ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧିବଦ୍ଧ ଭାବେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେଲେ ବାଇଡେନ୍।

ଆମେରିକାର ନୂଆ ରାଷ୍ଟ୍ରପତି ରୂପେ ବିଧିବଦ୍ଧ ଭାବେ ନିର୍ବାଚିତ ହେଲେ ଜୋ ବାଇଡେନ୍। ସୋମବାର ଇଲେକ୍ଟରାଲ୍ ଭୋଟରମାନେ ତାଙ୍କୁ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି।

ଡିସେମ୍ବର ୧୪ ତାରିଖରେ ଆମେରିକାର ସମସ୍ତ ଇଲେକ୍ଟରମାନେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକାଠି ହୋଇଥିଲେ। ୫୩୮ ଜଣ ଇଲେକ୍ଟରଙ୍କ ଭିତରୁ ୩୦୬ ଜଣ ଇଲେକ୍ଟର ବାଇଡେନଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହାଫଳରେ ବାଇଡେନ୍ ଆଗାମୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।ଏହାପୂର୍ବରୁ ନଭେମ୍ବର ୩ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଯେଉଁଥିରେ ଡ୍ରେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଆଗରେ ରହିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ସେ ବିଜୟୀ ମଧ୍ୟ ହୋଇଥିଲେ। ହେଲେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିଜୟକୁ ମାନିବାକୁ ରାଜି ହୋଇନଥିଲେ। ସୋମବାର ଏହି ବିଧିବଦ୍ଧ ନିର୍ବାଚନ ପରେ ବାଇଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ପକ୍କା ହୋଇଯାଇଛି।କେମିତି ହୁଏ ଆମେରିକା ରାଷ୍ଟ୍ରପତି ନିର୍ବାଚନ?

ଆମେରିକାର ସାଧାରଣ ଭୋଟରମାନେ ପ୍ରଥମେ ଭୋଟ୍ ଦେଇ ଇଲେକ୍ଟରମାନଙ୍କୁ ନିର୍ବାଚିତ କରିଥାନ୍ତି। ପୂରା ଆମେରିକାରୁ ମୋଟ ୫୩୮ ଜଣ ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ଏହି ଇଲେକ୍ଟରମାନେ ହିଁ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ୍ ଦେଇଥାନ୍ତି।

ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣ ଇଲେକ୍ଟରଙ୍କ ଭୋଟ୍ ମିଳିଥାଏ। ସେହି ପ୍ରାର୍ଥୀ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ଅର୍ଥାତ, ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି। ଜୋ ବାଇଡେନଙ୍କୁ ୩୦୮ ଇଲେକ୍ଟରଙ୍କ ସମର୍ଥନ ମିଳିଥିବାରୁ ସେ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି।ଚଳିତ ବର୍ଷ ଡ୍ରେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଜୋ ବାଇଡେନ୍‌ଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ହୋଇଥିଲା। ତାଙ୍କ ପୂରା ନାଁ ଜୋସେଫ ରୋବିନଟ ବାଇଡେନ। ଆମେରିକାର ବିଭିନ୍ନ ସହରରେ ନିଜର ପିଲାଦିନ ବିତାଇବା ପରେ ବାଇଡେନ୍ ଆଇନ ପାଠ ପଢ଼ିବା ପାଇଁ ଦିଲାୱାରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ୧୯୬୮ ମସିହାରେ ସଫଳତାର ସହ ଆଇନ୍ ପାଠ ଶେଷ କରି ଡିଗ୍ରୀ ହାସଲ କରିଥିଲେ।

୧୯୭୦ରୁ ଆରମ୍ଭ ହୋଇଥିଲା ରାଜନୈତିକ କ୍ୟାରିୟର

ବାଇଡେନ୍‌ଙ୍କ ରାଜନୈତିକ ଜୀବନ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। ପ୍ରଥମ କରି ସେ ସେହିବର୍ଷ ‘ନ୍ୟୁ କାସେଲ କଣ୍ଟ୍ରି କାଉନସିଲ୍’କୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୨ ମସିହାରେ ପ୍ରଥମ କରି ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ। ସିନେଟରେ ବାଇଡେନ୍ ଦୀର୍ଘ ବର୍ଷ ଧରି ବୈଦେଶିକ ବ୍ୟାପାର କମିଟିରେ ରହିବା ସହିତ ଏହି କମିଟିର ସଭାପତି ମଧ୍ୟ ହୋଇଥିଲେ। ଏହାସହ ଆମେରିକା ସିନେଟର ବିଭିନ୍ନ କମିଟିରେ ମଧ୍ୟ ବାଇଡେନ୍ ସଦସ୍ୟ ରହିଆସିଥିଲେ।biden and kamala harrisଡ୍ରେମୋକ୍ରାଟିକ୍ ଦଳର ଏହି ନେତା ଜଣକ ସିନେଟକୁ ଛଅ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ୨୦୦୮ ମସିହାରେ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଥିଲା। ବାରାକ୍ ଓବାମାଙ୍କ ନେତୃତ୍ୱରେ ସେହିଥର ଡ୍ରେମୋକ୍ରାଟିକ୍ ଦଳ ବିଜୟୀ ହେବା ସହ ଆମେରିକାର ୪୭ ତମ ଉପରାଷ୍ଟ୍ରପତି ହୋଇଥିଲେ ଜୋ ବାଇଡେନ୍। ଏହାପରେ ୨୦୧୨ ମସିହାରେ ଉଭୟ ଓବାମା ଓ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ।

ଏହାପରେ ୨୦୧୬ ମସିହାରେ ଡେମୋକ୍ରାଟିକ୍ ଦଳ ଟ୍ରମ୍ପଙ୍କ ବିରୋଧରେ ହେନେରି କ୍ଲିଣ୍ଟନଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦୁର୍ଭାଗ୍ୟବଶତଃ ହେନେରି କ୍ଲିଣ୍ଟନ ଟ୍ରମ୍ପଙ୍କଠାରୁ ହାରିଯାଇଥିଲେ।

୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ କରିଥିଲା। ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ଡେମୋକ୍ରାଟିକ୍ ଦଳ ନିଜର ସବୁଠୁ ଟାଣୁଆ ନେତା ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ଗତକାଲି ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ଜାନୁଆରି ୨୦ ତାରିଖରେ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ।

Comment