ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱ ଦୃଷ୍ଟି ଦିବସ। ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ ଦୃଷ୍ଟି ଦିବସ ଭାବେ ପାଳନ କରାଯାଏ। ଚଳିତବର୍ଷ ଚକ୍ଷୁ ଦିବସର ବିଷୟବସ୍ତୁ ରହିଛି ‘ଭିଜନ୍‌ ଫାଷ୍ଟ’ ବା ଦୃଷ୍ଟିଶକ୍ତି ପ୍ରଧାନତଃ। ଆସନ୍ତୁ, ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍ସର ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଶୁଣିବା କେମିତି ନେବା ଆମ ଆଖିର ଯତ୍ନ।

‘‘ସକାଳୁ ଉଠି ଯେତେବେଳେ ଆମେ ଆମ ଆଖି ଖୋଲିଥାଉ, ସେତେବେଳେ ଆମ ଆଖି ତା’ର କାର୍ଯ୍ୟ ଆରମ୍ଭ କରିଥାଏ। ଦିନ ତମାମ ସମସ୍ତ କାର୍ଯ୍ୟ କରିବା ପାଇଁ ଆମେ ଆମ ଆଖି ଉପରେ ନିର୍ଭର କରିଥାଉ। ତେଣୁ ଆଖି ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ। ଦୃଷ୍ଟିଶକ୍ତି ବହୁତ ମୂଲ୍ୟବାନ। ଆଖିର ସୁରକ୍ଷା ଉପରେ ପ୍ରାଥମିକତା ଦେବା ଜରୁରୀ’’, କହିଛନ୍ତି ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶ।

କେମିତି ନିଜ ଆଖିକୁ ରଖିବେ ସୁରକ୍ଷିତ?

‘‘ଆଖିକୁ ସବୁବେଳେ ସଂକ୍ରମଣ ହେବାରୁ ରକ୍ଷା କରନ୍ତୁ। ଗାଡ଼ି ଚଳାଇବା ବେଳେ ହେଲେମେଟ୍‌ ପିନ୍ଧନ୍ତୁ ଏବଂ ହେଲେମେଟ୍‌ର ଗ୍ଲାସ୍‌ ବନ୍ଦ ରଖନ୍ତୁ। ଖରାପ ପାଣି ଆଖିରେ ଲଗାନ୍ତୁ ନାହିଁ। ସବୁବେଳେ ଅପରିସ୍କାର ହାତ ଆଖିରେ ମାରନ୍ତୁ ନାହିଁ’’, ପରାମର୍ଶ ଦେଇଛନ୍ତି ଡାକ୍ତର ସଂଘମିତ୍ରା।

ଦୃଷ୍ଟିଶକ୍ତିକୁ ଭଲ ରଖିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟପେୟ କେତେ ଗୁରୁତ୍ୱପୂର୍ଣ୍ଣ? ସେନେଇ ଡାକ୍ତର ପରାମର୍ଶ ଦେଇ କହିଛନ୍ତି ଯେ, ଫାଷ୍ଟ ଫୁଡ୍‌, ତେଲ, ମସଲା ଓ ଛଣାଛଣିଯୁକ୍ତ ଖାଦ୍ୟ ଆଖି ପାଇଁ ଖରାପ। ଖାଦ୍ୟରେ ଯଥେଷ୍ଟ ପରିମାଣରେ ପନିପରିବା, ଗାଜର, ଶାଗ, କ୍ଷୀର ଓ ଫଳ ସାମିଲ କରନ୍ତୁ। ଏହାସହ ପିଲାଙ୍କୁ ମୋବାଇଲ ଏବଂ ଟିଭିଠାରୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ମୋବାଇଲ୍‌, ଟିଭି ଓ ଲାପଟପ୍‌ରୁ ରଶ୍ମି ଆଖିକୁ ଖରାପ କରିଦିଏ। ସହରାଞ୍ଚଳରେ ଅଧିକ ପିଲାଙ୍କ ଭିତରେ ଦୃଷ୍ଟିଶକ୍ତି ସମସ୍ୟା ଦେଖାଦେଉଛି। ଅଳ୍ପ ବୟସରୁ ସେମାନେ ଚଷମା ମଧ୍ୟ ପିନ୍ଧୁଛନ୍ତି।

ଦୃଷ୍ଟିଶକ୍ତି କମିଲେ କେମିତି ଜାଣିବେ?

ଦୃଷ୍ଟିଶକ୍ତି ଦୁଇ ପ୍ରକାର। ଗୋଟେ ହେଉଛି ସେଣ୍ଟ୍ରାଲ ଭିଜନ୍‌ ଓ ଅନ୍ୟଟି ହେଉଛି ପେରିଫେରାଲ ଭିଜନ୍‌

