ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ ମ୍ୟୁନିସିପାଲିଟି ନିର୍ବାଚନରେ ଫଳାଫଳ ଏକ ବିକଳ୍ପ ରାଜନୀତିର ସମ୍ଭାବନା ସୃଷ୍ଟି କରିଛି। ସଂଖ୍ୟାଲଘୁ ଓ ଧ୍ରୁବୀକରଣ ରାଜନୀତି କ୍ଷେତ୍ରଗୁଡ଼ିକରେ ବିଜେପି ଯେ ଅଛୁଆଁ ନୁହେଁ ହାଇଦ୍ରାବାଦର ଏହି ନିର୍ବାଚନରୁ ଏ ସଂକେତ ମିଳିସାରିଛି। ୨୦୧୬ରେ ଯେଉଁଠି ବିଜେପି ୪ ସିଟରେ ସୀମିତ ଥିଲା ଏବେ ସେଠି ୪୮ଟି ସିଟ୍ ହାତେଇଛି ଦଳ।

ତେଣୁ ହାଇଦ୍ରାବାଦ ଓ ତେଲେଙ୍ଗାନା ରାଜନୀତିରେ ଟିଆରଏସର ଏକ ବିକଳ୍ପ ଭାବେ ବିଜେପି ଭୋଟରଙ୍କ ଆଗରେ ନିଜକୁ ପ୍ରମାଣିତ କରିଥିବା ରାଜନୀତି ସମୀକ୍ଷକମାନେ ଅନୁଭବ କରୁଛନ୍ତି। ହାଇଦ୍ରାବାଦର ଏ ଫଳାଫଳର ପ୍ରଭାବରେ ପଡ଼ିବାର ସମ୍ଭାବନା ସୃଷ୍ଟି ହେବା ପରେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି। ସେପଟେ ସବୁଦିନ କେହି ନା କେହି ସହଯୋଗୀ ଟିଏମସି ଛାଡ଼ି ବିଜେପିକୁ ଯାଉଥିବାରୁ ଟିଏମ୍‌ସି ଦଳରେ ହଲଚଲ ସୃଷ୍ଟି ହୋଇଛି।ଦିଦି କାହିଁକି ଚିନ୍ତାରେ?

ସରକାର ବିରୋଧୀ ଅନ୍ତଃସ୍ରୋତ

ପଶ୍ଚିମବଙ୍ଗରେ ସବୁ କିଛି ଠିକ୍ ନାହିଁ। ଆଇନଶୃଙ୍ଖଳାଠାରୁ ଆରମ୍ଭ କରି କରୋନା ମୁକାବିଲାରେ ବିଫଳତାକୁ ନେଇ ରାଜ୍ୟରେ ଏକ ଅନ୍ତଃସ୍ରୋତ ବହୁଥିବ ମମତା ଅନୁଭବ କରିଛନ୍ତି। ଏହାକୁ ସୁଧାରିବାକୁ ସେ ଚେଷ୍ଟା ମଧ୍ୟ କରୁଛନ୍ତି। ବିଗତ ଦିନଗୁଡ଼ିରେ ମଧ୍ୟପ୍ରଦେଶ, ହରିୟାଣା, ଛତିଶଗଡ଼ ଏବଂ ରାଜସ୍ଥାନରେ ସରକାର ବଦଳିଥିଲା। ଲୋକେ ସରକାର ବିରୋଧରେ ଭୋଟ ଦେଇଥିଲେ। ଅବଶ୍ୟ ମଧ୍ୟପ୍ରଦେଶରେ ପରେ ବିଜେପି ସ୍ଥିତି ବଦଳାଇଦେଇଥିଲା। କିନ୍ତୁ ଭୋଟ୍ ସରକାର ବିରୋଧରେ ପଡ଼ିଥିଲା ଏହା ସମସ୍ତେ ଜାଣନ୍ତି। ତେଣୁ ସ୍ୱାଭାବିକ ଭାବେ ୧୦ ବର୍ଷ ଶାସନ କରିସାରିବା ପରେ ମମତାଙ୍କୁ ମଧ୍ୟ ଏହି ଭୟ ଘାରିଛି।ମୋଦୀଙ୍କ ଅତୁଟ ଲୋକପ୍ରିୟତା

ଗତ ନିର୍ବାଚନଗୁଡ଼ିକରେ ମୋଦୀଙ୍କ ମ୍ୟାଜିକ କାମ କରିଛି। ବିହାରରେ ବିଜେପି ବିରୋଧରେ ଲୋକେ ଭୋଟ୍ ଦେଇଥିଲେ ମଧ୍ୟ ମୋଦୀଙ୍କ ହାୱାରେ ଦଳ ବର୍ତ୍ତିଯାଇଛି। ହାରୁହାରୁ ଦଳ ଜିତିଯାଇଛି। ଏହାର ଶ୍ରେୟ କେବଳ ମୋଦୀଙ୍କର ବୋଲି ରାଜନୀତି ସମୀକ୍ଷକଙ୍କ ମତ। ତେଣୁ ଏ ପରିସ୍ଥିତିରେ ମୋଦୀମୁହାଁ ଭୋଟରଙ୍କୁ ରାଜ୍ୟରେ କେମିତି ଅଟକାଇବେ ତାକୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ମମତା।ଭୋଟର ଧ୍ରୁବୀକରଣ 

