ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଅଗ୍ରଣୀ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ଏଲ.ଭି.ପି.ଇ.ଆଇ. ପକ୍ଷରୁ ଓଡ଼ିଶାରେ ଚଳିତ ମାସ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ରେଟିନୋ ବ୍ଲାଷ୍ଟୋମା ସପ୍ତାହ ପାଳନ କରାଯାଇଛି। ରେଟିନୋ ବ୍ଲାଷ୍ଟୋମା ହେଉଛି ଶିଶୁଙ୍କ ମଧ୍ୟରେ ମଧ୍ୟରେ ପରିଲକ୍ଷିତ ହେଉଥିବା ଚକ୍ଷୁ କର୍କଟ ବ୍ୟାଧି।

ଅନ୍ତର୍ଜାତୀୟ ସ୍ତରରେ ଏହି ସପ୍ତାହ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚିକିତ୍ସକ ଓ କର୍ମକର୍ତ୍ତାମାନେ ସପ୍ତାହବ୍ୟାପୀ ଶିକ୍ଷାମୂଳକ ତଥା ସଚେତନତାଧର୍ମୀ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି।

ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭୁବନେଶ୍ୱରସ୍ଥିତ ଏମ.ଟି.ସି. ପରିସରରେ ରୋଗୀ ତଥା ପ୍ରତିଷ୍ଠାନର ଓକୁଲାର ଅଙ୍କୋଲୋଜିଷ୍ଟ୍ ଡାକ୍ତର ଦେବଜ୍ୟୋତି ତ୍ରିପାଠୀଙ୍କ ମଧ୍ୟରେ ପରାମର୍ଶମୂଳକ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ରାଜଗାଙ୍ଗପୁର, ରାୟଗଡ଼ା, ବ୍ରହ୍ମପୁର ଓ କେନ୍ଦୁଝରଠାରେ ଅବସ୍ଥିତ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସହାୟକ କେନ୍ଦ୍ରମାନଙ୍କରେ ମଧ୍ୟ ରୋଗୀ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଗୋଷ୍ଠୀ ସମ୍ପ୍ରସାରଣ କର୍ମୀମାନେ ବିଭିନ୍ନ ଗ୍ରାମରେ ସଚେତନତା ସୃଷ୍ଟି କରିବା ସହ ଅଙ୍ଗନଓ୍ୱାଡି କର୍ମୀଙ୍କ ସହଯୋଗରେ ରେଟିନୋ ବ୍ଲାଷ୍ଟୋମା ସମ୍ପର୍କିତ ସତର୍କତା ଶିଶୁମାନଙ୍କ ପରିକଳ୍ପେ ପ୍ରସାରିତ କରିଥିଲେ।

ରେଟିନୋ ବ୍ଲାଷ୍ଟୋମା ହେଉଛି ଏକ ବିରଳ ପ୍ରକାର କର୍କଟ ରୋଗ ଯାହା ଚକ୍ଷୁର ଆଲୋକ ଚିହ୍ନୁଥିବା ତନ୍ତୁ ବା ଚକ୍ଷୁ ପଟଳ (ରେଟିନା)ର ଅପରିପକ୍ୱ କୋଷରୁ ସୃଷ୍ଟି ହୋଇଥାଏ। ବିଶେଷକରି ସ୍ୱଳ୍ପ ବୟସ୍କ ଶିଶୁଙ୍କ ମଧ୍ୟରେ ଏହି କର୍କଟ ରୋଗ ସାଧାରଣତଃ ଦେଖାଯାଇଥାଏ। ଶିଶୁମାନଙ୍କ କ୍ଷେତ୍ରରେ ପରିଲକ୍ଷିତ ୫ଟି ପ୍ରମୁଖ କର୍କଟ ମଧ୍ୟରୁ ଏହା ଅନ୍ୟତମ। ପ୍ରତିବର୍ଷ ରେଟିନୋ ବ୍ଲାଷ୍ଟୋମାରେ ପୀଡ଼ିତ ୨୫ରୁ ୩୦ ରୋଗୀଙ୍କୁ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭୁବନେଶ୍ୱରସ୍ଥିତ ଏମ.ଟି.ସି ପରିସରରେ ଓକୁଲାର ଅଙ୍କୋଲୋଜି ବିଭାଗ ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

‘‘ସଠିକ ସମୟରେ ରୋଗ ନିରୂପଣ କରାଗଲେ ରେଟିନୋ ବ୍ଲାଷ୍ଟୋମାରୁ ଶତପ୍ରତିଶତ ଆରୋଗ୍ୟଲାଭ କରିହେବ। ଏହି ଚକ୍ଷୁ କର୍କଟ ରୋଗର ବ୍ୟାପକ ଉପଚାର ପାଇଁ ଏଲ.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଚିକିତ୍ସା ସେବା ସହ ଉନ୍ନତ ମାନର ପ୍ରଶିକ୍ଷିତ ଚିକିତ୍ସକମାନେ ଉପଲବ୍ଧ ଅଛନ୍ତି। ପ୍ରତିଦିନ ରାତି ୮ଟା ପର୍ଯ୍ୟନ୍ତ ଓ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନ ଖୋଲା ରହୁଛି। ତେଣୁ ରୋଗର କୌଣସି ଲକ୍ଷଣ ଦେଖାଦେଲେ ପ୍ରତିଷ୍ଠାନର ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନେଇ ଆରୋଗ୍ୟଲାଭ କରାଯାଇପାରିବ’’, ଓକୁଲାର ଅଙ୍କୋଲୋଜିଷ୍ଟ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ କହିଛନ୍ତି।

Comment