ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ଯୁବପିଢ଼ି ସରକାରୀ ଚାକିରିକୁ ବେଶୀ ଗୁରୁତ୍ଵ ଦେଉଥିବା ବେଳେ ଚାଷ କାମ ପ୍ରତି ବିମୁଖ ହେଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ଫିରୋଜାବାଦର ରବୀନ୍ଦ୍ର ପ୍ରତାପ ସିଂହ ସରକାରୀ ଚାକିରି ଛାଡ଼ି କୃଷିକୁ ଆଦରି ନେଇଛନ୍ତି। ଖାଲି ସେତିକି ନୁହେଁ, କାକ୍‌ଟସ୍ ଓ ଲେମ୍ବୁ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଫିରୋଜାବାଦ ଜିଲ୍ଲାର ଖେରଗଡ଼ ବ୍ଲକ୍ ଅନ୍ତର୍ଗତ ବଓ୍ଵାଇନ ଗାଁର ରବୀନ୍ଦ୍ର ୨୦୦୬ ମସିହାରେ ଶିକ୍ଷକ ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୨୦୧୭ରେ ସେ ଚାକିରି ଛାଡ଼ି ଚାଷ କାମ ଆରମ୍ଭ କଲେ।ରବୀନ୍ଦ୍ର ୧୦ ହଜାର ବର୍ଗ ଫୁଟ ଜମିରେ ଏକ ବଗିଚା ତିଆରି କରି ତାହାକୁ ଗ୍ରୀନ୍ ମ୍ୟୁଜିୟମ୍ ନାମରେ ନାମିତ କରିଛନ୍ତି। ଏହି ବଗିଚାରେ ଫଳ, ଫୁଲଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲଗାଇଛନ୍ତି। ତେବେ ଏହି ବଗିଚାର ସବୁଠୁ ଖାସ୍ ଜିନିଷ ହେଉଛି କାକ୍‌ଟସ୍। ନିଜ ଗ୍ରୀନ୍ ମ୍ୟୁଜିୟମ୍‌ରେ ରବୀନ୍ଦ୍ର ପାଖାପାଖି ଏକ ହଜାର ପ୍ରଜାତିର କାକ୍‌ଟସ୍ ଗଛ ଲଗାଇଛନ୍ତି। ଏଥିରେ ହଙ୍ଗେରୀ ଓ ହଂକଂରୁ ମଗେଇଥିବା କାକ୍‌ଟସ୍ ବି ରହିଛି। ରବୀନ୍ଦ୍ର ଷ୍ଟେପେଲିଆ, ହରନିୟା, ଆରବିୟା, ଅଗେବ, ଏଲୋବେରା ପରି କାକ୍‌ଟସ୍‌ ବିକ୍ରି କରି ବର୍ଷକୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଥାନ୍ତି।

ଏନେଇ ରବୀନ୍ଦ୍ର କହିଛନ୍ତି, “ଅନେକ ଲୋକ ଭାବନ୍ତି ଯେ କାକ୍‌ଟସ୍‌ କୌଣସି କାମରେ ଲାଗେ ନାହିଁ। କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ। କାକ୍‌ଟସ୍‌ର ଅନେକ ଔଷଧୀୟ ଗୁଣ ରହିଛି। ବିଶେଷକରି ଏହାକୁ ଶକ୍ତିବର୍ଦ୍ଧକ ଔଷଧ, ଡାଇବେଟିସ୍ ଆଦି ରୋଗର ଔଷଧ ବନେଇବାରେ ବ୍ୟବହାର କରାଯାଏ। ବର୍ତ୍ତମାନ ବଜାରରେ ଏହାର ବହୁତ ଚାହିଦା ରହିଛି।”

