ଓଡ଼ିଶାଲାଇଭ୍ ବ୍ୟୁରୋ଼

ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହେଲେ ସୁଶୀଲ ମୋଦୀ।

ବିହାରରେ ହେବାକୁ ଥିବା ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦୀଙ୍କୁ ଦଳ ଏଥର ପ୍ରାର୍ଥୀ କରିଛି। ସେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ତାଙ୍କୁ  ମୋଦୀ କ୍ୟାବିନେଟରେ ମନ୍ତ୍ରୀପଦ ମିଳିପାରେ ବୋଲି ମଧ୍ୟ କୁହାଯାଉଛି।

ଶୁକ୍ରବାର ବିଜେପି ରାଜ୍ୟସଭା ଉପ ନିର୍ବାଚନ ପାଇଁ ସୁଶୀଲ ମୋଦୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆସନ୍ତା ୩ ଡିସେମ୍ବର ସୁଦ୍ଧା ସେ ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ତେବେ ସଂଖ୍ୟାବଳକୁ ଦେଖିଲେ ସେ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ଜଣାପଡୁଛି। ଯଦି ତାଙ୍କ ବିପକ୍ଷରେ ଅନ୍ୟ କେଉଁ ପାର୍ଟି କାହାକୁ ପ୍ରାର୍ଥୀ କରନ୍ତି, ତେବେ ଡିସେମ୍ବର ୧୪ ତାରିଖରେ ଏଥିପାଇଁ ଭୋଟିଂ ହେବ।ବିହାର ବିଧାନସଭା ନିର୍ବାଚନରେ ଏଥର ପୁଣି ଏନଡିଏ ମେଣ୍ଟ ବହୁମତ ହାସଲ କରିଥିଲା। ଯାହାପରେ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରନ୍ତୁ, ନୀତିଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ହୋଇନଥିଲେ ସୁଶୀଲ ମୋଦୀ। ତାଙ୍କ ବଦଳରେ ଦଳ ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ଏହାପରେ ସୁଶୀଲଙ୍କ ରାଜନୈତିକ କ୍ୟାରିୟର କ’ଣ ହେବ ସେନେଇ ଅନେକ ଆଲୋଚନା ଚାଲିଥିଲା।

ରାଜନୈତିକ ପଣ୍ଡିତମାନେ କହିଥିଲେ ଯେ, ଦଳ ତାଙ୍କୁ ରାଜ୍ୟସଭାକୁ ନେଇ କେନ୍ଦ୍ରରେ ମନ୍ତ୍ରୀପଦ ଦେଇପାରେ। ରାମବିଳାସ ପାଶୱାନଙ୍କ ବିୟୋଗ ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ସୁଶୀଲ ମୋଦୀ ପୂରଣ କରିବେ ବୋଲି କୁହାଯାଇଥିଲା। ଯାହା ଏବେ ସତ ହେବାକୁ ଯାଉଛି।ଏହାପୂର୍ବରୁ ଏଲଜେପି ନେତା ରାମ ବିଳାସ ପାଶୱାନ ଏହି ଆସନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ବିୟୋଗ ପରେ ଏହି ଆସନ ଏବେ ଖାଲିପଡ଼ିଛି। ଯେଉଁ କାରଣରୁ ଏଠାରେ ଉପ ନିର୍ବାଚନ ହେବାକୁ ଅଛି। ବିଧାନସଭା ନିର୍ବାଚନରେ ଏଲଜେପି ଏନଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିବାରୁ ଦଳ ସୁଶୀଲ ମୋଦୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି।ବିହାର ରାଜନୀତିରେ ସୁଶୀଲ ମୋଦୀ ଏକ ପରିଚିତ ନାଁ। ୧୯୯୬ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ଏହାପରେ ସେ ୨୦୦୪ ରେ ଭାଗଲପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୫ରେ ଯେତେବେଳେ ଏନଡିଏ ମେଣ୍ଟ ବିହାରରେ ଶାସନ କ୍ଷମତାକୁ ଆସିଥିଲା, ସେତେବେଳେ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରଠାରୁ ସେ ୨୦୨୦ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏନଡିଏ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଆସିଥିଲେ।

ଚଳିତ ନିର୍ବାଚନରେ ଏନଡିଏ ବହୁମତ ପାଇଥିଲେ ବି ସୁଶୀଲଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିନଥିଲା। ଏହାବଦଳରେ ଦଳ ତାଙ୍କୁ କ୍ୟାବିନେଟ୍ ପଦ ଦେବାକୁ ଚିନ୍ତା କରି ରାଜ୍ୟସଭା ପ୍ରାର୍ଥୀ କରିଥିବା କୁହାଯାଉଛି।

Comment