ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତି ବି କ୍ରିକେଟରୁ କିଛି କମ ନୁହେଁ। ପାର୍ଟନର ଭଲ ପଡ଼ିଲେ ଯେମିତି ରନ ବର୍ଷା ହୁଏ, ସେମିତି ରାଜନୈତିକ ଯୁଗଳବନ୍ଦୀରେ ନିର୍ବାଚନୀ ରଣନୀତି ବେଶ ଭଲ କାମ ଦିଏ। ଭାରତୀୟ ରାଜନୀତିରେ ଏମିତି ଅନେକ ଯୋଡ଼ି ଅଛନ୍ତି ଯିଏ ରାଜନୀତିରେ ସଫଳତା ତ ହାସଲ କରିଛନ୍ତି ଆଉ ରାଜନୀତିର ଇତିହାସରେ ସବୁଦିନ ମନେରହିବା ଭଳି କାମ ବି କରିଯାଇଛନ୍ତି।

ଅଟଳ-ଆଡଭାନୀ

ବିଜେପି ଯେତେବେଳେ ଆରମ୍ଭ ହେଉଥିଲା, ସେତେବେଳେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ସାଂଗଠନିକ ବିକାଶ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଥିଲେ। ଉଭୟଙ୍କ ଭିତରେ ବେଳେବେଳେ ବିଚାରଗତ ଭିନ୍ନତା ଥିଲେ ମଧ୍ୟ ଆଦର୍ଶଗତ ଏକତା ସେମାନଙ୍କୁ ପରିଚିତ କରାଇଥିଲା। ଏକାଠି ଲୋକସଭାକୁ ନିର୍ବାଚିତ ହେବାସହ ପ୍ରଧାନମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ହୋଇ ଦେଶ ଚଳାଇଛନ୍ତି। ଲାଲକୃଷ୍ଣ ଆଡଭାନୀ ସାଂଗଠନିକ ଦୃଷ୍ଟିରୁ ଅଧିକ ଦକ୍ଷ ଥିବା ବେଳେ ବାଜପେୟୀଙ୍କର ସମସ୍ତକଙ୍କୁ ଏକାଠି ନେବାର କଳାଥିଲା। ମେଣ୍ଟ ସରକାରରେ ସମସ୍ତଙ୍କ ମନ ରଖି ସରକାର ଚଳାଇବାରେ ସେମାନେ ସଫଳ ହୋଇଥିଲେ।

ମୁଲାୟମ-ଅମର

ରାଜନୀତିରେ କେହି ଚିର ଶତ୍ରୁ ନୁହନ୍ତି ତ ଆଉ କେହି ସବୁଦିନ ବନ୍ଧୁ ହୋଇ ରହିପାରନ୍ତିନାହିଁ। ତଥାପି ମୁଲାୟମ ସିଂହ ଓ ଅମର ସିଂହଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ବନ୍ଧୁତା ଥିଲା। ସମାଜବାଦୀ ପାର୍ଟି ଚଳାଇବା ସହ ରାଜ୍ୟ ରାଜନୀତି ଓ କେନ୍ଦ୍ର ରାଜନୀତିରେ ଉଭୟଙ୍କ ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥିଲା । ଅବଶ୍ୟ ପରେ ଏହି ବନ୍ଧୁତା ରହିନଥିଲା କିନ୍ତୁ ଦୁହେଁ ଏକାଠି ଅନେକ ରାଜନୈତିକ ନିଷ୍ପତ୍ତି ନେଇଛନ୍ତି।

ଅମର ସିଂହ ଜଣେ ଶିଳ୍ପପତି ଥିଲେ। ମୁଲାୟମ ସିଂହ ୧୯୯୬ ମସିହାରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ଦିନେ ଉଭୟଙ୍କ ମଧ୍ୟରେ ଏକ ଜାହାଜରେ ସାକ୍ଷାତ ହୋଇଥିଲା। ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ୨୦୦୦ ମସିହାରେ ଅମର ସିଂହଙ୍କର ସମାଜବାଦୀ ପାର୍ଟିରେ ଦବଦବା ବଢ଼ିଥିଲା। ଧୀରେଧୀରେ ମୁଲାୟମା ତାଙ୍କୁ ଏମିତି ବିଶ୍ୱାସ କରିବା ଆରମ୍ଭ କରିଥିଲେ ଯେ, ତାଙ୍କୁ ନ ପଚାରି କୌଣସି ରାଜନୈତିକ ଏପରିକି ପାରିବାରିକ ନିଷ୍ପତ୍ତି ମଧ୍ୟ ନେଉନଥିଲେ।ବାଲ ଠାକରେ- ରାଜ ଠାକରେ

