ଓଡ଼ିଶାଲାଇଭ୍ ବ୍ୟୁରୋ

ମୋତିଆ ବିନ୍ଦୁର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଜାଣନ୍ତୁ ଆଖି ଡାକ୍ତର ଶ୍ରୀକାନ୍ତ ସାହୁଙ୍କ ପାଖରୁ..

ମୋତିଆ ବିନ୍ଦୁ ବର୍ତ୍ତମାନ ସମୟରେ ଏକ ଜଟିଳ ସମସ୍ୟା ଭାବେ ଦେଖାଦେଇଛି। ସାଧାରଣତଃ ଏହା ବୟସ୍କ ଲୋକମାନଙ୍କ ଆଖିରେ ଦେଖାଯାଏ। ହେଲେ ବର୍ତ୍ତମାନ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସମସ୍ୟାର ସମାଧାନର ସୂତ୍ର ଖୋଜିବା ପାଇଁ ଓଡ଼ିଶାଲାଇଭ୍ ଟିମ୍ ସାକ୍ଷାତ କରିଥିଲା ଏଲ.ଭି. ପ୍ରସାଦ ଚକ୍ଷୁ ସଂସ୍ଥାର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ସାହୁଙ୍କ ସହ।

ମୋତିଆ ବିନ୍ଦୁ ହେବାର କାରଣ ଓ ନିରାକରଣ ସମ୍ବନ୍ଧରେ ପଚାରି ବୁଝିଥିଲେ ଆମ ପ୍ରତିନିଧି। ଏନେଇ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ କହିଛନ୍ତି, “ମୋତିଆ ବିନ୍ଦୁ ହେଉଛି ଏକ ପ୍ରକାରର ଚକ୍ଷୁ ସମସ୍ୟା ଯାହାଦ୍ୱାରା ଆଖିକୁ ଭଲ ଭାବେ ଦେଖାଯାଇନଥାଏ। ପୂର୍ବରୁ ସ୍ପଷ୍ଟ ଭାବେ ଦେଖାଯାଉଥିବା ଆଖିକୁ ସମୟକ୍ରମେ ସବୁଜିନିଷ ଝାପସା ନଜର ଆସିଥାଏ। ଯାହାକି ପିଲାଠୁ ଆରମ୍ଭ କରି ବୟସ୍କ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ।”

ମୋତିଆ ବିନ୍ଦୁର କାରଣ ଓ ଲକ୍ଷଣ

ମୋତିଆ ବିନ୍ଦୁ କେତେକଙ୍କ ପାଖରେ ବଂଶାନୁକ୍ରମିକ ଭାବେ ଦେଖାଯାଇଥାଏ। ଯଦି ପିଲାର ମା’କୁ ମୋତିଆବିନ୍ଦୁ ହୋଇଥାଏ ତେବେ ଏହି ରୋଗ ତାଙ୍କ ଛୁଆକୁ ମଧ୍ୟ ହୋଇପାରେ। ସେହିପରି ଟକ୍ସୋପ୍ଲାଜମା, ରୁବେଲା ଭଳି ରୋଗରେ ଛୁଆଙ୍କୁ ମୋତିଆ ବିନ୍ଦୁ ହେବାର ସମ୍ଭାବନା ରହିଥାଏ।

ଆଖିରେ ମାଡ଼ ବାଜିବା ଦ୍ୱାରା ମଧ୍ୟ ମୋତିଆବିନ୍ଦୁ ହୋଇଥାଏ। ଯାହାକୁ ଡାକ୍ତରଙ୍କ ଭାଷାରେ ଟ୍ରୋମାଟିକ୍ ମୋତିଆବିନ୍ଦୁ ବୋଲି କୁହାଯାଇଥାଏ। ଏହାଛଡ଼ା କେତେକ ସ୍ଥାନରେ ଛୋଟ ପିଲାଙ୍କୁ ମଧ୍ୟ ମୋତିଆବିନ୍ଦୁ ହେବା ଦେଖାଯାଇଥାଏ। ଯାହାକୁ କନଞ୍ଜେନସିଆଲ୍ ମୋତିଆ ବିନ୍ଦୁ କୁହାଯାଇଥାଏ।

ମୋତିଆ ବିନ୍ଦୁ ହେଲେ ଆପଣଙ୍କ ଆଖିକୁ କୌଣସି ପ୍ରକାର କଷ୍ଟ ଅନୁଭବ ହେବ ନାହିଁ। କିନ୍ତୁ ଯଦି ଆଖିରେ ମାଡ଼ ବାଜିବା କାରଣରୁ ଆପଣଙ୍କର ମୋତିଆ ବିନ୍ଦୁ ହୋଇଛି ତେବେ ଆପଣଙ୍କ ଆଖିକୁ ଅଳ୍ପ ସମୟ ପାଇଁ କଷ୍ଟ ଅନୁଭବ ହେବ।

ଚାଳିଶିଆ ଚଷମା ବ୍ୟବହାର କରୁଥିବା ଲୋକମାନଙ୍କୁ ଯଦି କିଛି ଦିନ ପରେ ସ୍ପଷ୍ଟ ଦେଖାଯାଉଛି, ତେବେ ଏହା ମୋତିଆ ବିନ୍ଦୁର ଅନ୍ୟ ଏକ ଲକ୍ଷଣ ବୋଲି କହିଛନ୍ତି ଡାକ୍ତର ଶ୍ରୀକାନ୍ତ ସାହୁ।

