ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଥ୍ରୀ ଇନ୍ ଓ୍ଵାନ୍ ବରା ଖାଇବାକୁ ଛୁଟି ଆସୁଛନ୍ତି ଗ୍ରାହକ।

(କଟକରୁ ବିଶ୍ଵଜିତ ସାହୁ): ଚଟପଟି ଛଣାଛଣି ଖାଇବା କଥା କହିଲେ ବରା ନାଁଟି ଆପେ ଆପେ ମୁହଁକୁ ଚାଲିଆସେ। ଜଳଖିଆ ଦୋକାନୀର ଟ୍ରେ’ରେ ସିଙ୍ଗଡ଼ା, ଆଳୁଚପ, ପିଆଜି, ଗୁଲୁଗୁଲା ସବୁ ଥିଲେ ବି ବେଶ ଦୂରରୁ ବାରିହୋଇପଡ଼େ ବରା। ବିରି ବରା, ଚାଉଳ ବରା, ମସଲା ବରା, ଡାଲି ବରା ଏପରି ଅନେକ ପ୍ରକାରର ବରା ଖାଇବାକୁ ସଭିଏଁ ପସନ୍ଦ କରିଥାନ୍ତି।  ତେବେ ଗୋଟିଏ ବରାରେ ତିନୋଟି ଭିନ୍ନ ସ୍ୱାଦ ଯେମିତିକି ଆଳୁଚପ, ପିଆଜି ଆଉ ବରା ଖାଇବାର ମଜା ଆପଣ କେବେ ପାଇଛନ୍ତି କି?ଏହି ଖବରରେ ଆମେ ଆପଣଙ୍କୁ ଗୋଟେ ଏମିତି ଏକ ଜଳଖିଆ ବିଷୟରେ କହିବୁ ଯେଉଁଥିରେ ଆପଣ ଉପରୋକ୍ତ ତିନୋଟି ଚଟପଟି ଖାଇବାର ସ୍ୱାଦ ପାଇପାରିବେ। ଏହି ଜଳଖିଆର ନାଁ ହେଉଛି ‘ଥ୍ରୀ ଇନ୍ ଓ୍ଵାନ୍ ବରା’ ମାନେ ଗୋଟିଏ ବରାରେ ତିନୋଟି ସ୍ୱାଦ।

କେଉଁଠି ମିଳୁଛି ଥ୍ରୀ ଇନ୍ ଓ୍ଵାନ୍ ବରା?

କଟକ ସହରର ଏହି ନିଆରା ଖାଦ୍ୟଟିର ମଜା ଆପଣ ପାଇପାରିବେ। ଚାଉଳିଆଗଞ୍ଜ ଦୁର୍ଗାଘର ସାମ୍ନା ଗଳିରେ କିଛି ଦୂର ଗଲେ ଛୋଟିଆ ପିଣ୍ଡା ଉପରେ ଜଳଖିଆ ଦୋକାନଟିଏ। ସ୍ଥାନୀୟ ଅଞ୍ଚଳରେ ମାଳିଆ ନାନୀ ଦୋକାନ କହିଲେ ସମସ୍ତେ ଆପଣଙ୍କୁ ଠିକଣା କହିଦେବେ। ଥ୍ରୀ ଇନ୍ ଓ୍ଵାନ୍ ବରାର ଦାମ୍ ରହିଛି ମାତ୍ର ୩ଟଙ୍କା।ସକାଳ ଏବଂ ସନ୍ଧ୍ୟା ଦିନକୁ ଦୁଇଥର ଏହି ଦୋକାନ ଖୋଲିଥାଏ। ସକାଳବେଳା ଥ୍ରୀ ଇନ୍ ଓ୍ଵାନ୍ ବରା, ଆଳୁଚପ୍, ଇଟ୍‌ଲି, ବରା ଏବଂ ତରକାରୀ ମିଳୁଥିବା ବେଳେ ସନ୍ଧ୍ୟା ବେଳା ଥ୍ରୀ ଇନ୍ ଓ୍ଵାନ୍ ବରା ସହ ବିରି ବରା, ପିଆଜି, ଆଳୁଚପ୍, ତରକାରୀ ଆଦି ମିଳିଥାଏ।ବଡ଼ ବରାରୁ ଥ୍ରୀ ଇନ୍ ଓ୍ଵାନ୍ ବରା

