ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀକୁ ନ୍ୟାୟ ଦାବିରେ ଚେଲ୍ଲାକୁମାର ଓ ପୁରନ୍ଦେଶ୍ୱରୀ।

ପରୀ ମୃତ୍ୟୁ ଘଟଣାକୁ ଏବେ ଉଠୁଛି ପଡୁଛି ରାଜ୍ୟ ରାଜ୍ୟନୀତି। ବିରୋଧୀ ବିଜେପି ଏହାକୁ ପ୍ରସଙ୍ଗ କରି ମାଇଲେଜ୍ ନେଉଥିବାବେଳେ କଂଗ୍ରେସ ବି କିଛି ପଛରେ ପଡ଼ିନି। ଉଭୟ ଦଳର ନେତା ଏହାକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ; ଏବେ ‘ପରୀ’କୁ ନ୍ୟାୟ ଦାବିରେ ବାହାରି ପଡ଼ିଛନ୍ତି ନବ ନିଯୁକ୍ତ ଦୁଇ ପ୍ରଭାରୀ ପୁରନ୍ଦଶ୍ୱେରୀ ଓ ଚେଲ୍ଲାକୁମାର।

ବୁଧବାର ରାଜ୍ୟ ବିଜେପି ପ୍ରଭାରୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ସେ ପରୀର ଗାଁ ଯଦୁପୁର ଯାଇ ସେଠାରେ ତା ବାପା’ଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯଦି କୁନି ଝିଅ ପରୀକୁ ନବୀନ ସରକାର ନ୍ୟାୟ ଦେଇପାରୁନାହାନ୍ତି ତେବେ ରାଜ୍ୟବାସୀଙ୍କୁ କେମିତି ଦେବେ ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, “ନବୀନ ବାବୁଙ୍କୁ ଓଡ଼ିଶାବାସୀ ଭୋଟ୍ ଦେଇ ଜିତାଇଲେ। ହେଲେ ସେ କିନ୍ତୁ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ ଅସମର୍ଥ। ମନ୍ତ୍ରୀ ଅରୁଣ ସାହୁ ଯଦି ଇସ୍ତଫା ଦେଉନାହାନ୍ତି ତେବେ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ପଦରୁ ହଟାନ୍ତୁ। ତା’ସହ ଏହି ଘଟଣାର ସିବିଆଇ ତଦନ୍ତ କରନ୍ତୁ। ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ନମିଳିବ ବିଜେପି ନିଜର ବିକ୍ଷୋଭ ଜାରି ରଖିବ।”ଏହାପୂର୍ବରୁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ମଧ୍ୟ ଡିସେମ୍ବର ୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ‘ପରୀ’ ମୃତ୍ୟୁ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ଯଦୁପୁର ମଧ୍ୟ ଯାଇଥିଲା। ଏହାର ଗୋଟିଏ ଦିନ ପରେ ସେ ସାମ୍ବାଦିକ ସମ୍ମିଳନୀ ଡାକି ବିରୋଧୀଙ୍କୁ ଟାର୍ଗେଟ କରିବା ସହିତ ଉଭୟ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଥିଲେ।

ଚେଲ୍ଲାକୁମାର କହିଥିଲେ, “କଂଗ୍ରେସ ହିଁ ପ୍ରଥମେ ପରୀ ମୃତ୍ୟୁ ଘଟଣାକୁ ପ୍ରସଙ୍ଗ କରିଥିଲା। ଯେଉଁ କାରଣରୁ ରାଜ୍ୟ ସରକାର ଏହାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ। ଏହା କଂଗ୍ରେସ ଐତିହାସିକ ବିଜୟ। କିନ୍ତୁ ବିଜେପି ଜାଣିଶୁଣି ଏହି ପ୍ରସଙ୍ଗକୁ ଭୁଲେଇବାକୁ ଚେଷ୍ଟା କରୁଛି। ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପ୍ୱାର୍ଶ୍ୱ ବୋଲି ସମସ୍ତେ ଜାଣିଲେଣି। ତେଣୁ ଅଭିଯୁକ୍ତଙ୍କୁ ଘଣ୍ଟ ନଘୋଡ଼ାଇ ତୁରନ୍ତ ନ୍ୟାୟ ଦିଆଯାଉ।”

PURANDESWARI AND CHELLAKUMAR

ନୂଆ ପ୍ରଭାରୀଙ୍କୁ ମିଳିଛି ପ୍ରସଙ୍ଗ

ରାଜ୍ୟରେ ନିଜ ସଙ୍ଗଠନ ସଜାଡ଼ିବାକୁ ବିରୋଧୀ ବିଜେପି ଓ କଂଗ୍ରେସ ନିଜର ପ୍ରଭାରୀ ପରିବର୍ତ୍ତନ କରିଛନ୍ତି। ବିଜେପି ବିଶାଖାପାଟଣାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ଦାୟିତ୍ୱ ଦେଇଥିବାବେଳେ କଂଗ୍ରେସ ହାଇକମାଣ୍ଡ ଚେଲ୍ଲାକୁମାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏପରି ସ୍ଥିତିରେ ଦୁଇ ପ୍ରଭାରୀଙ୍କୁ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିବାକୁ ଏକ ପ୍ରମୁଖ ପ୍ରସଙ୍ଗ ମିଳିଯାଇଥିବା ରାଜନୈତିକ ପଣ୍ଡିତମାନେ କହିଛନ୍ତି।

କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିବାବେଳେ ବିଜେପି-ବିଜେଡି ଭାଇ ଭାଇ ବୋଲି କହିଛନ୍ତି। ସେହିପରି ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ମଧ୍ୟ ଏହି ଘଟଣାରେ ଆଜି କେବଳ ଶାସକ ଦଳ ନୁହେଁ ବରଂ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି।

ପରୀ ପ୍ରସଙ୍ଗରେ ସାଲିସ୍ ହୋଇଥିବା କଥା ଖୋଦ୍ ପ୍ରଦେଶ କଂଗ୍ରେସର ନେତାମାନେ କହିସାରିଛନ୍ତି। ଦୁଇ ତିନି ଜଣ କଂଗ୍ରେସ ନେତା ଗଣମାଧ୍ୟମ ଆଗରେ ମଧ୍ୟ ପ୍ରତିକ୍ରିୟା ରଖିସାରିଲେଣି। ଏପରି ସ୍ଥିତିରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ କେଉଁ ଷ୍ଟାଣ୍ଡରେ ଅଛି ତାହା ସମସ୍ତେ ଜାଣିସାରିଲେଣି ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ।

ନୟାଗଡ଼ ମୁହାଁ ନେତା

ପାଞ୍ଚ ବର୍ଷର ଝିଅ ପରୀକୁ ନ୍ୟାୟ ଦେବାକୁ ଯାଇ ଏବେ ବିରୋଧୀ ବିଜେପିଠାରୁ ଆରମ୍ଭ କରି କଂଗ୍ରେସର ନେତାମାନେ ନୟାଗଡ଼ ମୁହାଁ ହୋଇଛନ୍ତି। ବିଜେପି ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବାବେଳେ ଆଜି ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସହ ବିଜେପି ନେତାମାନେ ଯଦୁପୁର ଯାଇ ପରୀର ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଏହାପୂର୍ବରୁ ମଧ୍ୟ ସମ୍ବିତ ପାତ୍ର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ମଧ୍ୟ ବିଜେପି ଯଦୁପୁର ଗାଁ’କୁ ଯାଇ ପରୀ ବାପା ମା’ଙ୍କ ସହ ଆଲୋଚନା କରିଥିଲା।ଅନ୍ୟପଟେ ପ୍ରଭାରୀ ଚେଲ୍ଲାକୁମାରଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ଭକ୍ତ ଦାସ, ପ୍ରଦୀପ ମାଝୀଙ୍କ ଭଳି କଂଗ୍ରେସ ନେତାଙ୍କ ଗହଳି ମଧ୍ୟ ଲାଗିଥିଲା ପରୀ ଗାଁ’ରେ। ସେ ସମୟରେ ନେତାମାନେ ପରୀର ପରିବାର ସହ ଆଲୋଚନା କରି ସେମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ରାଜନୀତି କରୁଛନ୍ତି ବିରୋଧୀ – ବିଜେଡି

ପରୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଓ ପରେ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାପରେ ମଧ୍ୟ ବିରୋଧୀମାନେ ଜାଣିଶୁଣି ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି କିଛି ଦିନ ତଳେ ଗଣମାଧ୍ୟମକୁ କହିଥିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।

ସେ କହିଥିଲେ ଯେ, ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହି ଘଟଣାକୁ ନେଇ ଦୁଇ ସପ୍ତାହ ଭିତରେ ରିପୋର୍ଟ ଦେବେ ବୋଲି କହିସାରିଲେଣି। ତଥାପି ବିଜେପି, କଂଗ୍ରେସ ଏହାକୁ ନେଇ ରାଜନୀତି ଚଳାଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯଦି ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ତାହେଲେ ଅସୁବିଧା ନାହିଁ। ତେଣୁ ବିରୋଧୀମାନେ ଏହାକୁ ନେଇ ରାଜନୀତି ବନ୍ଦ କରନ୍ତୁ ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ।

ତା’ପୂର୍ବରୁ ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରିବ କିନ୍ତୁ ବିରୋଧୀମାନେ କେବଳ ଏହି ପ୍ରସଙ୍ଗକୁ ନେଇ ହୋ ହଲ୍ଲା କରୁଛନ୍ତି। ଏହା ବଦଳରେ ଯଦି ବିରୋଧୀମାନେ ଶାନ୍ତ ସହକାରେ ପ୍ରଶ୍ନ କରନ୍ତେ ତେବେ ସରକାର ତାଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇପାରନ୍ତେ ବୋଲି ସେ କହିଥିଲେ।

Comment