଞ୍ଚଳର ମହିଳା କର୍ମଚାରୀ ନିଳିମା ଲେଙ୍କା(୩୪), କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳର ବାପି ଓରଫ ରଞ୍ଜନ ବେହେରା (୩୬), ରାଜକିଶୋର ସାହୁ, ପବିତ୍ର ବେହେରା, ପ୍ରକାଶ ସାହୁ(୨୮) ଏବଂ ଜଗତପୁର ଥାନା ବହୁଗ୍ରାମ ଅଞ୍ଚଳର ବାପି ଓରଫ ସନ୍ତୋଷ ଭୋଇ(୩୫)।ଅଭିଯୁକ୍ତମାନଙ୍କଠାରୁ ପୋଲିସ ପ୍ରାୟ ୩ କେଜି ଓଜନର ସୁନା ଗହଣା, ଏକ ଅଡି କାର, ବୁଲେଟ୍‌, ପଲ୍‌ସର୍ ବାଇକ୍‌, ହୋଣ୍ଡା ଡ୍ରିମ୍ ୟୋଗା ବାଇକ୍‌, ମୋବାଇଲ୍ ଫୋନ୍‌, ପ୍ଲାଷ୍ଟିକ୍ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ଆହୁରି ଅଧିକ ଖୋଳତାଡ଼ କରି ଡକାୟତି ହୋଇଥିବା ସୁନାଗହଣା, ଟଙ୍କାପଇସା ଆଦିର ସନ୍ଧାନ ଲାଗି ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡାରେ ଆଣିବା ପାଇଁ ନିଷ୍ପତ୍ତି ନେଇଥିବା ଡିସିପି ଶ୍ରୀ ସିଂ କହିଛନ୍ତି।

ଆଇଆଇଏଫ୍‌ଏଲ୍ ଡକାୟତି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଧରାପଡ଼ିଥିଲେ  ହେଁ ଏଥିରେ ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ବ୍ରାଞ୍ଚ୍‌ରୁ ଡକାୟତି ହୋଇଥିବା ଏବଂ ଚୋରି ହୋଇଥିବା ସୁନାଗହଣା ମଧ୍ୟରୁ ଏଯାବତ ୩ କିଲୋ ଜବତ ହୋଇଥିବା ବେଳେ ଆହୁରି ବହୁ ପରିମାଣର ସୁନା ଅଭିଯୁକ୍ତମାନେ ଲୁଚାଇ ରଖିଥିବାର ପୋଲିସ ଜାଣିବାକୁ ପାଇଛି। ବ୍ରାଞ୍ଚ୍‌ରେ ଗଚ୍ଛିତ ଥିବା ସୁନା ଏବଂ ଟଙ୍କାର ବାସ୍ତବିକ ତଥ୍ୟ ଜାଣିବା ପାଇଁ କମିସନରେଟ୍ ପୋଲିସ ଏବେ ଆଇଆଇଏଫ୍‌ଏଲ୍ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ବରିଷ୍ଠ ଅଧିକାରୀଙ୍କ ସହଯୋଗ ଲୋଡ଼ିଛି।ଏହି ଫାଇନାନ୍ସ ସଂସ୍ଥାରେ ବହୁ ଜାଲିଆତି ହୋଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଜାଲିଆତି ଓ ଚୋରିରେ ଉକ୍ତ ଫାଇନାନ୍ସ ସଂସ୍ଥାରେ କୋଟି କୋଟି ଟଙ୍କା ସୁନା ହଡ଼ପ ହୋଇଥିବା ପୋଲିସ କହିଛି। ମାଷ୍ଟର୍‌ମାଇଣ୍ଡ୍ ଲାଲା ଅମୃତ ସାଗର ରାଏକୁ ସବୁ କ୍ଷେତ୍ରରେ ମହିଳା କର୍ମଚାରୀ ନିଳିମା ରାଏ ସହଯୋଗ କରୁଥିଲେ। ବ୍ରାଞ୍ଚ୍‌ର ଲକର ଚାବି ସମ୍ପୃକ୍ତ ଦୁଇ କର୍ମଚାରୀମାନଙ୍କ ପାଖରେ ଥିବାରୁ ସେମାନେ ମନଇଚ୍ଛା ବିଭିନ୍ନ ସମୟରେ ଲକରରୁ ସୁନା ନେଉଥିଲେ। ଅଭିଯୁକ୍ତ ଲାଲା ଆଇଆଇଏଫ୍‌ଏଲ୍ ଲକରରୁ ସୁନା ଏବଂ ଲକ୍ଷାଧିକ ଟଙ୍କା ନେଇ ବିଭିନ୍ନ ଆଡ଼େ ବିନିଯୋଗ କରିଛି। ତା’ର କିଛି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ପୋଲିସ ନଜରରେ ପଡ଼ିଛି, ଯେଉଁଥିଲେ ଲକ୍ଷାଧିକ ଟଙ୍କା ଜମା ଥିବା ପୋଲିସ ଜାଣିବାକୁ ପାଇଛି।

Comment