ଓଡ଼ିଶାଲାଇଭ୍ ବ୍ୟୁରୋ

ଦୃଷ୍ଟିହୀନତା ଦୂର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ସ୍ତରର ସମ୍ମାନଜନକ ‘ଗ୍ରୀନବର୍ଗ ପୁରସ୍କାର’ ମିଳିଛି। ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଗୁଲ୍ଲାପାଲ୍ଲି ଏନ୍ ରାଓଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।“ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ୩ ହଜାର ସଦସ୍ୟ ଥିବା ପରିବାର ତଥା ଏହାର ଶୁଭେଚ୍ଛୁଙ୍କ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି ମୁଁ ବେଶ୍ ଆନନ୍ଦିତ ତଥା ଗର୍ବିତ ହେବି। ଆଖିର ଯତ୍ନ ନେଇଆସୁଥିବା ବିଶ୍ୱର ସମସ୍ତ ଅନୁଷ୍ଠାନ ପାଇଁ ‘ଦୃଷ୍ଟିହୀନତା ଦୂରୀକରଣ’ ଲକ୍ଷ୍ୟକୁ ହାସଲ କରିବା ଗତ ଦୁଇ ଦଶନ୍ଧି ଧରି ଏକ ସ୍ୱପ୍ନ ହୋଇ ରହିଆସିଥିଲା। ଏ ଦିଗରେ ଆମର ଅବଦାନକୁ ସ୍ୱୀକୃତି ଦେଇଥିବାରୁ ଆମେ ସାନଫୋର୍ଡ ଆଣ୍ଡ ସୁସାନ ଗ୍ରୀନବର୍ଗ ଏଣ୍ଡ ବ୍ଲାଇଣ୍ଡନେସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛୁ”, କହିଛନ୍ତି ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲ୍ଲାପାଲ୍ଲି ଏନ୍ ରାଓ।

ମାତ୍ର ୧୯ ବର୍ଷ ବୟସରେ ନିଜ ଦୃଷ୍ଟି ଶକ୍ତି ହରାଇଥିବା ଡାକ୍ତର ସାନଫୋର୍ଡ ଗ୍ରୀନବର୍ଗ ‘ଦୃଷ୍ଟିହୀନତା ଦୂରୀକରଣ’ ଭଳି ଏକ ମହତ୍ ଆନ୍ଦୋଳନ ଆରମ୍ଭ କରିଥିଲେ। ଏପରିକି ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଦୃଷ୍ଟିଶକ୍ତି ନ ଥିଲା। ଡାକ୍ତର ଗ୍ରୀନବର୍ଗ ୨୦୧୨ରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅଧୀନ ୱିଲମର ଆଇ ଇନଷ୍ଟିଚ୍ୟୁଟର ପରିଚାଳନା ପରିଷଦର ଅଧ୍ୟକ୍ଷ ଥିବାବେଳେ ‘ଗ୍ରୀନବର୍ଗ ପୁରସ୍କାର’ର ଘୋଷଣା କରାଯାଇଥିଲା। ଦୃଷ୍ଟିହୀନତା ଦୂରୀକରଣ ଦିଗରେ ଅଗ୍ରଣୀ ଭୂମିକା ନେଇଥିବା ବୈଜ୍ଞାନିକ ତଥା ଡାକ୍ତରୀ କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଉଛି।

ସାଧାରଣତଃ ବୈଜ୍ଞାନିକ ଓ ଡାକ୍ତରୀ କ୍ଷେତ୍ରର ବ୍ୟକ୍ତିବିଶେଷ ଯେଉଁମାନେ ଗୋଟିଏ ଦୁର୍ବଳ ସ୍ଥିତିରେ ନିରବଚ୍ଛିନ୍ନ ସଂଗ୍ରାମ କରିବାରେ ଅଗ୍ରଣୀ ଭୂମିକା ନେଇଆସିଛନ୍ତି ସେହିମାନଙ୍କୁ ଗ୍ରୀନବର୍ଗ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାରରେ ୨୨ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଥାଏ। ଏହି ଉଦ୍ୟମ ପଛରେ ପ୍ରତିଷ୍ଠିତ ବୈଜ୍ଞାନିକ, ବାଣିଜ୍ୟ, ରାଜନୀତି, ସଂସ୍କୃତି, କଳା, ସଙ୍ଗୀତ ଏବଂ ମନୋରଞ୍ଜନ ଆଦି ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ରହିଛନ୍ତି।ସୂଚନା ଥାଉକି, ୧୯୮୭ରେ ପ୍ରତିଷ୍ଠା ହୋଇଥିବା ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ଅଗ୍ରଣୀ ଚକ୍ଷୁ ଯତ୍ନ ସେବା ପ୍ରଦାନକାରୀ ସଂସ୍ଥା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ’)ର ସହଯୋଗରେ ଏହି ସଂସ୍ଥା ଦୃଷ୍ଟିହୀନତା ଦୂରୀକରଣ ପାଇଁ କାମ କରୁଛି ଏବଂ ‘ଭିଜନ ୨୦୨୦: ଦୃଷ୍ଟିର ଅଧିକାର’ ଭଳି କାର୍ଯ୍ୟକ୍ରମ ପାଇଁ ଏହା ଏକ ବିଶ୍ଵସ୍ତରୀୟ ଗବେଷଣା ସଂସ୍ଥା ଭାବେ ଉଭା ହୋଇପାରିଛି। ପିରାମିଡ୍ ମଡେଲରେ କାମ କରୁଥିବା ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଚକ୍ଷୁ ଯତ୍ନ କ୍ଷେତ୍ରରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ଭଳି ୪ଟି ରାଜ୍ୟର ଉପାନ୍ତ ଗ୍ରାମୀଣ ଅଞ୍ଚଳରେ ସେବା ଯୋଗାଉଛି।

Comment