ଓଡିଶାଲାଇଭ୍ ବ୍ୟୁରୋ

ମହିଳାମାନଙ୍କର ମାସିକ ଋତୁସ୍ରାବ ଏକ ପ୍ରାକୃତିକ ସୁସ୍ଥ ଶାରୀରିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅନ୍ଧବିଶ୍ଵାସ ରହିଥାଏ। କିଭଳି ଏହି ଅନ୍ଧବିଶ୍ଵାସଠାରୁ ଦୂରେଇ ରହିବା? ସେ ସମ୍ପର୍କରେ କହୁଛନ୍ତି ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

ମାସିକ ଋତୁସ୍ରାବକୁ ନେଇ ଲୋକମାନେ ସଙ୍କୁଚିତ ମନୋଭାବ ପୋଷଣ କରିଥାନ୍ତି। କେହି ଏ ବିଷୟରେ କଥା ହୁଅନ୍ତି ନାହିଁ। ଏସବୁକୁ ଦୂର କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ଅର୍ଚ୍ଚିତା ଏ ସମ୍ପର୍କରେ କହିଛନ୍ତି।

ଅନ୍ଧବିଶ୍ଵାସ

ଆଜିର ଦିନରେ ବି ବହୁତ ଜାଗାରେ ମାସିକ ଋତୁସ୍ରାବକୁ ନେଇ ଅନ୍ଧବିଶ୍ଵାସ ରହିଛି। ଅର୍ଚ୍ଚିତା କହିଛନ୍ତି, “ପିରିୟଡ୍ସ ସମୟରେ ବିଭିନ୍ନ କଟକଣା ରହିଥାଏ। କୌଣସି ଜିନିଷକୁ ଛୁଇଁବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ କଥାରେ ପ୍ରତିବନ୍ଧକ ଥାଏ। ବହୁତ ଜାଗାରେ ପିରିୟଡ୍ସ ସମୟରେ ଝିଅମାନଙ୍କୁ ଗୋଟିଏ ଅଲଗା କୋଠରୀରେ ରହିବାକୁ ପଡ଼ିଥାଏ। ତେଣୁ ସେ ସବୁକୁ ସାମ୍ନା କରିବା ହେଉଛି ବହୁତ ବଡ଼ ଆହ୍ଵାନ।”

ସାନିଟାରି ନାପ୍‌କିନ୍ ବିଳାସ ନୁହେଁ ଆବଶ୍ୟକତା

ଆଜି ବି ଗ୍ରାମାଞ୍ଚଳଗୁଡ଼ିକରେ ସାନିଟାରି ନାପ୍‌କିନ୍‌କୁ ବିଳାସମୟ ସାମଗ୍ରୀ ଭାବେ ବିବେଚନା କରାଯାଏ। କିନ୍ତୁ ଏହା ଏକ ମୌଳିକ ଆବଶ୍ୟକତା ବୋଲି ଅର୍ଚ୍ଚିତା କହିଛନ୍ତି।

ସେ ଆହୁରି କହିଛନ୍ତି, “ସ୍ଵଚ୍ଛ ଏବଂ ସୁସ୍ଥ ରହିବା ପାଇଁ ସାନିଟାରି ନାପ୍‌କିନ୍‌କୁ କେମିତି ବ୍ୟବହାର କରାଯିବ ସେଇଟା ବହୁତ ଲୋକ ବୁଝିପାରନ୍ତି ନାହିଁ।”ଋତୁସ୍ରାବ ସମୟରେ ପରିଚ୍ଛନ୍ନତା

ମାସିକ ଋତୁସ୍ରାବ ସମୟରେ କେମିତି ପରିଷ୍କାର ରହିହେବ ସେ ବିଷୟରେ ସଚେତନ ହେବା ପାଇଁ ଅର୍ଚ୍ଚିତା ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି, “ବହୁତ ଜାଗାରେ ସ୍କୁଲ, କଲେଜ୍‌ରେ ଦେଖାଯାଏ ଯେ ଝିଅମାନଙ୍କ ପାଇଁ ଭଲ ଶୌଚାଳୟଟିଏ ନ ଥାଏ। ଜଳ, ଡଷ୍ଟବିନ୍ ଆଦିର ମଧ୍ୟ ସୁବିଧା ନ ଥାଏ। ତେଣୁ ଜଣେ କର୍ମଜୀବୀ ମହିଳା କିମ୍ବା ପାଠ ପଢ଼ୁଥିବା ଝିଅମାନଙ୍କୁ ପିରିୟଡ୍ସ ସମୟରେ ସଫାସୁତୁରା ରହିବାରେ ଅସୁବିଧା ହୁଏ। ତେଣୁ ସେସବୁକୁ ଆଖି ଆଗରେ ରଖିବା ଉଚିତ।”

