ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆରଆଇ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତହସିଲ ଅନ୍ତର୍ଭୁକ୍ତ ବରାଡ଼ିଆ ଆରଆଇ ସର୍କଲର ଆରଆଇ ଅନିତା ତରାଇ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ବରାଡ଼ିଆ ଆରଆଇ ସର୍କଲ ଅନ୍ତର୍ଗତ ଗୁଆଳି ଗ୍ରାମର ସବିତା ମଲ୍ଲିକ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଏକ ଅନାବାଦି ଜମିକୁ ନେଇ ବିବାଦ ଲାଗି ରହିଥିଲା। ସବିତାଙ୍କ ପଡ଼ୋଶୀ ତାଙ୍କ ଘରକୁ ଲଗାଇ ଏକ ଅନାବାଦି ଜମିରେ ପକ୍କା ଘର କରୁଥିଲେ। ଏ ସମ୍ପର୍କରେ ସବିତା ରାଜକନିକା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ତହସିଲଦାର ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ବରାଡ଼ିଆ ସର୍କଲ ଆରଆଇ ଅନିତା ତରାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆରଆଇ ଅନିତା କୌଣସି ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ଦେଉନଥିଲେ। ଅନ୍ୟପଟେ ସବିତାଙ୍କ ସପକ୍ଷରେ ରିପୋର୍ଟ କରାଇଦେବାକୁ ଆରଆଇ ଅନିତା ୫ ହଜାର ଟଙ୍କା ଦାବି କରିଥିଲେ।

ଏ ସମ୍ପର୍କରେ ସବିତା ଗତ ରବିବାର କେନ୍ଦ୍ରାପଡ଼ା ଭିଜଲାନ୍ସ ଡିଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଗତକାଲି ଆରଆଇ ତାଙ୍କ କାର୍ଯ୍ୟାଳୟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସବିତା ମଲ୍ଲିକଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଅନିତାଙ୍କୁ ଗିରଫ କରିଥିଲେ। ଏଥିସହ ଅନିତାଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଉଦ୍ଧାର କରାଯାଇଥିଲା ବୋଲି କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗର ଡିଏସପି ଏସ୍ଏନ୍ ରାୟଗୁରୁ ସୂଚନା ଦେଇଛନ୍ତି।ଅପରପକ୍ଷରେ ଆରଆଇ ଅନିତା ତରାଇ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଅନିତାଙ୍କ କହିବା କଥା ହେଉଛି ସବିତା ମଲ୍ଲିକ ଏକ ଅନାବାଦି ଜମିକୁ ଦୀର୍ଘ ବର୍ଷ ହେଲା ଜବରଦଖଲ କରିଆସୁଥିଲେ। ତାଙ୍କ ନାମରେ ଜବର ଦଖଲ ଜରିମାନା ପାଉତି କାଟିବାକୁ ସେ ଅତିରିକ୍ତ ଆରଆଇଙ୍କ ସହ କଥା ହୋଇଥିଲେ। ଗତକାଲି ସବିତା ଏହି ଟଙ୍କା ଅତିରିକ୍ତ ଆରଆଇଙ୍କୁ ଦେଇ ପାଉତି କାଟିବାକୁ ଆସିଥିଲେ। ତେବେ ଅତିରିକ୍ତ ଆରଆଇ ଅଫିସରେ ନଥିବାରୁ ସବିତା ମଳିକ ଏହି ୫,୦୦୦ ଟଙ୍କା ଆରଆଇ ଅନିତାଙ୍କ ନିକଟରେ ଜମା ଦେଇ ଯାଇଥିଲେ। ଅତିରିକ୍ତ ଆରଆଇ ଆସିଲେ ଏହି ଜରିମାନା ପାଉତି କାଟିଥାନ୍ତେ। ଏଣୁ ସେ ଲାଞ୍ଚ ନେଇନାହାନ୍ତି ବୋଲି ସଫେଇ ଦେଇଛନ୍ତି।

ଗିରଫ ଅଭିଯୁକ୍ତ ଆରଆଇ ଅନିତାଙ୍କୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। କଟକ ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯିବ। ଆଳି ବ୍ଲକର ନୂଆଗାଁରେ ଥିବା ଅନିତାଙ୍କ ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଅନିତାଙ୍କ ସମ୍ପତ୍ତି କେତେ ଓ ତାଙ୍କ ଦରମା କେତେ ରହିଛି ସେନେଇ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଛି।

Comment