ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱ ଦୃଷ୍ଟି ଦିବସ। ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ ଦୃଷ୍ଟି ଦିବସ ଭାବେ ପାଳନ କରାଯାଏ। ଚଳିତବର୍ଷ ଚକ୍ଷୁ ଦିବସର ବିଷୟବସ୍ତୁ ରହିଛି ‘ଭିଜନ୍‌ ଫାଷ୍ଟ’ ବା ଦୃଷ୍ଟିଶକ୍ତି ପ୍ରଧାନତଃ।

ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଭାବେ ଯତ୍ନ ନେବା, ତେବେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡ଼ାଇ ପାରିବା। ସାଧାରଣ ଆଖି ସମସ୍ୟା ପାଇଁ କ’ଣ କରିବେ, ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ। ଆସନ୍ତୁ, ଭୁବନେଶ୍ୱରସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନର ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କଠାରୁ ଶୁଣିବା ଆଖିର ସମସ୍ୟାକୁ କେମିତି ଏଡ଼ାଇବେ।

ଚକ୍ଷୁ ସମ୍ବନ୍ଧୀୟ ବିଭିନ୍ନ ରୋଗ ଓ ସମସ୍ୟା

ବର୍ତ୍ତମାନ ସମୟରେ ଆଖି ସମ୍ବନ୍ଧୀୟ ଅନେକ ରୋଗ ତଥା ସମସ୍ୟା ଲୋକମାନଙ୍କ ପାଖରେ ଦେଖାଦେଉଛି। ମୁଖ୍ୟତଃ କିଛି ଲୋକଙ୍କୁ ବିନା ଚଷମାରେ ଦେଖାନଯିବା ବର୍ତ୍ତମାନ ସମୟରେ ପ୍ରମୁଖ ଚକ୍ଷୁ ସମସ୍ୟା ଭାବେ ଦେଖାଦେଇଛି। ଯାହା ଅନ୍ଧତ୍ୱର ପ୍ରମୁଖ କାରଣ ପାଲଟିଛି। ଏହାସହ କାଟ୍ରାଟ୍, ଆଖିର ଅଲସର ସହ ଡାଇବେଟିସ କାରଣରୁ ଚକ୍ଷୁରେ ଅନେକ ସମସ୍ୟା ଦେଖାଯାଇଥାଏ। ଯାହା ଅନ୍ଧତ୍ୱର କାରଣ ପାଲଟିଥାଏ।

ଏହାସହ ରକ୍ତଚାପ, କୋର୍ନିଆଲ ଅଲସର ଓ ଗ୍ଲାକୋମା ଆଦି ବିଭିନ୍ନ ରୋଗ କାରଣରୁ ଆଖିରେ ସମସ୍ୟା ଦେଖାଯାଇଥାଏ। ଏଥିମଧ୍ୟରୁ କେତେକ ଜନ୍ମଗତ ହୋଇଥିଲା ବେଳେ ଆଉ କେତେକ ସାଧାରଣ ଭୁଲ କାରଣରୁ ହୋଇଥାଏ।

ଚକ୍ଷୁରୋଗର ବିଭିନ୍ନ ଲକ୍ଷଣ

ଡାକ୍ତର କହିବା ଅନୁସାରେ କୋର୍ନିଆଲ ଅଲସର ଭଳି ରୋଗ ଆଖିରେ କୌଣସି ପ୍ରକାର ମାଡ଼ ହେବା କାରଣରୁ ହୋଇଥାଏ। ଏହି କୋର୍ନିଆଲ ଅଲସର ଭଳି ରୋଗହେବା ଦ୍ୱାରା ଆଖି ଲାଲ ପଡ଼ିବା ସହ ଆଖିରୁ ପାଣି ବାହାରିଥାଏ। ଏହାସହ ଆଖିର ଆଲର୍ଜି ହୋଇ ଆଖି କୁଣ୍ଡାଇହେବା ଭଳି ବିଭିନ୍ନ ସମସ୍ୟା ଦେଖାଯାଇଥାଏ।

ଏଭଳି ଅନେକ ସମସ୍ୟାର ଦେଖାଦେଇଥାଏ। ଯେମିତିକି ଚଷମା ପିନ୍ଧୁଥିବା ଲୋକଙ୍କୁ ଦୂର ଜିନିଷ ଠିକ୍ ସେ ଦେଖାନଯିବ କିମ୍ବା ସ୍କୁଲରେ ପିଲାଙ୍କୁ କଳାପଟା ଦୂରରୁ ଦେଖା ନ ଯିବା, ବହିର ଅକ୍ଷର ଦେଖା ନ ଯିବା ଭଳି ସମସ୍ୟା ଉପୁଜିଥାଏ। ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା ଅନୁସାରେ ଚିକିତ୍ସା କରିବା ଉଚିତ୍।

ଆଖିରେ ଆଘାତ ଲାଗିଲେ କ’ଣ କରିବେ?