ତେବେ ଆଲୋବେରା କାକ୍‌ଟସ୍‌ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେଉଥିବାରୁ ଏହାର ବିଶେଷ ଚାହିଦା ଅଛି। ଏହାଛଡ଼ା ଡେକୋରେଟିଭ୍ କାକ୍‌ଟସ୍ ସବୁଠୁ ବେଶୀ ବିକ୍ରି ହୋଇଥାଏ ବୋଲି ରବୀନ୍ଦ୍ର କହିଛନ୍ତି।କାକ୍‌ଟସ୍ ବ୍ୟତୀତ ଏକ ଏକର ଜମିରେ ଲେମ୍ବୁ ଓ ଅଁଳା ଚାଷ କରୁଛନ୍ତି ରବୀନ୍ଦ୍ର। ଲେମ୍ବୁ ଓ ଅଁଳା ଚାଷ ବହୁତ ସହଜ ଏବଂ ଏଥିରେ କମ୍ କ୍ଷତି ହେଉଥିବା ରବୀନ୍ଦ୍ର କହିଛନ୍ତି। ଏଥିରୁ ମଧ୍ୟ ସେ ବର୍ଷକୁ ୨ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରନ୍ତି। ଲେମ୍ବୁ ଓ ଅଁଳାରେ ପ୍ରଚୁର ପରିମାଣର ଭିଟାମିନ୍ ‘ସି’ ରହିଥାଏ। ଏହାଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ କରୋନା ମହାମାରୀ ସମୟରେ ଲେମ୍ବୁ ଓ ଅଁଳା ବିକ୍ରି ଅଧିକ ହେଉଥିବା ରବୀନ୍ଦ୍ର ପ୍ରକାଶ କରିଛନ୍ତି।

ଚାଷ କାମ ଛଡ଼ା ରବୀନ୍ଦ୍ର ଲୋକମାନଙ୍କୁ ଗାର୍ଡେନିଂ ଟିପ୍ସ ମଧ୍ୟ ଦେଉଛନ୍ତି। ଏଥିପାଇଁ ‘ହୋମ୍‌ଗାର୍ଡେନ୍’ ନାମରେ ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଛନ୍ତି। ତେବେ ସ୍କୁଲଗୁଡ଼ିକରେ ପିଲାଙ୍କୁ ବଗିଚା କାମ କରିବା, ଗଛ ଲଗାଇବା ଆଦି ବିଷୟରେ ଶିକ୍ଷା ଦେବାକୁ ସେ ଗୁରୁତ୍ଵ ଦେଇଛନ୍ତି। ଏନେଇ ରବୀନ୍ଦ୍ର କହିଛନ୍ତି, “ଅନେକ ସରକାରୀ ସ୍କୁଲରେ ବିଜ୍ଞାନ ପ୍ରୟୋଗଶାଳା ରହିଛି, କିନ୍ତୁ କୃଷି ପ୍ରୟୋଗଶାଳା କିମ୍ବା ଉଦ୍ୟାନଟିଏ ନାହିଁ। ମୋ ବଗିଚାକୁ ସରକାରୀ ସ୍କୁଲ ପିଲାଙ୍କୁ ଆଣି ସେମାନଙ୍କୁ ବିଭିନ୍ନ ଗଛ ଓ ତାହାର ଉପଯୋଗିତା ବିଷୟରେ ବୁଝାଇଥାଏ। ଏହାଦ୍ଵାରା ସେମାନେ ପରିବେଶକୁ ଭଲପାଇବା ସହ ପରିବେଶ ସୁରକ୍ଷା ଦିଗରେ ଆଗ୍ରହୀ ହେବେ ବୋଲି ମୋର ଆଶା।”

ଚାଷ କରିବା ପାଇଁ ଧୈର୍ଯ୍ୟ ଦରକାର। ଗୋଟିଏ ରାତିରେ ଏଥିରେ ସଫଳତା ମିଳିପାରିବ ନାହିଁ। ତେଣୁ ଧୈର୍ଯ୍ୟ ସହକାରେ ଏବଂ ଦୃଢ଼ ନିଶ୍ଚିତ ହୋଇ ଚାଷ କାମ କଲେ ଜଣେ ନିଶ୍ଚିତ ସଫଳ ହୋଇପାରିବ ବୋଲି ରବୀନ୍ଦ୍ର କହିଛନ୍ତି।

Comment