କୁହାଯାଏ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ବ୍ୟବହାର କଲେ ମୋତିଆ ବିନ୍ଦୁ ହୋଇଥାଏ। ତେବେ ଏହା ଏକ ଭୁଲ ଧାରଣା। ବର୍ତ୍ତମାନ ଯାଏ ଏନେଇ କୌଣସି ପ୍ରମାଣ ମିଳିନାହିଁ। ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ବ୍ୟବହାର କଲେ ମୋତିଆ ବିନ୍ଦୁ ହେବନାହିଁ ବୋଲି ଡାକ୍ତର ଶ୍ରୀକାନ୍ତ ସାହୁ କହିଛନ୍ତି।

ମୋତିଆ ବିନ୍ଦୁର ଚିକିତ୍ସା

ମୋତିଆ ବିନ୍ଦୁର ଚିକିତ୍ସା ଉଭୟ ବୟସ୍କ ଓ ଶିଶୁମାନଙ୍କ ପାଇଁ ଏକାପ୍ରକାରର ହୋଇଥାଏ। ମୋତିଆ ବିନ୍ଦୁ ଚିକିତ୍ସା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ପ୍ରଥମରେ ସାଧାରଣ ଭାବରେ ଆଖିର ମୋତିଆ ବିନ୍ଦୁ ଅପରେସନ୍ କରାଯାଇ ଲେନ୍ସକୁ ବାହାର କରାଯାଇଥାଏ। ଦ୍ୱିତୀୟରେ ମେସିନ୍ ସାହାଯ୍ୟରେ ମୋତିଆ ବିନ୍ଦୁର ଅପରେସନ କରାଯାଇଥାଏ। ମେସିନ୍ ସାହାଯ୍ୟରେ ଆଖିରେ ଥିବା ଲେନ୍ସକୁ ୨.୨ ମିଲିମିଟର ଆକାରରେ ଛୋଟ ଛୋଟ କରି କାଢ଼ିବା ସହ ମୋତିଆବିନ୍ଦୁର ଅପରେସନ୍ କରାଯାଇଥାଏ।

ବର୍ତ୍ତମାନ ସମୟରେ ମୋତିଆ ବିନ୍ଦୁର ଚିକିତ୍ସା ବେଶ ସହଜ ହୋଇଯାଇଛି। ମୋତିଆ ବିନ୍ଦୁ ଅପରେସନ୍ ହେବା ପରେ ପୂର୍ବ ପରି ଆଉ ଅଧିକ ନିୟମ ମାନି ଚଳିବାକୁ ପଡୁନାହିଁ। ପୂର୍ବରୁ ମୋତିଆ ବିନ୍ଦୁ ଅପରେସନ୍ ହେବା ପରେ ଛଅ ସପ୍ତାହ ଧରି ଗୋଟିଏ କଡ଼ ମାଡ଼ି ଶୋଇବାକୁ ମନା କରାଯାଉଥିଲା। କିନ୍ତୁ ଏବେ ସେଭଳି କିଛି ମାନିବାକୁ ପଡ଼ିବନାହିଁ।

ବର୍ତ୍ତମାନ ଅପରେସନପରେ ଏକଘଣ୍ଟା ପରେ ଆପଣ ନିଜର ନିୟମିତ କାମ କରିପାରିବେ। କିନ୍ତୁ ଅଳ୍ପଦିନ ପର୍ଯ୍ୟନ୍ତ ଆଖିରେ ଯେପରି ପାଣି ନ ଲାଗେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହାସହ ଆପଣ ପୂର୍ବଭଳି ସମସ୍ତ ଖାଦ୍ୟ ଖାଇପାରିବେ। ରାତିରେ ଶୋଇବାବେଳେ ଆଖିରେ ଏକ ପ୍ରକାର ସ୍ୱତନ୍ତ୍ର ଘୋଡ଼ଣୀ ବ୍ୟବହାର କରିବାକୁ ହେବ। ଏହାସହ ଆଖିକୁ ବିଭିନ୍ନ ଖରାପ ଲାଇଟରୁ ବଞ୍ଚାଇବା ପାଇଁ କଳାଚଷମା ବ୍ୟବହାର କରିବା ପାଇଁ ଡ଼ାକ୍ତର ଶ୍ରୀକାନ୍ତ ସାହୁ ପରାମର୍ଶ ଦେଇଥିଲେ।

ମୋତିଆବିନ୍ଦୁର ଅପରେସନ୍ ପରେ ଚଷମା ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ କରିଛନ୍ତି। ଏହା ବ୍ୟତୀତ ରୋଗୀ ଲେନ୍ସର ମଧ୍ୟ ସାହାଯ୍ୟ ନେଇପାରିବେ। ଏହାଦ୍ୱାରା ପାଖ ଜିନିଷ କିମ୍ବା ଦୂର ଜିନିଷ ଦେଖିବାରେ କୌଣସି ପ୍ରକାରର ଅସୁବିଧା ହେବନାହିଁ ବୋଲି ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ପରାମର୍ଶ ଦେଇଛନ୍ତି।

Comment