ସାନିଟାରି ନାପ୍‌କିନ୍‌ର ଉପଲବ୍ଧତା

ସାନିଟାରି ନାପ୍‌କିନ୍‌ର ଉପଲବ୍ଧତା ଉପରେ ଅର୍ଚ୍ଚିତା ଗୁରୁତ୍ଵ ଦେଇଛନ୍ତି। “ବହୁ ଗ୍ରାମାଞ୍ଚଳରେ ମେଡିସିନ ଷ୍ଟୋର କିମ୍ବା ଗୋସେରୀ ଷ୍ଟୋରରେ ସାନିଟାଲି ନାପ୍‌କିନ୍ ଉପଲବ୍ଧ ନ ଥାଏ। ତେଣୁ ସବୁ ଜାଗାରେ ସାନିଟାରି ନାପ୍‌କିନ୍ ପହଞ୍ଚାଇବା, ତାର ବ୍ୟବହାର କେମିତି କରାଯିବ, କେମିତି ତାକୁ ନିଷ୍କାସନ କରାଯିବ ସେ ବିଷୟରେ ସଚେତନତା ସୃଷ୍ଟି କରାଯିବା ଦରକାର”, ଅର୍ଚ୍ଚିତା କହିଛନ୍ତି।

ପିରିୟଡ୍ସ ବିଷୟରେ ଖୋଲାଖୋଲି କଥା ହେବା ଦରକାର

ପିରିୟଡ୍ସକୁ ନେଇ ବହୁତ ଗୁଡ଼ିଏ ଅନ୍ଧବିଶ୍ଵାସ ଅଛି। ସେସବୁକୁ ଦୂର କରିବାକୁ ହେଲେ ପିରିୟଡ୍ସ ବିଷୟରେ ଖୋଲାଖୋଲି କଥା ହେବା ଦରକାର। ଆମେ ଏ ବିଷୟରେ ଖୋଲାଖୋଲି କଥା ନ ହେଲେ କିଏ କଥା ହେବ ବୋଲି ଅର୍ଚ୍ଚିତା କହିଛନ୍ତି।

ସେ ଆହୁରି କହିଛନ୍ତି, “ଆମେମାନେ କଥା ନ ହେଲେ ଜାଣିପାରିବା ନାହିଁ ଯେ କାହାର କଣ ଅସୁବିଧା ରହିଛି। ତେଣୁ ଆମମାନଙ୍କୁ ହିଁ ଆଗକୁ ଆସିବାକୁ ପଡ଼ିବ। ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ।”BGUଲୋକଙ୍କ ମଧ୍ୟରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ୟୁନିସେଫ୍‌ର ଏହି ପଦକ୍ଷେପ ଦ୍ଵାରା ଲୋକମାନେ ଏବେ ଋତୁସ୍ରାବ ପରିଚ୍ଛନ୍ନତା ସମ୍ପର୍କରେ ଆଲୋଚନା କରୁଛନ୍ତି। ଏହା ବହୁତ ଆନନ୍ଦର ବିଷୟ ବୋଲି ଅର୍ଚ୍ଚିତା କହିଛନ୍ତି।

ସେ ଆହୁରି କହିଛନ୍ତି, “ୟୁନିସେଫ୍‌ର ଏହି କାର୍ଯ୍ୟକ୍ରମ ପରେ ମୁଁ ସ୍ମାଇଲ ପ୍ଲିଜ୍ ଅର୍ଗାନାଇଜେସନ ଓ ଆଜାଦୀ ସାନିଟାରି ନାପ୍‌କିନ୍ ନାମକ ସଂସ୍ଥା ସହ ଜଡ଼ିତ ହେଲି। ଆମେମାନେ ସମସ୍ତେ ମିଶି ଏହି ସଚେତନତାକୁ ଆହୁରି ଦି ପାଦ ଆଗକୁ ନେଉଛୁ। ତେଣୁ ଅଭିନେତ୍ରୀ ହିସାବରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତାରେ ଯୋଡ଼ି ହୋଇଥିବାରୁ ମୁଁ ବହୁତ ଖୁସି।”କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment