ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବିବାହ ପୂର୍ବରୁ ସୋସିଆଲ ମିଡିଆରେ ବର ଏବଂ କନ୍ୟା ବେଶରେ ଫଟୋ ସେଆର କରିଛନ୍ତି ଓଲିଉଡର ହିଟ୍ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା।

‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର’ ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସୋସିଆଲ ମିଡିଆରେ ଏପରି ଲେଖି ଫଟୋ ସେଆର କରିଛନ୍ତି ଓଲିଉଡର ହିଟ୍ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା।ସବ୍ୟସାଚୀ ବର ବେଶରେ ସଜେଇ ହୋଇଥିବାର ଦୁଇଟି ଫଟୋକୁ ନିଜ ସୋସିଆଲ ମିଡିଆ ପେଜ୍‌ରେ ଅର୍ଚ୍ଚିତା ସେଆର କରିଥିବା ବେଳେ ସମାନ ଢଙ୍ଗରେ ସବ୍ୟସାଚୀ ମଧ୍ୟ ଅର୍ଚ୍ଚିତା କନ୍ୟା ବେଶରେ ସଜେଇ ହୋଇଥିବାର ଦୁଇଟି ଫଟୋ ସେଆର କରିଛନ୍ତି।ସୋମବାର ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ରବିବାର ମଧ୍ୟ ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ନିଜ ପ୍ରଶଂସକଙ୍କୁ ଟୁଇଟ୍ କରି କହିଥିଲେ ଯେ, ଆପଣମାନେ ସମସ୍ତେ ଆମ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ। ଆପଣମାନେ ଆମର ଉଭୟ ଭଲ ଓ ଖରାପ ସମୟରେ ଆମ ଉପରେ ଆଶୀର୍ବାଦ ଢ଼ାଳି ଦେଇଛନ୍ତି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଆପଣଙ୍କୁ କିଭଳି ଭୁଲିଯିବୁ? ଜୀବନର ଏଇ ନୂତନ ଯାତ୍ରା ଆରମ୍ଭ କରୁଥିବା ବେଳେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ।

ସବ୍ୟସାଚୀ-ଅର୍ଚ୍ଚିତା ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’, ‘ପାଗଳ କରିଛି ପାଉଁଜି ତୋର’, ‘ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’ ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

Comment