ଓଡ଼ିଶାଲାଇଭ୍ ବ୍ୟୁରୋ

‘ଥିଲେ ଦିଅ ନଥିଲେ ନିଅ’ ଅଭିଯାନରେ ସାମିଲ ହୋଇ ଗରିବଙ୍କୁ ବସ୍ତ୍ର ଦାନ କରିବାକୁ ଜଣାଶୁଣା ଅଭିନେତା ଆକାଶ ଦାଶ ନାୟକ ଅନୁରୋଧ କରିଛନ୍ତି।

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପିନ୍ଧିବା ପାଇଁ ଭଲ ବସ୍ତ୍ର ଖଣ୍ଡେ କିଣିପାରନ୍ତି ନାହିଁ। ଶୀତଦିନେ ସେମାନଙ୍କର ସ୍ଥିତି ଆହୁରି ଦୟନୀୟ ହୋଇପଡ଼େ। ଏହିଭଳି ଅସହାୟ ଲୋକଙ୍କୁ ବସ୍ତ୍ର ଦାନ ପାଇଁ ଉଡ୍ର ପରିବାର ପକ୍ଷରୁ ପୁଣି ଥରେ ‘ଥିଲେ ଦିଅ ନଥିଲେ ନିଅ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କଠାରୁ ସଂଗୃହୀତ ପୁରୁଣା ଓ ନୂଆ ବସ୍ତ୍ରକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ଅଭିଯାନରେ ସାମିଲ ହୋଇ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜର ନୂଆ କିମ୍ବା ପୁରୁଣା ବସ୍ତ୍ର ଦାନ କରିପାରିବେ। ଓଡ଼ିଶା ଏବଂ ଓଡ଼ିଶା ବାହାରର ଲୋକ ମଧ୍ୟ ଏଥିରେ ସାମିଲ ହୋଇପାରିବେ। ଆସନ୍ତା ନଭେମ୍ବର ୩୦ ତାରିଖ ଅପରାହ୍ଣ ୪ଟାରେ ଭୁବନେଶ୍ଵର, ପାରାଦୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁନେ ଓ ହାଇଦ୍ରାବାଦରେ ଥିବା ଯେ କୌଣସି ପ୍ୟାରିସ୍ ବେକରି ଦୋକାନ ସାମ୍ନାରେ ରଖାଯାଇଥିବା ଉଡ୍ର ବ୍ଲେସିଂ ବାକ୍ସରେ ଲୋକମାନେ ବସ୍ତ୍ର ଦାନ କରିପାରିବେ। ଏହି ବସ୍ତ୍ରଗୁଡ଼ିକୁ ଓ୍ଵାସେକ୍ସ ହସ୍‌ପିଟାଲିଟି ସଲ୍ୟୁସନ୍ ଦ୍ଵାରା ସଫା କରାଯିବା ପରେ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟାଯିବ।

ଏହି ଅଭିଯାନ ସମ୍ପର୍କରେ ଅଭିନେତା ଆକାଶ ଦାସ ନାୟକ କହିଛନ୍ତି, “ଥିଲେ ଦିଅ ନଥିଲେ ନିଅ ଆନ୍ଦୋଳନର ପ୍ରବର୍ତ୍ତକ ବରିଷ୍ଠ ସମାଜସେବୀ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ଆମ ଉଡ୍ର ପରିବାର ତରଫରୁ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଲୋକମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷ ସାରା ଚଲେଇବା ପାଇଁ ଉଡ୍ର ପରିବାର ନିଷ୍ପତ୍ତି ନେଇଥିଲା। ଓଡ଼ିଶାରେ ଥିବା ସବୁ ପ୍ୟାରିସ ବେକରି ଆଉଟଲେଟ୍‌ ସାମ୍ନାରେ ଉଡ୍ର ବ୍ଲେସିଂ ବାକ୍ସ ରଖାଯାଇଥିଲା। ଲୋକଙ୍କର ବିପୁଳ ସମର୍ଥନ କ୍ରମେ ଆମକୁ ୧୫,୦୦୦ରୁ ଊର୍ଦ୍ଧ୍ଵ ନୂତନ ଓ ପୁରାତନ ବସ୍ତ୍ର ମିଳିଥିଲା ଯାହାକୁ ଆମେ ବିଭିନ୍ନ ସ୍ଥାନରେ ବାଣ୍ଟିଥିଲୁ।”

ଏହି ଅଭିଯାନରେ ସାମିଲ ହୋଇ ଗରିବ ଲୋକଙ୍କ ପାଇଁ ବସ୍ତ୍ର ଦାନ କରିବାକୁ ଆକାଶ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Comment