କେତେକ ଲୋକ ଡାକ୍ତରଙ୍କଠାରୁ ପରାମର୍ଶ ନ କରି ମେଡିସିନ ବ୍ୟବହାର କରିଥା’ନ୍ତି। ଫଳରେ କିଛି ଲୋକଙ୍କ ଆଖି ନଷ୍ଟ ହେବା କଥା ସେ ଦେଖିଛନ୍ତି ବୋଲି ଓଡ଼ିଶାଲାଇଭ୍ ଟିମ୍ ଆଗରେ କହିଥିଲେ। ତେଣୁ ଶ୍ରୀ ସାହୁ କହିଛନ୍ତି ଯେ, ଆଖିରେ କୌଣସି ପ୍ରକାରର ଆଘାତ ଲାଗିଲେ ସାଙ୍ଗେସାଙ୍ଗେ ଆଖିକୁ ଧୋଇବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ୍ ବ୍ୟବହାର କରନ୍ତୁ।

ସେହିପରି ଡାଇବେଟିସ୍ ରୋଗରେ ପୀଡ଼ିତ ଲୋକ ଓ ୪୫ବର୍ଷରୁ ଅଧିକ ବର୍ଷର ଲୋକମାନେ ଡାକ୍ତରଙ୍କ ପାଖରେ ନିୟମିତ ଆଖି ପରୀକ୍ଷା କରିବା ଉଚିତ ବୋଲି ଡାକ୍ତର କହିଛନ୍ତି।

ଚୂନ ଓ ବିଭିନ୍ନ ସ୍ପ୍ରେଠାରୁ ନିଜକୁ ଦୂରେଇ ରଖନ୍ତୁ

ଡାକ୍ତର ଶ୍ରୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ଯଥାସମ୍ଭବ ଆଖିକୁ ଚୂନଠାରୁ ଦୂରେଇ ରଖନ୍ତୁ। କାରଣ ଚୂନ ପ୍ୟାକେଟ୍‌କୁ ଚିରିବା ସମୟରେ ସେଥିରୁ ଚୂନ ଆଖିରେ ପଡ଼ି ଆଖିକୁ ନଷ୍ଟ କରିଥାଏ। ଏହାସହ ବାହାଘରମାନଙ୍କର ବ୍ୟବହାର କରୁଥିବା ବିଭିନ୍ନ ପ୍ରକାରର ଫେଣର ସ୍ପ୍ରେ ଆଖିରେ ପଡ଼ିବା ଦ୍ୱାରା ଏହା ଆଖିକୁ ନଷ୍ଟ କରିଥାଏ। ଏହାସହ ରାତିରେ ଗାଡ଼ି ଚଲେଇବା ସମୟରେ ପୋକ ପଡ଼ି ମଧ୍ୟ ଆଖିକୁ ନଷ୍ଟ କରିଦେଇଥାଏ। ତେଣୁ ଯଥାସମ୍ଭବ ଏହିସବୁ ଜିନିଷଠାରୁ ଦୂରେଇ ରହିବା ସହ ଆଖିକୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଆଖିକୁ ବିଶ୍ରାମ ଦିଅନ୍ତୁ

ଆଖିକୁ ବିଶ୍ରାମ ଦିଅନ୍ତୁ। କାରଣ ଆଖିକୁ ଠିକ୍‌ ଭାବେ ବିଶ୍ରାମ ନ ମିଳିଲେ, ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ଆଖିକୁ ଅତିକମ୍‌ରେ ୬ ରୁ ୮ଘଣ୍ଟା ବିଶ୍ରାମ ଦେବା ପାଇଁ ଡାକ୍ତର ଶ୍ରୀକାନ୍ତ ଦେଇଛନ୍ତି।

ସେ କହିଛନ୍ତି, ‘‘ରାତି ଅନିଦ୍ରା ହୋଇ କୌଣସି କାମ କରନ୍ତୁ ନାହିଁ। ପ୍ରତି ୨୦ ମିନିଟରେ ଥରେ ଆଖିକୁ ୨୦ସେକେଣ୍ଡ ବିଶ୍ରାମ ଦେଇ ୨୦ଫୁଟ୍ ଦୂର କୌଣସି ଜିନିଷକୁ ଚାହିଁ ରହନ୍ତୁ। ଫଳରେ ଆଖିକୁ ଉପଯୁକ୍ତ ବିଶ୍ରାମ ମିଳିପାରିଥାଏ ଏବଂ ଆଖି ସମସ୍ୟା ଦେଖାଯାଇନଥାଏ।’’

ଆଖିପତାକୁ ଅଳ୍ପ ଉଷୁମ ପାଣିରେ ଧୁଅନ୍ତୁ

ଯେତେବେଳେ ବି ଆପଣ ବାହାରକୁ ଯାଉଛନ୍ତି, ଘରକୁ ଆସିବାପରେ ଆଖିର ପତାକୁ ବନ୍ଦକରି ଅଳ୍ପ ଉଷୁମ୍‌ ପାଣିରେ ଭଲରେ ଧୋଇଦେବା ଉଚିତ୍। ଏହାଦ୍ୱାରା ଆଖିପତା ପରିଷ୍କାର ରହିବା ସହ ଆଖି ସମସ୍ୟା ଦେଖାଯାଇନଥାଏ।

ଆଖିକୁ ପରିଷ୍କାର ରଖିବାକୁ କେତେକ ଲୋକ ବିଭିନ୍ନ ପ୍ରକାରର କୁତ୍ରିମ ଜିନିଷର ବ୍ୟବହାର କରିଥାନ୍ତି। ଯାହାଫଳରେ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ସାଧାରଣ କିମ୍ବା ଅଳ୍ପ ଉଷୁମ ପାଣିରେ ହିଁ ଆଖିକୁ ଧୋଇବା ଦ୍ୱାରା ଆଖି ପରିଷ୍କାର ରହିଥାଏ।

Comment