ଓଡ଼ିଶାଲାଇଭ୍ ବ୍ୟୁରୋ

  • ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ
  • ଅନ୍ୟ ଏକ ଫାଇନାନ୍ସ ସଂସ୍ଥାର ମ୍ୟାନେଜର୍ ଗିରଫ

କଟକ: ଆଇଆଇଏଫ୍‌ଏଲ୍ ଡକାୟତି ଘଟଣାରେ ଏବେ ସୁଦ୍ଧା ୧୦ କିଲୋଗ୍ରାମ ସୁନା ଜବତ ହେଲାଣି। ଅନ୍ୟପଟେ ଏହି ସଂସ୍ଥାରୁ ହେରଫେର ହୋଇଥିବା ସୁନାକୁ ମାନ୍ନାପୁରମ ଫାଇନାନ୍ସ ସଂସ୍ଥାରେ ରଖାଯାଇଥିବା ପୋଲିସ ଜାଣିବା ପରେ ସଂସ୍ଥାର ବଜ୍ରକବାଟି ରୋଡ୍ ଶାଖା ପରିଚାଳକ ପୀତାମ୍ବର ସାହୁଙ୍କୁ ଗିରଫ କରିଛି।

ଲୁଟ୍ ଘଟଣାରେ ଗିରଫ ହୋଇଥିବା ୭ ଜଣଙ୍କୁ ପୋଲିସ ବୁଧବାର କୋର୍ଟଚାଲାଣ କରିଥିଲା। ପରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ରିମାଣ୍ଡରେ ଆଣିଛି ପୋଲିସ। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ଲାଲା ଅମୃତ ସାଗର ରାଏ, ବାପି ଓରଫ ସନ୍ତୋଷ ଭୋଇ, ବିଜୁ ଓରଫ ପ୍ରକାଶ କୁମାର ସାହୁ, ପଦିଆ ଓରଫ ପବିତ୍ର କୁମାର ବେହେରା ଓ ରାଜୁ ଓରଫ ରାଜକିଶୋର ସାହୁଙ୍କର ୩ ଦିନିଆ ରିମାଣ୍ଡରେ ଆଣି ପୋଲିସ ଗତକାଲି ଲୁଟ୍‌ର ଡେମୋ କରାଇଥିଲା।ପ୍ରଥମେ ଅଭିଯୁକ୍ତଙ୍କୁ ନୟାସଡ଼କ ସ୍ଥିତ ଆଇଆଇଏଫ୍‌ଏଲ୍ ସଂସ୍ଥା ପାଖକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ନିଜର ବାଇକ୍ କେଉଁଠି ରଖିଥିଲେ ତାହା ଦେଖାଇଥିଲେ। ଏହା ପରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଅମୃତ ସାଗର ରାଏ ଶାଖା ଭିତରେ ପ୍ରବେଶ କରିଥିଲେ। ଅନ୍ୟ କର୍ମଚାରୀ କେଉଁଠି ଥିଲେ ଓ ସେ କେଉଁଠି ଥିଲେ ତାହା କହିଥିଲେ। ପରେ ଡକାୟତ ବେଶରେ ଯାଇଥିବା ଅନ୍ୟ ୪ ଅଭିଯୁକ୍ତ ଭିତରକୁ ପଶିଥିଲେ। ବନ୍ଧୁକ ଓ ମାରଣାସ୍ତ୍ର ଧରି ସେମାନେ କିପରି ଭୟଭୀତ କଲେ ଓ ପରେ ଅମୃତ ସାଗର ଏବଂ ନିଳିମା କିପରି ଲକର ଚାବି ଖୋଲିଥିଲେ ତାହାକୁ ଡେମୋ କରି ଦେଖାଇଲେ।

ତେବେ ଅମୃତ ସାଗରଙ୍କ ନିର୍ଦ୍ଦେଶ ମୁତାବକ ସେମାନେ ଅଳ୍ପ କିଛି ସୁନା ଉକ୍ତ ଲକରରେ ଛାଡ଼ିଥିଲେ ବୋଲି ସୂଚନା ଦେଇଛନ୍ତି। ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ସେହି ଶାଖାରେ ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟକୁ ସେମାନେ ପୁଣି ଥରେ କରି ଦେଖାଇବା ସହ ଅତି ସହଜରେ ସେମାନେ ଖସି ଆସିଥିବା ପ୍ରକାଶ କରିଥିଲେ। ଶାଖାରୁ ବାହାରିବା ପରେ ଲୁଟେରାମାନେ କିପରି ଗଳି ଭିତରେ ପଶି ପରେ ହାଇକୋର୍ଟ ଛକ ହୋଇ ଡିପିଓ ଗଡ଼ା ପାଖରେ ରିଂ ବନ୍ଧକୁ ଉଠିଲେ ତାହା ମଧ୍ୟ ଦେଖାଇଥିଲେ।

