ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କଟକରୁ ପୁଣି ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ଚାଉଳିଆଗଞ୍ଜ ଥାନା ପୋଲିସ ଦୁଇଟି ସ୍ଥାନରେ ଚଢ଼ାଉ କରି ନକଲି ମସଲା କାରଖାନା ଓ ଅପମିଶ୍ରିତ ଘିଅ କାରଖାନା ଠାବ କରିଛି। ଏଥିସହ ଏହି ଦୁଇ କାରଖାନାକୁ ସିଲ୍ କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

କଟକର ଭଦିମୂଳ ଅଞ୍ଚଳରେ ଏକ ମସଲା ତିଆରି କାରଖାନା ରହିଛି। ଦୀର୍ଘ ଦିନ  ହେବ ଏହି କାରଖାନା ଚାଲୁଛି। ମାତ୍ର ସେହି କାରଖାନାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବା ବେଳେ ସେଠାରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଛି। ସେହିପରି ଚାଉଳିଆଗଞ୍ଜ ଥାନା ପୋଲିସ ଓ ସିଏମ୍‌ସି ମିଳିତ ଭାବେ ଏହି କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମସଲା ଜବତ କରିଛି। ସେହି ମସଲାରେ ଇଡ୍‌କଲ୍ ନାମକ କେମିକାଲ୍ ମିଶାଯାଉଥିବା ପୋଲିସ ଜାଣିବାକୁ ପାଇଛି।ଏହି କେମିକାଲ ସେବନ କରିବା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି। ଏହି କାରଖାନାର କଞ୍ଚାମାଲ୍ ଅନ୍ୟ ଏକ ସ୍ଥାନରେ ରହୁଥିବା ପୋଲିସ ଯାଞ୍ଚ୍ ବେଳେ ଜାଣିବାକୁ ପାଇଛି। ଏପରିକି ମସଲାର ପ୍ୟାକିଂରେ ଉପାଦାନ ଓ ଏକ୍ସପାରୀ ତାରିଖ ଉଲ୍ଲେଖ ନାହିଁ। ଏପରିକି ସେହି କାରଖାନାରେ ବିଭିନ୍ନ ଲୋଗା ଲଗାଇ ମସଲା ପ୍ୟାକିଂ କରାଯାଉଥିବା ଜଣାପଡ଼ିଛି। ଏଭଳି ନିମ୍ନମାନର ୫-୪ କ୍ୱିଣ୍ଟାଲ୍ ମସଲା ପୋଲିସ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୋଲିସ ଉକ୍ତ କାରଖାନାକୁ ସିଲ୍ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି।

ଅନ୍ୟପଟେ ଗତକାଲି ଅପରାହ୍ଣରେ ପୁଣି ଏକ ନକଲି କାରଖାନା ଉପରେ ଚଢ଼ାଉ ହୋଇଛି। ନୂଆବଜାର ମୁଖ୍ୟ ରାସ୍ତା କଡ଼ରେ ଏକ ଘରେ ଅପମିଶ୍ରିତ ଘିଅ କାରଖାନା ଚାଲିଥିବା ଖବର ପାଇ ପୋଲିସ ଓ ସିଏମ୍‌ସି ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରେ ପୂଜାରେ ବ୍ୟବହାର ହେଉଥିବା ଘିଅ ଓ ରାଶିତେଲ ଜବତ ହୋଇଥିଲା। ଏହି ଘିଅ ଓ ରାଶିତେଲ ଅପମିଶ୍ରିତ ଓ ନକଲି ବୋଲି ପୋଲିସ ଜାଣିବାକୁ ପାଇଥିଲା।ଏକ ପଞ୍ଜିକୃତ କମ୍ପାନିର ଲୋଗୋ ଲାଗିଥିବା ଡବାରେ ଏହି ଘିଅକୁ ପ୍ୟାକ୍ କରାଯାଇ ବଜାରକୁ ବିକ୍ରି ପାଇଁ ଛଡ଼ାଯାଉଥିବା ପୋଲିସ ଯାଞ୍ଚ୍ ବେଳେ ଜାଣିବାକୁ ପାଇଛି। ଏହି ଘିଅ ଓ ରାଶିତେଲକୁ ପୋଲିସ ଜବତ କରିଛି। ଜବତ ଜିନିଷର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ସେହିପରି ଘିଅରେ ମିଶାଯାଉଥିବା କେମିକାଲ୍ ମଧ୍ୟ ଜବତ ହୋଇଛି। ଶସ୍ତା ଘିଅକୁ ଆଣି ସେଥିରେ କେମିକାଲ୍ ମିଶାଇ ବିପୁଳ ପରିମାଣର ଅପମିଶ୍ରିତ ଘିଅ ବଜାରକୁ ବିକ୍ରି ହେବାକୁ ଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ମଧ୍ୟ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଛି।

ଗତକାଲି ଏହି ଚଢ଼ାଉ ସମୟରେ ଏସିପି ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ, ଏନ୍‌ଆର୍‌ଆର୍‌ଆଇ ଫାଣ୍ଡି ଅଫିସର ଦିଲ୍ଲୀପ ସାହୁ, ମହାନଦୀବିହାର ଫାଣ୍ଡି ଅଫିସର ଅଜୟ ବେହେରା, ସିଏମ୍‌ସିର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଫୁଡ୍ ସେଫ୍ଟି ଅଫିସର ଭଗବାନ ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ।

ଅନ୍ୟପଟେ ଗଲା ମାସେରୁ ଦେଢ଼ ମାସ ମଧ୍ୟରେ କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୮ଟି ନକଲି ବା ନିମ୍ନମାନର ଏବଂ ଅପମିଶ୍ରିତ ମସଲା ଓ ଘିଅ ତିଆରି କାରଖାନା ପୋଲିସ ଠାବ କରିସାରିଲାଣି। ସେଠାରୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ମସଲା ମଧ୍ୟ ଜବତ ହୋଇଛି। କଟକରେ ଲଗାତର ଭାବେ ନକଲି ସାମଗ୍ରୀ ବିକ୍ରି ହେବା ଘଟଣା ଚିନ୍ତା ସୃଷ୍ଟି କରିଛି।

Comment