ଓଡ଼ିଶାଲାଇଭ୍ ବ୍ୟୁରୋ
- ଆରମ୍ଭ ହେଲା କୋଣାର୍କ ଉତ୍ସବ ୨୦୨୦
- ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ୫ ଦିନ ବ୍ୟାପୀ ଚାଲିବ ନୃତ୍ୟ ଉତ୍ସବ
- ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟରେ ବିଭୋର ହେଲେ ଦର୍ଶକ
କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୫ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡ୍ରେ ଶୁଭ ଉଦ୍ଘାଟନ କରିଥିଲେ।
କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ମୁକ୍ତାକାଶ ମଞ୍ଚରେ ପ୍ରଥମ ପ୍ରସ୍ତୁତିକୁ ନେଇ ପ୍ରବେଶ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀଗଣ। ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବମ୍ ଧୀମହୀକୁ ନିଖୁଣଭାବେ ବାଢି ଦେଇଥିଲେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ପ୍ରଶିକ୍ଷିତ ଶିଳ୍ପିଗଣ। ଏକାଡ଼େମୀର ଦ୍ୱିତୀୟ ପ୍ରସ୍ତୁତିରେ ଉପସ୍ଥାପିତ ହୋଇଥିଲା ନୃତ୍ୟାଭିନୟ \’ଏକ ପ୍ରଶ୍ନ\’। ଦ୍ୱାପର ଯୁଗର ଚାରିଜଣ ନାରି – ଯୋଶଦା, ରାଧା, ହିଡ଼ିମ୍ବା ଓ ଦ୍ରୌପଦୀଙ୍କର ଅବତାର ପୁରୁଷ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ପ୍ରଶ୍ନକୁ ନେଇ ଜୀବନ ଦର୍ଶନର ଆବେଗକୁ ପୁଣି ବାଢି ଦେଇଥିଲେ ଶିଳ୍ପିଗଣ।
ଅରୁଣା ମହାନ୍ତିଙ୍କ ସଂଯୋଜନାରେ ପ୍ରସ୍ତୁତ ‘ଏକ ପ୍ରଶ୍ନ’ ଥିଲା ଅମୀମାସିଂତ ଜିଜ୍ଞାସାର ନୃତ୍ୟାୟନ। ପରେ ପରେ ଭାରତନାଟ୍ୟମ ନୃତ୍ୟକୁ ମଞ୍ଚସ୍ଥ କରିଥିଲେ ଡ଼କ୍ଟର ଶିଲା ଉନ୍ନିକ୍ରିଷ୍ଣନ୍ ଓ ଶ୍ରୀଦେବୀ ନୃତ୍ୟାଳୟର ଶିଳ୍ପୀଗଣ। ଆବାହନି, ଆଲ୍ଲାରିପୁ, ବର୍ଣ୍ଣମ୍, ଶଙ୍କର, ଶ୍ରୀଗିରିକୀର୍ତ୍ତିମ୍ ଓ ଶୀବମଙ୍ଗଳମ୍କୁ ନେଇ ସଂଯୋଜିତ ହୋଇଥିଲା। ନୃତ୍ୟାଭିନୟ ଓ ନମଃ ଶିବାୟ ଭାରତ ନାଟ୍ୟମ ନୃତ୍ୟ ଶୈଳୀର ନିଖୁଣ ଉପସ୍ଥାପନ ସହ ତାଳ-ଲୟ-ଛନ୍ଦ ଓ ସୁରର ଅର୍ପୁବ ସମ୍ମନୟ ଶିଳ୍ପୀଙ୍କ ଅଭିନୟରେ ବାରି ହୋଇଯାଉଥିଲା। ବିଶ୍ୱ ଐତିହର ସ୍ମାରକୀ ଭବ୍ୟ କୋଣାର୍କ ମନ୍ଦିରର ପାଦଦେଶରେ ଶାସ୍ତ୍ରୀୟ ନୃତ୍ୟର ଉପସ୍ଥାପନା ମନଛୁଆଁ ଥିଲା।

ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ, ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ୍, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ବିଭାଗ କମିସନର ଓ ସଚିବ ବିଶାଲ କୁମାର ଦେବ୍, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଦି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଅନ୍ୟପଟେ ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟାରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳାର ଆୟୋଜନ ମଧ୍ୟ ଆକର୍ଷଣୀୟ ଥିଲା। ପର୍ଯ୍ୟଟନ ବିଭଗ ତରଫରୁ ସାମାଜିକ ଦୂରତା ରକ୍ଷା, ବିଶୋଧନ ଓ ମୁଖାବରଣ ପରିଧାନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଡ଼ି ଡ଼ି ଭାରତୀରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା। ଅଧ୍ୟାପକ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ସନ୍ଧ୍ୟାର ପରିବେଶଣକୁ ସଂଯୋଜିତ କରିଥିବା ବେଳେ ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଓଡ଼ିଶା ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ମାହୀ ଡକ୍ଟର ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ପରିଚାଳନାରେ ସହାୟତା ଦେଇଥିଲେ।
