ଅନ୍ୟପଟେ ଫାଇନାନ୍ସ ସଂସ୍ଥାରୁ ହୋଇଥିବା ସୁନା ହେରଫେର ତଦନ୍ତରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଲାଲା ଅମୃତ ସାଗର ନିଜ ଶାଖାରୁ ସୁନାକୁ କାଢ଼ି ନେଇ ସହରରେ ଥିବା ଅନ୍ୟ ଏକ ସୁନା ବନ୍ଧକ ଫାଇନାନ୍ସ ସଂସ୍ଥା ମାନ୍ନାପୁରମ ଗୋଲ୍ଡର ବଜ୍ରକବାଟି ରୋଡ୍ ଶାଖାରେ ରଖୁଥିଲେ। ଏହି ଶାଖାରେ ପୀତାମ୍ବର ସାହୁ ମ୍ୟାନେଜର ଅଛନ୍ତି। ଲାଲା ଅମୃତ ସାଗର ଯେଉଁ ସୁନା ଦେଉଥିଲେ ତାହାକୁ ଏକାଧିକ ନକଲି ଆକାଉଣ୍ଟ୍ କରି ପୀତାମ୍ବର ସାହୁ ତାଙ୍କ ଶାଖାରେ ବନ୍ଧକ ରଖୁଥିଲେ।ଏହି ବନ୍ଧକ ଋଣ ବଦଳରେ ସେ ଅମୃତ ରାଏକୁ ନଗଦ ଟଙ୍କା ଦେଉଥିଲେ। ଏହି ଫେକ୍ ଆକାଉଣ୍ଟଗୁଡ଼ିକ ମଧ୍ୟରୁ କିଛି ଆକାଉଣ୍ଟ ଆଇଆଇଏଫ୍‌ଏଲ୍ ସଂସ୍ଥାର କର୍ମଚାରୀ ଓ ତାଙ୍କ ସମ୍ପର୍କୀୟଙ୍କର ବୋଲି ପୋଲିସ ଜାଣିବାକୁ ପାଇଛି। ଏପରିକି ଗୋଟିଏ ଗୋଟିଏ ନକଲି ଆକାଉଣ୍ଟରେ ଅଧ କେଜିରୁ ଅଧିକ ସୁନା ରହିଥିବା ପୋଲିସ ଜାଣିବାକୁ ପାଇଛି। ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଲାଲା ଅମୃତ ସାଗର ଏହି ସବୁ ସୁନା ତାଙ୍କ ନିଜ ଶାଖାରୁ ହେରଫେର କରି ଆଣି ଅନ୍ୟ ଶାଖାରେ ରଖୁଥିବା ବିଷୟ ପରିଚାଳକ ପୀତାମ୍ବର ସାହୁ ଜାଣିଥିଲେ।

ଏପରିକି ସେ ମଧ୍ୟ କମିସନ ବାବଦରେ କିଛି ଟଙ୍କା ଲାଲା ଅମୃତ ସାଗରଙ୍କଠାରୁ ନେଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଏପରିକି ପୀତାମ୍ବର ତାଙ୍କ ଶାଖାରେ ପ୍ରଚୁର ମାତ୍ରାରେ ହେରଫେର ସୁନା ରଖିଥିବା ତଦନ୍ତରୁ ଜଣାପଡ଼ିଛି। ପରେ ଏହି ହେରଫେର ସୁନାରୁ ପ୍ରାୟ ୫ କେଜି ସୁନା କଟକ ପୋଲିସ ଜବତ କରିଛି। ଏହି ଆଧାରରେ ଗତ ମଙ୍ଗଳବାର ରାତିରେ ପୋଲିସ ପୀତାମ୍ବରଙ୍କୁ ତାଙ୍କ ଆଲାମଚନ୍ଦ ବଜାର ଘରୁ ଉଠାଇ ଆଣି ଜେରା କରୁଥିଲା। ପୀତାମ୍ବରଙ୍କର ବୁଧବାର ବାହାଘର ଥିଲା। ତେବେ ବାହାଘରରେ ବର ବେଶରେ ଆସିବା ପୂର୍ବରୁ ପୋଲିସ ତାଙ୍କୁ ଉଠାଇ ନେଇଥିବା ପରିବାର ଲୋକ କହିଛନ୍ତି।

ପୀତାମ୍ବର ଚାଉଳିଆଗଞ୍ଜ ଥାନା ଅଞ୍ଚଳର ଜଣେ ଝିଅକୁ ବିବାହ କରିଥାନ୍ତେ ବୋଲି ସୂଚନା ମିଳିଛି। ଗୁରୁବାର ସନ୍ଧ୍ୟାରେ ପୀତାମ୍ବରଙ୍କୁ ଲାଲ୍‌ବାଗ ଥାନା ପୋଲିସ କୋର୍ଟ ଚାଲାଣ କରିଛି। ସେହିପରି ଚୌଧୁରୀବଜାରରେ ଥିବା ଅନ୍ୟ ଏକ ସୁନା ବନ୍ଧକ ରଖିବା ସଂସ୍ଥାର ଶାଖାରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରୁଥିବା ଜଣାପଡ଼ିଛି। ଲାଲା ଅମୃତ ସାଗର ସେହି ଶାଖାରେ ମଧ୍ୟ କିଛି ହେରଫେର ସୁନାକୁ ବନ୍ଧକ ରଖିଥିବା ତଦନ୍ତରୁ ଜଣାପଡ଼ିବା ପରେ ଏଭଳି ଚଢ଼ାଉ ଜାରି ରହିଛି।

Comment