ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ନୂତନ ସିଟି ସେଣ୍ଟର ଭୁବନେଶ୍ୱରର ରବି ଟକିଜ୍ ନିକଟସ୍ଥ ଲୁଇସ୍‌ ରୋଡରେ ବୁଧବାର ଉଦ୍‌ଘାଟିତ ହୋଇଛି। କାନାଡାସ୍ଥିତ ବ୍ରିଟିଶ୍ କଲମ୍ବିଆ ବିଶ୍ୱବିଦ୍ୟାଳୟର ଭିଜିଟିଂ କ୍ଲିନିକାଲ୍ ପ୍ରଫେସର ଡାକ୍ତର ପିଟର ଡୋଲମ୍ୟାନ୍‌ ଏହି ସିଟି ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏଲ୍.ଭି.ପି.ଇ.ଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଆତ୍ମାକୁରୀ ରାମମ୍ ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡାକ୍ତର ସୂର୍ଯ୍ୟସ୍ନାତ ରଥ ଉପସ୍ଥିତ ଥିଲେ।

ଏହି ଅବସରରେ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆତ୍ମାକୁରୀ ରାମମ୍ କହିଛନ୍ତି ଯେ ‘‘ଲୋକମାନଙ୍କୁ ଉଦ୍ଦିଷ୍ଟ ସେବା ଯୋଗାଇ ଦେବା ପାଇଁ ଏଲ୍.ଭି.ପ୍ରସାଦ ସବୁବେଳେ ପ୍ରୟାସ କରିଆସିଛି। ଏଲ୍.ଭି.ପ୍ରସାଦର ମୁଖ୍ୟ ଚିକିତ୍ସାଳୟ ଭଳି ଏହି ସେଣ୍ଟରରେ ମଧ୍ୟ ଲୋକମାନେ ସମସ୍ତ ସୁବିଧା ସୁଯୋଗ ପାଇପାରିବେ।’’

ସେହିପରି ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡକ୍ଟର ସୂର୍ଯ୍ୟସ୍ନାତ ରଥ କହିଛନ୍ତି ‘‘ଆମେ ବିଗତ ୧୩ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ସେବା କରିଆସୁଛୁ। ଲୋକମାନଙ୍କର ଆହୁରି ନିକଟତର ହେଇ ସେମାନଙ୍କୁ ହାତ ପାଆନ୍ତାରେ ସମସ୍ତ ସେବା ଯୋଗାଇଦେବା ଏହି ସେଣ୍ଟର ଉଦ୍‌ଘାଟନର ମୁଖ୍ୟ ଉଦ୍ଦେଶ୍ୟ। ରାଜଧାନୀର ବିଶେଷ କରି କାର୍ଯ୍ୟରତ ଜନସାଧାରଣଙ୍କୁ ଚକ୍ଷୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହି ନୂଆ ସିଟି ସେଣ୍ଟର ଖୋଲାଯାଇଛି।”

ସେହିପରି ସୁଦୂର କାନାଡ଼ାରୁ ଆସିଥିବା ପ୍ରଫେସର ଡକ୍ଟର ପିଟର ଡୋଲମ୍ୟାନ୍‌ କହିଛନ୍ତି ଯେ ସେ ଅନେକ ସ୍ଥାନରେ ଚକ୍ଷୁ ଚିକିତ୍ସାଳୟ ଦେଖିଛନ୍ତି, ତେବେ ଏଠାରେ ଯେଉଁ ସୁବିଧାସୁଯୋଗ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି ତାହା ବାସ୍ତବିକ ଅନ୍ତର୍ଜାତୀୟ ସ୍ତରର।’’

ଲୁଇସ୍‌ ରୋଡ଼ସ୍ଥିତ ଏଲ୍.ଭି.ପ୍ରସାଦର ଏହି ସିଟି ସେଣ୍ଟର ଦିନ ୧୦ଟାରୁ ରାତି ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ଚକ୍ଷୁ ପରୀକ୍ଷା, ନିଦାନ ଓ ଶଲ୍ୟ ଚିକିତ୍ସା ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି। ବୁଧବାର ଉଦ୍‌ଘାଟନ ପରେ ଏହି ସିଟି ସେଣ୍ଟରରେ ଖୋଲିଥିବା ବେଳେ ଖୁବ୍‌ଶୀଘ୍ର ଶଲ୍ୟ ଚିକିତ୍ସା ଆରମ୍ଭ ହେବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଛଡ଼ା ଏଲ୍.ଭି.ପି.ଇ.ଆଇ ରାଜଗାଙ୍ଗପୁର, ରାୟଗଡ଼ା, କେନ୍ଦୁଝର ଓ ବ୍ରହ୍ମପୁରଠାରେ ୪ଟି କାର୍ଯ୍ୟକାରୀ ମାଧ୍ୟମିକ କେନ୍ଦ୍ର ସ୍ଥାପନ କରିଛି। ଜୁଲାଇ ୨୦୦୬ଠାରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ରେ ୧,୨୦୭,୬୦୫ ରୋଗୀଙ୍କର ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୧୨୯,୧୬୦ ରୋଗୀଙ୍କର ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଏଥିସହିତ ୩୪୪,୪୦୧ ରୋଗୀଙ୍କୁ ଏଯାବତ୍ ନିଃଶୁଳ୍କ ସେବା ଯୋଗାଇ ଦିଆଯାଇଛି। ଏହା ଏକ ଗର୍ବର ବିଷୟ ବୋଲି ନୂଆ ସିଟି ସେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡାକ୍ତର ସୂର୍ଯ୍ୟସ୍ନାତ ରଥ କହିଛନ୍ତି।

Comment