ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଝିଅମାନଙ୍କର ୠତୁସ୍ରାବକୁ ନେଇ ସମସ୍ତଙ୍କ ପାଖରେ ସଂକୁଚିତ ମନୋଭାବ ରହିଛି। ଏହି ମନୋଭାବ ଯୋଗୁଁ ଝିଅମାନଙ୍କୁ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଆଜି ବି ଲୋକଙ୍କ ମନରେ ୠତୁସ୍ରାବ ସମ୍ପର୍କରେ ଅନ୍ଧବିଶ୍ୱାସ ଭରି ରହିଛି। ଏହାକୁ ପ୍ରଥମେ ଦୂର କରିବା ଦରକାର’’, କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

ଲକ୍‌ଡାଉନ୍‌ ବେଳେ କୋଭିଡ୍‌ ହିରୋମାନଙ୍କ ବିଷୟରେ ଲୋକମାନଙ୍କୁ ଜଣାଇବା ପାଇଁ ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡ଼ିଶାଲାଇଭ୍‌ ଏବଂ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ଜୀବନଶୈଳୀ ପ୍ଲାଟଫର୍ମ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଉଦ୍ୟମରେ ଏକ ଅଭିଯାନ ଆରମ୍ଭ ହୋଇଛି। ଏହାର ନାଁ ରହିଛି ‘କେତେ ନୂଆ ବାଟ’। ଏହି କ୍ୟାମ୍ପେନକୁ ସହଯୋଗ କରୁଛନ୍ତି ‘ୟୁନିସେଫ୍‌’। ଆଜି ବିଶ୍ୱ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ତଥା ୟୁନିସେଫ୍‌ ଗୁଡ୍‌ଉଇଲ୍‌ ଆମ୍ବାସଡର ଅର୍ଚ୍ଚିତା ସାହୁ। ସେ ୠତୁସ୍ରାବ ସ୍ୱଚ୍ଛତା ଦିବସ ଉପରେ ମହିଳା ଓ କିଶୋରୀମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

‘‘ୠତୁସ୍ରାବ ସମୟରେ ଝିଅମାନଙ୍କୁ ଅଲଗା କୋଠରୀରେ ରଖାଯାଇଥାଏ। ସେମାନଙ୍କୁ ବିଭିନ୍ନ କାମ ନକରିବା ପାଇଁ ବାରଣ କରାଯାଇଥାଏ। ଏସବୁକୁ ସାମ୍ନା କରିବା ଝିଅମାନଙ୍କ ପାଇଁ ଭାରି କଷ୍ଟଦାୟକ। ଆଜି ବି ସାନିଟାରି ନାପ୍‌କିନ୍‌ ବ୍ୟବହାରର ଗୁରୁତ୍ୱକୁ ଗାଁ ଗହଳିର ଲୋକ ବୁଝିପାରି ନାହାନ୍ତି। ସାନିଟାରି ନାପ୍‌କିନ୍‌ ବ୍ୟବହାର କଲେ ଅଧିକ ସ୍ୱଚ୍ଛତା ଆସିଥାଏ ବୋଲି ଲୋକ ବୁଝିବା ଦରକାର’’, କହିଛନ୍ତି ଅର୍ଚ୍ଚିତା।

ମେ’ ୨୮, ବିଶ୍ୱ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ। ମହିଳା ଏବଂ ବିଶେଷକରି କିଶୋରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗତ ୫ ବର୍ଷ ହେଲା ପ୍ରତି ବର୍ଷ ମେ’ ୨୮ରେ ବିଶ୍ୱ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି। ୨୦୧୪ରେ ଏହି ଦିବସ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା।

ଅର୍ଚ୍ଚିତା ଆହୁରି କହିଛନ୍ତି ଯେ, ୠତୁସ୍ରାବ ବେଳେ ଝିଅମାନେ ଅଧିକ ସଫାସୁତୁରା ରହିବା ଦରକାର। ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର। କିନ୍ତୁ ଏବେ ବି ଅଧିକାଂଶ ସ୍କୁଲ, କଲେଜରେ ଝିଅମାନଙ୍କ ପାଇଁ ୱାସ୍‌ ରୁମ୍‌ର ବ୍ୟବସ୍ଥା ନାହିଁ। ପାଣି ବ୍ୟବସ୍ଥା ବି ନାହିଁ। ଏଣୁ ସେମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।

ସାନିଟାରି ନାପ୍‌କିନ୍‌ ସବୁ ଜାଗାରେ ମିଳେନାହିଁ। ଏହା ହେଉଛି ସବୁଠୁ ବଡ଼ ସମସ୍ୟା। ଗ୍ରୋସରୀ ଦୋକାନଠୁ ଆରମ୍ଭ କରି ଔଷଧ ଦୋକାନ ପର୍ଯ୍ୟନ୍ତ ସବୁଠି ସାନିଟାରି ନାପ୍‌କିନ୍‌ ଉପଲବ୍ଧ ହେବା ଜରୁରୀ। ଏହାସହ ନାପକିନ୍‌ ବ୍ୟବହାର କରିବା ପରେ ଏହାକୁ କେମିତି ସଠିକ୍‌ ଢଙ୍ଗରେ ନଷ୍ଟ କରାଯିବ ସେଥିପ୍ରତି ମଧ୍ୟ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

‘‘ୠତୁସ୍ରାବ ସମ୍ପର୍କରେ ସମସ୍ତେ ସଚେତନ ହେବା ଜରୁରୀ। ବିଶେଷକରି ଝିଅମାନେ କିପରି ନିଜକୁ ସଫାସୁତୁରା ରଖିପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ୟୁନିସେଫ୍‌ର ଏହି କ୍ୟାମ୍ପେନରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ଅର୍ଚ୍ଚିତା।

ୠତୁସ୍ରାବ ବେଳେ କିଶୋରୀ ଏବଂ ମହିଳାମାନେ ବିଶୁଦ୍ଧ ଜଳ ବ୍ୟବହାର କରିବା ଦରକାର। ବିଶୁଦ୍ଧ ଜଳ ବ୍ୟବହାର କଲେ ହିଁ ସେମାନେ ବିପଦମୁକ୍ତ ରହିପାରିବେ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ମେ’ ୨୮ରେ ବିଶ୍ୱ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ଆସୁଛି।

ୟୁଏନଡିପିର ତଥ୍ୟ ଅନୁଯାୟୀ, ୨୦୧୯ ସୁଦ୍ଧା ଭାରତରେ ୩୫୫ ମିଲିୟନରୁ ଅଧିକ କିଶୋରୀ ଏବଂ ମହିଳା ଅଛନ୍ତି। ହେଲେ ୠତୁସ୍ରାବ ବେଳେ ଲକ୍ଷ ଲକ୍ଷ ମହିଳା ଏବଂ କିଶୋରୀ ବିଭିନ୍ନ ପ୍ରତିବନ୍ଧକର ସାମ୍ନା କରୁଛନ୍ତି।

Comment