ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ଉଦଘାଟନ ହେଲା ଦୁଇଟି ୧୦୮ ବୋଟ୍ ଆମ୍ଵୁଲାନ୍ସ।

ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ଶୁଭାରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ଏଣିକି ୧୦୮ ନମ୍ଵରକୁ ଡାଏଲ କରି ଲୋକମାନେ ଏହି ସେବା ପାଇପାରିବେ। ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳ ୟେଦୁଲା ବିଜୟ ଏହାର ଉଦଘାଟନ କରିଛନ୍ତି।ଏହି ବୋଟ୍‌ ଆମ୍ଵୁଲାନ୍ସ ସେବାର ଶୁଭାରମ୍ଭ ପରେ ଏବେ ସ୍ଵାଭିମାନ ଅଞ୍ଚଳର ୩୭ଟି ଗ୍ରାମର ୧୫ ହଜାରରୁ ଉର୍ଦ୍ଧ୍ଵ ଲୋକ ସ୍ଵାସ୍ଥ୍ୟସେବା ପାଇପାରିବେବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି। ଏହି ସେବାକୁ ଭାରତ ସରକାରଙ୍କର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରଦାନ କରାଯାଇଛି।

ମାଲକାନଗିରି ଜିଲ୍ଲାରେ ଗୁରୁପ୍ରିୟା ସେତୁ ହେବା ପରେ ହାତ ଗଣତି କିଛି ଗ୍ରାମକୁ ହିଁ ଯୋଗାଯୋଗ ହୋଇପାରୁଥିଲା। ଦୁର୍ଗମ ଅଞ୍ଚଳରେ ରହିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ଵ ଗ୍ରାମକୁ ପ୍ରଶାସନ ସେବା ପହଞ୍ଚିପାରୁନଥିଲା। ତେଣୁ ଦୀର୍ଘ ଦିନ ଧରି ସ୍ଵାଭିମାନ ଅଞ୍ଚଳବାସୀ ଉନ୍ନତ ସ୍ଵାସ୍ଥ୍ୟସେବା ପାଇଁ ଦାବି କରିଆସୁଥିଲେ। ବୋଟ୍‌ ଆମ୍ଵୁଲାନ୍ସ ସେବା ଫଳରେ ଏବେ ସେହି ଅଞ୍ଚଳ ସବୁକୁ ଖୁବ୍‌ ସହଜରେ ସ୍ଵାସ୍ଥ୍ୟ ସେବା ପହଞ୍ଚିପାରିବ।ଶୁକ୍ରବାର ଉଦଘାଟନ ହୋଇଥିବା ଦୁଇଟି ଆମ୍ଵୁଲାନ୍ସ ମଧ୍ୟରୁ ଲାଲଗଡ଼ର ଅରାପଦରରେ ଗୋଟିଏ ଏବଂ କୁନ୍ତରପଦରରେ ଆଉ ଗୋଟିଏ ଆମ୍ବୁଲାନ୍ସ ରଖାଯିବା ନେଇ ନିଷ୍ପତ୍ତି ହୋଇଛି। ଦୁଇଟି ଆମ୍ବୁଲାନ୍ସରେ ୩୭ଟି ଭାସମାନ ଜେଟିର ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ସେବା ପାଇଁ ଏହି ଆମ୍ଵୁଲାନ୍ସରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯାଇଛି। ୨୪ ଘଣ୍ଟା ଅନବରତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଏହି ଆମ୍ଵୁଲାନ୍ସ ଦ୍ଵୟ ସବୁବେଳେ ପ୍ରସ୍ତୁତ ରହିବେ। ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଇଲ ମାଇଲ ବାଟ ଏହି ବୋଟ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ସେବା ଯୋଗାଇ ପାରିବ ବୋଲି କୁହାଯାଇଛି।କ’ଣ ରହିଛି ସୁବିଧା?

ସଡ଼କ ପଥରେ ସ୍ଵାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ଵୁଲାନ୍ସ ପରି ବୋଟ୍ ଆମ୍ଵୁଲାନ୍ସରେ ମଧ୍ୟ ସମାନ ସୁବିଧା ରହିଛି। ଏଥିରେ ଜଣେ ଚାଳକ ଓ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ରହିଥାନ୍ତି। ଏଥିସହ ଅନ୍ୟ ୧୦୮ ଆମ୍ଵୁଲାନ୍ସ ପରି ଅକ୍ସିଜେନ କିଟ୍ ଓ ଫାଷ୍ଟ ଏଡ୍ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ଯଦି କୌଣସି ସ୍ଥାନକୁ ସଡ଼କ ସୁବିଧା ନଥାଏ ଏବଂ ନଦୀପଥ ହିଁ ଏକମାତ୍ର ଭରଷା ଥାଏ, ସେହି ଅଞ୍ଚଳର ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଏହି ବୋଟ୍‌ ଆମ୍ଵୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ।

ଆବଶ୍ୟକୀୟ ସ୍ଥଳେ ବୋଟ୍‌ ଆମ୍ଵୁଲାନ୍ସ ସେବା ପାଇବାକୁ ହେଲେ ଅନ୍ୟ ୧୦୮ ନମ୍ଵରକୁ କଲ୍‌ କରିବାକୁ ପଡ଼ିଥାଏ। ପ୍ରଥମେ ରୋଗୀକୁ ଘଟଣାସ୍ଥଳରୁ ନଦୀ ପର୍ଯ୍ୟନ୍ତ ଅଣାଯାଏ। ବୋଟ ଆମ୍ଵୁଲାନ୍ସ ଯୋଗେ ତାଙ୍କୁ ଆରପାରିକୁ ନିଆଯାଏ। ଏହାପରେ ତାଙ୍କୁ ୧୦୮ ଆମ୍ଵୁଲାନ୍ସ ଯୋଗେ ସଡ଼କ ପଥରେ ଚିକିତ୍ସାଳୟରେ ପହଞ୍ଚାଯିବ।  ଓଡ଼ିଶାରେ ବୋଟ୍ ଆମ୍ଵୁଲାନ୍ସ ସେବା

ରାଜ୍ୟର ଦୁର୍ଗମ ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ୨୦୧୯ ମସିହାରେ ପ୍ରଥମକରି ବୋଟ୍‌ ଆମ୍ଵୁଲାନ୍ସ ସେବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। କେନ୍ଦ୍ରାପଡ଼ା, ମାଲକାନଗିରି ଜିଲ୍ଲା ପାଇଁ ଦୁଇଟି ଲେଖାଏଁ ଏବଂ କଳାହାଣ୍ତି, କୋରାପୁଟ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁକୁ ମିଶାଇ ମୋଟ୍‌ ୬ଟି ବୋଟ ଆମ୍ଵୁଲାନ୍ସ ପାଇଁ ସରକାର ଘୋଷଣା କରିଥିଲେ।

୨୦୨୦ ମସିହା ମାର୍ଚ୍ଚ ମାସରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ବତୀଘର ଅଞ୍ଚଳରେ ଏହି ସେବାର ଆରମ୍ଭ କରାଯାଇଥିଲା। ଏହାପରେ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଆମ୍ଵୁଲାନ୍ସ ଯୋଗାଇଥିଲେ ସରକାର। ଶେଷରେ ମାଲକାନଗିରି ଜିଲ୍ଲା ପାଇଁ ଡିସେମ୍ଵର ୧୧ ତାରିଖରେ ଦୁଇଟି ବୋଟ୍‌ ଆମ୍ଵୁଲାନ୍ସ ସେବାର ଆରମ୍ଭ କରିଛନ୍ତି ସରକାର।

Comment