ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୯ରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମାଇଁସାଇକ୍ଲୋଥନ୍ କାର୍ଯ୍ୟକ୍ରମ ଆୟୋଜନ ହେବ।

  • ଜାନୁଆରି ୧୯ ତାରିଖରେ ହେଉଛି ମାଇଁସାଇକ୍ଲୋଥନ୍
  • ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହେବ ମାଇଁସାଇକ୍ଲୋଥନ୍
  • ଯୋଗଦେବେ ପେସାଦାର ଓ ସାଧାରଣ ସାଇକେଲ୍ ଚାଳକ
  • ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ନିଆରା ପ୍ରୟାସ
  • ମୋୟୋପିଆର ଭୟବହତା ନେଇ ସଚେତନତାମୂଳକ କାର୍ଯ୍ୟକ୍ରମ

ପିଲାଙ୍କ ଭିତରେ ବଢୁଥିବା ସମୀପ ଦୃଷ୍ଟିଦୋଷ ବା ମାୟୋପିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଥିପାଇଁ ଜାନୁଆରି ୧୯ ତାରିଖରେ ‘ମାଇଁସାଇକ୍ଲୋଥନ୍’ କାର୍ଯ୍ୟକ୍ରମ ଆୟୋଜନ କରୁଛି ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍। ସୋମବାରଠାରୁ ଏହି କାର୍ଯ୍ୟକ୍ରମ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।ଜାନୁଆରି ୧୯ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମ୍‌ରୁ ପତାକା ଦେଖାଇ ମାଇଁସାଇକ୍ଲୋଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏଥିରେ ଚାରୋଟି ବର୍ଗରେ ଉଭୟ ପେସାଦାର ଏବଂ ସାଧାରଣ ସାଇକ୍ଲିଷ୍ଟ ଯୋଗଦେବେ। ପେସାଦାର ବର୍ଗରେ ୪୬ କିଲୋମିଟର (ସମୟ ନିର୍ଦ୍ଧାରିତ) ଏବଂ ୧୩ କିଲୋମିଟର (ସମୟ ନିର୍ଦ୍ଧାରିତ ନୁହେଁ) ଦୂରତା ଧାର୍ଯ୍ୟ କରାଯାଇଥିବା ବେଳେ ସାଧାରଣ ବର୍ଗରେ ୬ କିଲୋମିଟର ଦୂରତା ରଖାଯାଇଛି। ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଯେକୌଣସି ଆଗ୍ରହୀ ବ୍ୟକ୍ତିଙ୍କ ସହ ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି।

ମାଇଁସାଇକ୍ଲୋଥନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ପାଇଁ ସୋମବାର ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡର ଲୋକପ୍ରିୟ କଳାକାର ତଥା ମାଇଁସାଇକ୍ଲୋଥନର ବ୍ରାଣ୍ଡ ଆମ୍ବାସଡର୍ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ।‘‘ମାୟୋପିଆ ଏବେ ସାରା ପୃଥିବୀରେ ଏକ ସାଧାରଣ ଦୃଷ୍ଟିଦୋଷର ରୂପ ନେବାକୁ ଯାଉଛି। ଆଗାମୀ ୨୦୫୦ ମସିହା ବେଳକୁ ପୃଥିବୀର ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଭିତରେ ଏହି ସମସ୍ୟା ଦେଖାଦେଇପାରେ। ବିଶେଷକରି, ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଭାରତରେ ପିଲାଙ୍କ ଭିତରେ ମାୟୋପିଆ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ସଚେତନତା ଏବଂ ଚିକିତ୍ସା ଉପରେ ଆଜିଠାରୁ ଗୁରୁତ୍ୱ ନ ଦେଲେ ସେହି ପିଲାମାନଙ୍କ ଜୀବନ ବିଶେଷଭାବେ ପ୍ରଭାବିତ ହେବ’’, କହିଛନ୍ତି ଏଲ୍ ଭି ପ୍ରସାଦ ଭୁବନେଶ୍ୱର କ୍ୟାମ୍ପସ୍‌ର ନିର୍ଦ୍ଦେଶକ ଡାକ୍ତର ସୂର୍ଯ୍ୟସ୍ନାତ ରଥ।ଏହାସହ ଡାକ୍ତର ସୂର୍ଯ୍ୟସ୍ନାତ ରଥ କହିଥିଲେ ଯେ, ମାୟୋପିଆ ସମ୍ପର୍କରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବ୍ୟାପକ ଗବେଷଣା ଜାରି ରହିଛି। ଆଗାମୀ ଦିନରେ ଭୁବନେଶ୍ୱରରେ ମାୟୋପିଆ ପ୍ରଭାବିତ ଶିଶୁମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଏକ ସ୍ୱତନ୍ତ୍ର କେନ୍ଦ୍ରର ମଧ୍ୟ ସ୍ଥାପନ କରାଯିବ।

ଏହି କାର୍ଯ୍ୟକ୍ରମରେ ସିଆରୟୁଟିର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ମଧ୍ୟ ଯୋଗଦେଇଥିଲେ। ତାଙ୍କ ସହ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ସୁସ୍ଥ ଜୀବନ ପାଇଁ ଦୃଷ୍ଟିଶକ୍ତିର ଗୁରୁତ୍ୱ ଉପରେ ନିଜର ବାର୍ତ୍ତା ରଖିଥିଲେ।ସାଧାରଣ ଜନତାଙ୍କ ମଧ୍ୟରେ ମାୟୋପିଆର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏହା ମାଧ୍ୟମରେ ଅନୁଦାନ ସଂଗ୍ରହ କରି ମାୟୋପିଆ ପ୍ରଭାବିତ ପିଲାଙ୍କୁ ମାଗଣା ଚିକିତ୍ସା ଓ ଚଷମା ଯୋଗାଇଦେବା ମାଇଁସାଇକ୍ଲୋଥନ୍ ଆୟୋଜନର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ଏଭଳି ଏକ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମାଇଁସାଇକ୍ଲୋଥନ୍‌ର ପ୍ରାୟୋଜକ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଏମସିଏଲ୍, ରାଧାରମଣ ଆଇ ହସ୍ପିଟାଲ ଏବଂ ଭିଜନ କେୟାରକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ସେହିପରି ମାଇଁସାଇକ୍ଲୋଥନର ପାର୍ଟନରମାନଙ୍କ ମଧ୍ୟରେ ସିଆରୟୁଟି, ମୋ ସାଇକେଲ୍, ୟାନା, ରେଡିଓ ପାର୍ଟନର୍ ରେଡ୍ ଏଫଏମ୍ ଏବଂ ଡିଜିଟାଲ୍ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‌କୁ ଆୟୋଜକ ସଂସ୍ଥା ଧନ୍ୟବାଦ ଜଣାଇଥିଲେ।

Comment