ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ପଟେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ରାଜରାସ୍ତାରେ ବସିଛନ୍ତି। ଅନ୍ୟପଟେ ଏବେ ଏହାକୁ ଦେଶର ବିଭିନ୍ନ ଅଞ୍ଚଳରୁ ସମର୍ଥନ ସୁଅ ବୋହିବା ଆରମ୍ଭ ହୋଇଛି। ଶୁକ୍ରବାର ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଜଣେ ଯୁବକ ଟ୍ରାକ୍ଟରରେ ବସି ବାହାହେବାକୁ ଯାଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପଞ୍ଜାବର କରନାଲ ଅଞ୍ଚଳରେ ବସବାସ କରୁଥିବା ଏହି ଯୁବକଙ୍କର ଗତକାଲି ବିବାହ ଥିଲା। ଏହି ବିବାହରେ କିନ୍ତୁ ସେ ଦାମୀ ଗାଡ଼ି ବଦଳରେ ଟ୍ରାକ୍ଟରରେ ବସି କନ୍ୟା ଘରକୁ ଯାଇଥିଲେ। ତାଙ୍କୁ ଏହାର କାରଣ ପଚାରିବାରୁ ସେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଏପରି କରିଥିବା କହିଛନ୍ତି।“ଆମେ ବହୁ ଦିନ ହେଲା ସହରରେ ରହୁଛୁ, ହେଲେ ଆମର ମୂଳ ହେଉଛି ଚାଷକାମ। ଦେଶର ଚାଷୀମାନଙ୍କୁ ସମ୍ମାନ ମିଳିବା ନିହାତି ଦରକାର। ତେଣୁ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ମୁଁ ଟ୍ରାକ୍ଟରରେ ବାହା ହେବାକୁ ଯାଉଛି”, କହିଛନ୍ତି ବର ଜଣକ।

ସେହିପରି ବର’ର ମା’ କହିଛନ୍ତି ଯେ, ସେମାନେ ଅତି ସାଧାରଣ ଭାବେ ଏହି ବିବାହ ଆୟୋଜନ କରିଛନ୍ତି। ତାଦ୍ୱାରା ସେମାନେ ଯେତିକି ଟଙ୍କା ସଞ୍ଚିତ କରିପାରିବେ ସେହି ଟଙ୍କାକୁ ସେ ଆନ୍ଦୋଳନରେ ବସିଥିବା କୃଷକଙ୍କ ଖାଇବା ପାଇଁ ପଠାଇଦେବେ। ହରିୟାଣାର ଏହି ବାହାଘରର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି। ଚାଷୀମାନେ ନିଜର ହକ୍ ପାଇବା ପାଇଁ ଏହି ଲଢ଼େଇ ଜାରି ରଖନ୍ତୁ ବୋଲି ଲୋକମାନେ ନିଜର କମେଣ୍ଟରେ କହୁଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଦିଲ୍ଲୀର ସିଙ୍ଘୁ ବର୍ଡରକୁ ଜାମ୍ କରିଦେଇଛନ୍ତି। ସରକାର ସେମାନଙ୍କ ସହ ଆଲୋଚନା ଜାରି ରଖିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନାହିଁ।

Comment