ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ଭାରତର ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ବୈଦେଶିକ ବ୍ୟାପାର ସଚିବ ଡୋମିନିକ୍ ରାବ୍।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ କରିଥିଲେ। ବୋରିସ୍ ଜନସନ ଏହି ନିମନ୍ତ୍ରଣକୁ ଗ୍ରହଣ କରିଥିବା ଜଣାପଡ଼ିଛି।ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଦ୍ୱାରା ଦୁଇ ଦେଶର ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ। ଏହାଦ୍ୱାରା ଏହି ନୂତନ ଯୁଗର ଆରମ୍ଭ ହେବ ବୋଲି ଭାରତର ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।

ବୋରିସ ଜନସନ ଷଷ୍ଠ ବ୍ରିଟିଶ ପ୍ରତିନିଧି ଭାବେ ଏହି ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ୫ ଜଣ ବ୍ରିଟିଶ ପ୍ରତିନିଧି ଏହି ଉତ୍ସବରେ ଯୋଗଦେଇସାରିଛନ୍ତି। ୧୯୫୯ ମସିହାରେ ବ୍ରିଟେନର ରାଜା ଫିଲିପ୍ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେଇଥିଲେ।

ଏହାପରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ, ବ୍ରିଟିଶ ଚାନସେଲର ରାପ୍ ବଟଲର, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଲର୍ଡ ମାଉଣ୍ଟବ୍ୟାଟେନ୍ ମଧ୍ୟ ଭାରତର ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେଇଥିଲେ। ୨୦୨୧ ଜାନୁଆରି ୨୬ରେ ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନ ଏହି ଉତ୍ସବରେ ଯୋଗଦେବେ।

Comment