ଥ୍ରୀ ଇନ୍ ଓ୍ଵାନ୍ ବରାଟି ବର୍ଷେ କି ଦୁଇ ବର୍ଷର ଖାଇବା ନୁହେଁ। ଦୀର୍ଘ ୩୦ ବର୍ଷ ତଳେ ଏହି ଜଳଖିଆ ତିଆରି କରିଥିଲେ ଚାଉଳିଆଗଞ୍ଜର ମାଳତୀ ସାହୁ। ପ୍ରଥମେ ପିଆଜି ପାଇଁ ପ୍ରସ୍ତୁତ ଆଣବଟା ଉପରେ ଆଳୁଚପ ମସଲା, ପରେ ବିରି ବଟା ଆଉ ତା’ପରେ ପିଆଜ, ଲଙ୍କା, ଧନିଆ ପତ୍ର ରଖି ତେଲ କଢେଇରେ ଛଣା ହୁଏ।  

ପ୍ରଥମେ ଏହାକୁ ବଡ଼ ବରା ବୋଲି କୁହାଯାଉଥିଲା। ଏକ ଟଙ୍କାରେ ୪ଟି ବଡ଼ ବରା ମିଳୁଥିଲା। କ୍ରମେ ଏହା ବୃଦ୍ଧି ପାଇ ଗୋଟାକ ଏକ ଟଙ୍କା ହେଲା। ଏବେ ଏହାର ଦାମ୍ ରହିଛି ମାତ୍ର ୩ଟଙ୍କା। ମାଳତୀ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଏବଂ ନାତିମାନେ ଏହି ଦୋକାନକୁ ଚଳାଉଛନ୍ତି।

ମାଳତୀଙ୍କ ଦୁଇ ନାତି ସଞ୍ଜୟ ସାହୁ ଏବଂ କୃଷ୍ଣଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ବଡ଼ ବରା ନାଁଟି ଶୁଣିବାକୁ ଭଲ ଲାଗୁନଥିଲା। ତେଣୁ ସେମାନେ ଏହାର ନାମ ପରିବର୍ତ୍ତନ କରି ‘ଥ୍ରୀ ଇନ୍ ଓ୍ଵାନ୍ ବରା’ କରିଦେଲେ। ଥ୍ରୀ ଇନ୍ ଓ୍ଵାନ୍‌ ହେବାପରେ ବରାର ଚାହିଦା ବେଶ୍ ବଢ଼ିଯାଇଛି। ଏହି ଦୋକାନରେ ଆଳୁଚପ୍, ପିଆଜି, ବରା ଆଦି ହେଉଥିଲେ ମଧ୍ୟ ଜଳଖିଆ ଟ୍ରେ’ରୁ ପ୍ରଥମେ ଥ୍ରୀ ଇନ୍ ଓ୍ଵାନ୍ ବରା ଶେଷ ହୋଇଥାଏ।“ଗୋଟିଏ ବରାରୁ ଉଭୟ ପିଆଜି ଏବଂ ଆଳୁଚପ୍‌ର ସ୍ଵାଦ ମିଳୁଥିବାରୁ ଗ୍ରାହକମାନେ ଥ୍ରୀ ଇନ୍ ଓ୍ଵାନ୍ ବରା ବେଶି ବରାଦ କରିଥାନ୍ତି”, କହିଛନ୍ତି ଦୋକାନୀ କୃଷ୍ଣଚନ୍ଦ୍ର ସାହୁ।

Comment