ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ରାମେ ମାଡ଼କାମୀ ବୁଧବାର କୋରାପୁଟ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ମାଓନେତା ଆର୍‌ କେର ସୁରକ୍ଷା ବିଭାଗର ଦାୟିତ୍ଵରେ ଥିଲେ। ସରକାରଙ୍କ ଦ୍ଵାରା ସ୍ଵାଭିମାନ ଅଞ୍ଚଳରେ ବିକାଶ ଆରମ୍ଭ ହେବାପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

“ମାଡ଼କାମୀଙ୍କ ଘର ମାଲକାନଗିରି ଜିଲ୍ଲାରେ। ୨୦୧୩ରୁ ସେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ସେବେଠାରୁ ସେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓ ହିଂସାରେ ଲିପ୍ତ ଥିଲେ। ୨୦୧୭ରେ ତାଙ୍କୁ ଏସିଏମ୍‌ କ୍ୟାଡରରେ ସାମିଲ କରାଯାଇଥିଲା। ତାଙ୍କ ନାଁରେ ୧୦ରୁ ଉର୍ଦ୍ଧ୍ଵ ମାମଲା ରହିଛି। ତେଣୁ ତାଙ୍କୁ ଜୀବିତ କିମ୍ଵା ମୃତ ଆକାରରେ ଧରାଇବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ତାଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତେବେ ସଂଗଠନରେ ସଦସ୍ୟଙ୍କ କାର୍ଯ୍ୟରେ ମାଡ଼କାମୀ ଅତିଷ୍ଠ ହୋଇ ପଡ଼ିଥିଲେ। ଏଥିସହ ସ୍ଵାଭିମାନ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଦ୍ଵାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଆରମ୍ଭ କରାଯାଉଥିବାରୁ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି” କହିଛନ୍ତି କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ।

“ତେଲୁଗୁ ଏବଂ ଛତିଶଗଡ଼ର ମାଓ ନେତାମାନେ ସଂଗଠନରେ କେବଳ ତେଲୁଗୁ ଏବଂ ଛତିଶଗଡ଼ୀ କ୍ୟାଡରର ସଦସ୍ୟମାନଙ୍କୁ ଗୁରୁତ୍ଵ ଦେଉଛନ୍ତି। ଅନ୍ୟସବୁ ଅଞ୍ଚଳର ନିରୀହ ଆଦିବାସୀମାନଙ୍କୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି। ପୋଲିସ ସହ ଲଢ଼ିବାରେ ସବୁବେଳେ ନୀରିହ ଆଦିବାସୀମାନଙ୍କୁ ଆଗକୁ ପଠାଇ ଦିଆଯାଉଛି। ଏଥିସହ ଆଦିବାସୀ ସଦସ୍ୟଙ୍କୁ ଠିକ୍‌ ରୂପେ ମେଡିକାଲ ଚିକିତ୍ସା ଦିଆଯାଉ ନାହିଁ। ତେଣୁ ମୁଁ ସଂଗଠନରୁ ନିରାଶ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛି”, କହିଛନ୍ତି ରାମେ ମାଡ଼କାମୀ।

ଓଡିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନୁଯାୟୀ ମାଡକାମୀ ଆର୍ଥିକ ସହାୟତା ପାଇବେ। ଘର ନିର୍ମାଣ, ପାଠ ପଢ଼ିବା ଏବଂ ତାଙ୍କ ଇଚ୍ଛାନୁସାରେ ଯେକୌଣସି ବାଣିଜ୍ୟ କିମ୍ଵା ବୃତ୍ତିରେ ତାଲିମ ପାଇବା ପାଇଁ ତାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।

Comment