ସେଣ୍ଟ୍ରାଲ ଭିଜନ୍‌

ସାଧାରଣତଃ ସେଣ୍ଟ୍ରାଲ ଭିଜନ୍‌ ଅଳ୍ପ କମିଗଲେ ତାହା ଜଣାପଡ଼ିଯାଏ। କେବଳ ଏଥିରେ ଗୋଟିଏ ସମସ୍ୟା ଅଛି। ଯଦି ଆପଣ ଯତ୍ନବାନ ହେବେ ତାହାଲେ ଜାଣିପାରିବେ କେଉଁ ଆଖିଟି ଭଲ ଅଛି ଏବଂ କେଉଁ ଆଖିରୁ ଦୃଷ୍ଟିଶକ୍ତି କମୁଛି। ଦୃଷ୍ଟିଶକ୍ତି କମିଗଲେ ତାହା ସହଜରେ ଜଣାପଡ଼ିଯାଏ। ଦୃଷ୍ଟିଶକ୍ତି କମିଗଲେ ଆଖିକୁ ଭଲ ଦେଖାଯିବ ନାହିଁ। ଜାଲି ଜାଲିଆ କିମ୍ବା କୁହୁଡ଼ିଆ ଭଳି ଦେଖାଯିବ। ଦୂରରେ ଥିବା ଲୋକଙ୍କୁ ଚିହ୍ନିବାରେ ଅସୁବିଧା ହେବ। ଏହାସହ ପଢ଼ିବାରେ ମଧ୍ୟ ସମସ୍ୟା ଦେଖାଯିବ।

ଯଦି ଆପଣଙ୍କର ଦୁଇଟି ଆଖି କେମିତି ଅଛି ଜାଣିବାକୁ ଚାହୁଁଛନ୍ତି ତାହାଲେ ଆପଣ ନିଜେ ହିଁ ଏହାର ପରୀକ୍ଷା କରିପାରିବେ। ପ୍ରଥମେ ବାମ ପଟ ଆଖି ବନ୍ଦ କରି କେବଳ ଡାହାଣ ଆଖିରେ ଦେଖନ୍ତୁ ଏବଂ ଡାହାଣ ପଟ ଆଖି ବନ୍ଦ କରି କେବଳ ବାମ ପଟ ଆଖିରେ ଦେଖନ୍ତୁ। ଆପଣ ଜାଣିପାରେିବେ କେଉଁ ଆଖିରେ କ’ଣ ସମସ୍ୟା ରହିଛି।

ଡାଏବେଟିସ୍‌ ଓ ଗ୍ଲାକୋମା କ୍ଷେତ୍ରରେ ପ୍ରଥମରୁ ହୁଏତ ଆଖି ସମସ୍ୟା ଜଣାପଡ଼ି ନଥାଏ। କାରଣ ଗ୍ଲାକୋମାରେ ସାଇଡ୍‌ ଭିଜନ କମିଯାଏ। ଫଳରେ ଜାଣିବାରେ ଅସୁବିଧା ହୋଇଥାଏ।

ପେରିଫେରାଲ ଭିଜନରେ ଆଖି ସମସ୍ୟା ଜାଣିବା କଷ୍ଟକର ହୋଇଥାଏ। ହେଲେ ସେଣ୍ଟ୍ରାଲ ଭିଜନରେ ରୋଗୀ ଆଖି ସମସ୍ୟା ବିଷୟରେ ଜାଣିପାରନ୍ତି।

ପେରିଫେରାଲ ଭିଜନ୍‌

ପେରିଫେରାଲ ଭିଜନ୍‌ ହୋଇଥିଲେ ରୋଗୀ ଜାଣିବାରେ ଟିକେ ଅସୁବିଧା ହୋଇଥାଏ। କାରଣ ଏହା ସହଜରେ ଜଣାପଡ଼ି ନଥାଏ। ଏଣୁ ୨୦୧୯ରୁ କେୟାର ହସ୍ପିଟାଲ ପକ୍ଷରୁ ଚକ୍ଷୁ ରୋଗୀଙ୍କ ପାଇଁ ଏକ ଛୋଟିଆ ପଦକ୍ଷେପ ଆରମ୍ଭ ହୋଇଛି। ଆଖି ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ମାଗଣା ସ୍କ୍ରିନିଂ କରାଯାଉଛି। ଏଥିରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ଆଖିର ସ୍କ୍ରିନିଂ କରାଯିବ। ଏହି ସ୍କିନିଂ ବେଳେ ଯଦି ଡାଇବେଟିକ, ମୋତିଆବିନ୍ଦୁ, ଗ୍ଲାକୋମା ଭଳି ସମସ୍ୟା ଚିହ୍ନଟ ହୁଏ ତାହାଲେ ଆମେ ତାଙ୍କୁ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେବୁ। ଏହାସହ ଆଖିର ଯତ୍ନ ନେବା ପାଇଁ ଆମେ ତାଙ୍କୁ ସଚେତନ କରିବୁ।

ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ନିୟମିତ ଆଖି ପରୀକ୍ଷା କରିବା ଜରୁରୀ। ଆଖିର କିଛି ବି ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ। ସଚେତନ ରହିଲେ ଓ ଛଅ ମାସ ବ୍ୟବଧାନରେ ଆଖି ପରୀକ୍ଷା କଲେ ଦୃଷ୍ଟି ଜନିତ ସମସ୍ୟାରୁ ରକ୍ଷା ପାଇବେ। ଏହାସହ ସମସ୍ତେ ତେଲ ଏବଂ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ସବୁଜ ପନିପରିବା ଏବଂ ଫଳ ଖାଇବା ଦରକାର ବୋଲି ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶ ପରାମର୍ଶ ଦେଇଛନ୍ତି।

Comment