ହାଇଦ୍ରାବାଦରେ ହିନ୍ଦୁ ଭୋଟର ମୁସଲିମ ଭୋଟର ପ୍ରାୟ ଅଧା ଅଧା। କିନ୍ତୁ ଚଳିତ ପୌର ନିର୍ବାଚନରେ ଏଠାରେ ବିଜେପି ଭୋଟ ଧ୍ରୁବୀକରଣରେ ସଫଳ ହୋଇଛି। ବିଶେଷକରି ମୁସଲିମ ଭୋଟରର ଧ୍ରୁବୀକରଣ କରି ବିଜେପି ସଫଳତା ପାଇଛି। ସଂଖ୍ୟାଲଘୁ ଭୋଟରଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ବିଜେପି।

ଯଦି ସେମିତି କିଛି ପଶ୍ଚିମବଙ୍ଗରେ ହୁଏ, ତେବେ ସବୁଠାରୁ ଅଧିକ ଘାଟା ମମତାଙ୍କ ତୃଣମୂଳ କଂଗ୍ରେସକୁ ହିଁ ହେବ ବୋଲି ଚର୍ଚ୍ଚା ହେଉଛି। ଓବେସୀଙ୍କ ଏଆଇଏମଆଇଏମ୍ କିନ୍ତୁ ଏଠାରେ ବିଜେପି ଅପେକ୍ଷା ଅଧିକ ଘାଟା ମମତାଙ୍କୁ ହିଁ ପହଞ୍ଚାଇବ। କାରଣ ସଂଖ୍ୟାଲଘୁ ଭୋଟ ଯେତେ ଭାଗ ହେବ ବିଜେପି ପାଇଁ ସେତେ ଭଲ ହେବ। ତେଣୁ ହାଇଦ୍ରାବାଦ ଫଳାଫଳ ମମତାଙ୍କୁ ଚିନ୍ତାରେ ପକାଇଦେଇଛି।ବିଜେପି ପାଇଁ ପଶ୍ଚିମବଙ୍ଗ କାହିଁକି ଗୁରୁତ୍ଵପୂର୍ଣ୍ଣ?

କର୍ଣ୍ଣାଟକ ପରେ ଦକ୍ଷିଣ ଭାରତରେ ତେଲେଙ୍ଗାନା ଓ ଆନ୍ଧ୍ରରେ ବିଜେପି ତୁରନ୍ତ କିଛି କରିପାରିବା ଭଳି ଆଶା ରଖିଛି। କାରଣ କେରଳ ଓ ତାମିଲନାଡୁ ରାଜନୀତିକୁ ଏକାକୀ ନିୟନ୍ତ୍ରଣ କରିବା ନିକଟ ଭବିଷ୍ୟତରେ ବିଜେପି ପାଇଁ ସମ୍ଭବ ହେବନାହିଁ। ତେଣୁ ଆନ୍ଧ୍ର ଓ ତେଲେଙ୍ଗାନାରେ ବିଜେପିର ସରକାର ହୋଇପାରିଲେ, ସମ୍ପୂର୍ଣ୍ଣ ଦକ୍ଷିଣ ଭାରତକୁ ପ୍ରାଶାସନିକ ଓ ରାଜନୈତିକ ଦୃଷ୍ଟିରୁ ନିୟନ୍ତ୍ରଣରେ ରଖିପାରିବ ବିଜେପି।

ଆଗାମୀ ଦିନରେ ବିଜେପି ଯଦି ଉତ୍ତରପ୍ରଦେଶରେ ଖରାପ ପ୍ରଦର୍ଶନ କରେ, ତେବେ ଦକ୍ଷିଣରୁ ସିଟ୍ ଭରଣା ହେବ। ଏମିତି ସ୍ଥିତିରେ ବିଜେପି ପାଇଁ ପଶ୍ଚିମବଙ୍ଗରେ ସରକାର କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। କାହିଁକି ନା ଆଦର୍ଶଗତ ଦୃଷ୍ଟିରୁ ଦକ୍ଷିଣପନ୍ଥୀ ରାଜନୀତିକୁ କେବେ ବି ଭରସା କରି ନଥିଲେ ପଶ୍ଚିମବଙ୍ଗ ଭୋଟର। ବାମପନ୍ଥୀ ନ ହେଲେ କଂଗ୍ରେସ ଭଳି ମଧ୍ୟମପନ୍ଥୀ ରାଜନୀତି ଏଠାରେ ହୋଇଛି। ତେବେ ଗତ ନିର୍ବାଚନପରଠାରୁ ବିଜେପି ଏଠାରେ ନିଜର ସ୍ଥିତି ଜାହିର କରିଛି। ଯଦି ପଶ୍ଚିମବଙ୍ଗରେ ବିଜେପିର ସରକାର ହୁଏ ତେବେ ଗୋଟେ ବାମପନ୍ଥୀ ସ୍ଥିତିରୁ ବଦଳି ପୂରା ଦକ୍ଷିଣପନ୍ଥୀ ରାଜନୀତିର ପ୍ରୟୋଗଶାଳା ହେବ ପଶ୍ଚିମବଙ୍ଗ।

Comment