ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ମୁକାବିଲା ଓ ଟିକା ବିତରଣକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି। ଏଥିସହ ସଂସଦର ଉଭୟ ସଦନର ଦଳୀୟ ନେତାମାନେ ବୈଠକରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ କରୋନା ମୁକାବିଲା ନେଇ ଏଭଳି ବୈଠକ କରିବେ। କିଛି ଦିନ ତଳେ କରୋନା ସ୍ଥିତିକୁ ନେଇ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ବୈଠକ ମଧ୍ୟ ଭର୍ଚୁଆଲ ମାଧ୍ୟମରେ କରାଯାଇଥିଲା।

ଆଜିର ଏହି ବୈଠକରେ ବିଜୁ ଜନତା ଦଳରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଛନ୍ତି। ସେହିପରି ଶିବସେନାରୁ ବିନାୟକ ରାଉତ, ଜେଡିୟୁରୁ ଆରସିପି ସିଂହ, ଆମ ଆଦମି ପାର୍ଟିରୁ ସଞ୍ଜୟ ସିଂହ, ଟିଆରଏସରୁ ନାମ ନାଗେଶ୍ୱର ରାଓ, କଂଗ୍ରେସରୁ ଅଧୀର ରଞ୍ଜନ ଚୌଧୁରୀ ଓ ଗୁଲାମ ନବୀ ଆଜାଦ, ଟିଏମସିରୁ ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓ’ ବ୍ରାଏନ, ଏଆଇଏଡିଏମକେରୁ ନବନୀତ କୃଷ୍ଣନ, ଡିଏମକେରୁ ଟିଆରକେ ବାଲୁ ଓ ତିରୁଚି ଶିବା, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଲୋକ ଜନଶକ୍ତି ପାର୍ଟିରୁ ଚିରାଗ ପାଶଓ୍ୱାନ, ଓ୍ୱାଇଏସଆରସିପିରୁ ବିଜୟସାଇ ରେଡ୍ଡି ଓ ମିଥୁନ ରେଡ୍ଡି, ଏଆଇଏମଆଇଏମରୁ ଇମତିଆଜ୍ ଜଲିଲ, ଜେଡିଏସରୁ ଏଚଡି ଦେବଗୌଡ଼ା, ଏନସିପିରୁ ଶରଦ ପାଓ୍ୱାର, ବିଏସପିରୁ ସତୀଶ ମିଶ୍ରା, ରାଷ୍ଟ୍ରୀୟ ଜନତା ଦଳରୁ ପ୍ରେମ ଚନ୍ଦ୍ର ଗୁପ୍ତା, ଟିଡିପିରୁ ଜୟ ଗଲ୍ଲା, ଅକାଳୀ ଦଳରୁ ସୁଖବୀର ବାଦଲ ଏହି ବୈଠକରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫,୭୧,୭୮୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୦,୧୫,୬୮୪ ଜଣ ସୁସ୍ଥ ହୋଇଥିବା ବେଳେ  ୪,୧୪,୫୮୧ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୯,୨୨୭ରେ ପହଞ୍ଚିଛି।

Comment