ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱରେ ଗ୍ଲାକୋମା ଏକ ସାଧାରଣ ରୋଗ ଭାବେ ମୁଣ୍ଡ ଟେକିଛି। ସାଧାରଣତଃ ଆଖିରେ ଏହି ରୋଗ ଦେଖାଦେଇଥାଏ। ଯଦି ଏହି ରୋଗକୁ ଠିକ୍ ସମୟରେ ଚିହ୍ନଟ କରି ଉପଚାର କରା ନଯାଏ ତାହାଲେ ଦୃଷ୍ଟିଶକ୍ତି ହ୍ରାସ ପାଇବାର ଅଧିକ ସମ୍ଭାବନା ରହିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପ୍ରମୁଖ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଗ୍ଲାକୋମା ସଚେତନତା ସପ୍ତାହ ପାଳନ କରାଯାଉଛି।

ମାର୍ଚ୍ଚ ୧୦ ତାରିଖରୁ ଏହି ସଚେତନତା ସପ୍ତାହ ଆରମ୍ଭ ହୋଇଛି। ୧୬ ତାରିଖ ଯାଏଁ ଏହା ଚାଲିବ। ଏହି ଚକ୍ଷୁ ସମସ୍ୟା ଉଭୟ ପିଲା ଏବଂ ବୟସ୍କଙ୍କ ପାଖରେ ଦେଖାଦେଇଥାଏ। ଏଣୁ ଏହି ବର୍ଗର ଲୋକମାନଙ୍କୁ ଗ୍ଲାକୋମା ସମ୍ପର୍କରେ ସଚେତନ କରାଯାଉଛି।

ଏହି ସଚେତନତା ସପ୍ତାହ ପାଳନ ଅବସରରେ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ପକ୍ଷରୁ ପଟିଆ ଛକରୁ ବିଗ୍ ବଜାର ଛକ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଏହି ରୋଗରୁ ଦୂରେଇ ରହିବା ପାଇଁ ମାର୍ଚ୍ଚ ୧୧ରୁ ୧୫ ତାରିଖ ଯାଏଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।

ରାୟଗଡ଼ା, ରାଜଗାଙ୍ଗପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ ଥିବା ଚକ୍ଷୁ ଚିକିତ୍ସା କେନ୍ଦ୍ରରେ ମଧ୍ୟ ଗ୍ଲାକୋମା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏହି ରୋଗ ସମ୍ପର୍କରେ ରୋଗୀମାନଙ୍କୁ ଅବଗତ କରାଯାଉଛି।

“ସାରା ବିଶ୍ୱରେ ଗ୍ଲାକୋମା ସମସ୍ୟା ଚିନ୍ତାର କାରଣ ପାଲଟିଛି। ବିଶେଷକରି ଭାରତରେ ଏହି ରୋଗର ଭୟାବହତା ବୃଦ୍ଧି ପାଇଛି। ଗ୍ଲାକୋମା ସମ୍ପର୍କରେ ସଚେତନତା ଅଭାବରୁ ବହୁ ଗରିବ ରୋଗୀମାନଙ୍କର ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡୁଛି। ଏଣୁ ଆଖିରେ ଗ୍ଲାକୋମା ସମସ୍ୟା ଦେଖାଦେବା ମାତ୍ରେ ଚିକିତ୍ସା ଆରମ୍ଭ କଲେ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିବାର ଆଶଙ୍କା କମ୍ ରହିଛି”, କହିଛନ୍ତି ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନର ଗ୍ଲାକୋମା ବିଭାଗୀୟ ମୁଖ୍ୟ ଡାକ୍ତର ଶିରିଶ ସେନଥିଲ୍ ।

ଭାରତରେ ଗ୍ଲାକୋମା ସମସ୍ୟା ଅନେକ ରୋଗୀଙ୍କୁ ଆକ୍ରାନ୍ତ କରିଛି। ପ୍ରାୟ ୪୦ ବର୍ଷ ବୟସର ୧୧.୨ ମିଲିଅନ ରୋଗୀ ଗ୍ଲାକୋମାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ରୋଗ ସମ୍ପର୍କରେ ସଚେତନ ନଥିବାରୁ ପ୍ରାୟ ୧.୧ ମିଲିଅନ ଲୋକ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି।

Comment