ବାଲାସାହେବ ଠାକରେ ଓ ରାଜ ଠାକରେଙ୍କ ରାଜନୈତିକ ଯୋଡ଼ି କିଛି କମ ଚମତ୍କାର ନ ଥିଲା। ସମ୍ପର୍କରେ ଉଭୟ ବଡ଼ବାପା ଓ ପୁତୁରା କିନ୍ତୁ ରାଜ ଠାକରେଙ୍କୁ ନିଜ ପୁଅଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ ବାଲାସାହେବ। ବାଲାସାହେବ ନିଷ୍ପତ୍ତି ନେଉଥିଲେ, ଆଉ ତାକୁ କାର୍ଯ୍ୟକାରୀ କରୁଥିଲେ ରାଜ ଠାକରେ। ଉଦ୍ଧବ ଠାକରେ ଆଜି ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ରାଜ ଠାକରେଙ୍କୁ ବାଲାସାହେବ ଅଧିକ ଯୋଗ୍ୟ ଭାବୁଥିଲେ ବୋଲି ରାଜନୀତି ସମୀକ୍ଷକ କୁହନ୍ତି। ଅବଶ୍ୟ ପରେ ରାଜ ଠାକରେ ବାଲାସାହେବଙ୍କୁ ଛାଡ଼ିଦେଇଥିଲେ। ହେଲେ ବଡ଼ବାପା-ପୁତୁରା ଭାରତୀୟ ରାଜନୈତିକ ଯୁଗଳବନ୍ଦୀର ଅନ୍ୟତମ ସଫଳ ଉଦାହରଣ।କାଂଶୀରାମ-ମାୟାବତୀ

ସମାଜବାଦୀ ରାଜନୀତିର ଏକ ବିକଳ୍ପ ସମ୍ଭାବନା ସୃଷ୍ଟି କରିଥିଲେ କାଂଶୀରାମ। ଦଳିତ ଏବଂ ଓବିସି ମଧ୍ୟରେ ଥିବା ଦୂରତାକୁ କମାଇ କାଂଶୀରାମ ରାଜନୀତି କରିବାକୁ ଲକ୍ଷ୍ୟ ରଖିଥିଲେ। ତାଙ୍କ ରାଜନୈତିକ ଉତ୍ଥାନ ପତନ ସମୟରେ ତାଙ୍କ ସହ ଯୋଡ଼ି ହୋଇଥିଲେ ମାୟାବତୀ।

ସରକାରୀ ଚାକିରି ଆଶାୟୀ ଥିବା ମାୟାବତୀ କାଂଶୀରାମଙ୍କ ସହ ରାଜନୀତି କରିବା ଆରମ୍ଭ କରିଥିଲେ। ଉଭୟ ଦଳର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ଏକାଠି କାମ କରୁଥିଲେ। ମାୟାବତୀଙ୍କ ଉପରେ ତାଙ୍କର ଏମିତି ଭରସା ଆସିଥିଲା, ଯେ ତାଙ୍କ ଉତ୍ତରାଧିକାରୀ ଭାବେ ସେ ମାୟାବତୀଙ୍କୁ ବାଛିଥିଲେ। ମାୟାବତୀ ତାଙ୍କର ରାଜନୈତିକ ବିଚକ୍ଷଣତା ପାଇଁ ଓବିସି ଓ ଦଳିତ ରାଜନୀତିକୁ ଏକାଠି କରି ଭୋଟ ରାଜନୀତିରେ ସଫଳ ହୋଇଥିଲେ। ଏକାଧିକ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାୟାବତୀ। ଏ ଦୁଇଜଣଙ୍କ ଯୋଡ଼ି ବି ଭାରତୀୟ ରାଜନୀତିର ଏକ ଚର୍ଚ୍ଚିତ ଯୋଡ଼ି।ଜୟଲଳିତା-ଶଶିକଳା

ଦକ୍ଷିଣ ରାଜନୀତିର ଏକ ଚମତ୍କାର ଓ ଚର୍ଚ୍ଚିତ ଯୋଡ଼ି ହେଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ ଶଶିକଳା। ଶଶୀକଳାଙ୍କର ଯେ କେବଳ ଜୟଲଳିତାଙ୍କ ରାଜନୈତିକ ଗତିବିଧି ଓ ନିଷ୍ପତ୍ତି ଉପରେ ପ୍ରଭାବ ଥିଲା ତାହାନୁହେଁ; ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ନିଷ୍ପତ୍ତି ପାଇଁ ଶଶିକଳାଙ୍କ ଉପରେ ନିର୍ଭରଶୀଳ ଥିଲେ ଜୟଲଳିତା। ଅବଶ୍ୟ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା, କିନ୍ତୁ ସମ୍ପର୍କ ଥିବା ପର୍ଯ୍ୟନ୍ତ ଅତି ଚମତ୍କାର ଥିଲା। ଉଭୟ ଏକାଠି ସାଂଗଠନିକ ନିଷ୍ପତ୍ତି ମଧ୍ୟ ନେଉଥିଲେ।ସୋନିଆ ଗାନ୍ଧୀ-ଅହମ୍ମଦ ପଟେଲ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ଦିବଂଗତ ନେତା ଅହମ୍ମଦ ପଟେଲଙ୍କ ରାଜନୈତିକ ଯୁଗଳବନ୍ଦୀ ଚମତ୍କାର ଥିଲା। କୌଣସି ରାଜନୈତିକ ନିଷ୍ପତ୍ତି ନେବା ପାଇଁ ଅହମ୍ମଦଙ୍କ ଉପରେ ଭରସା କରୁଥିଲେ ସୋନିଆ। ସଂଗଠନ ଉପରେ ପ୍ରବଳ ଦବଦବା ଥିଲା ଅହମ୍ମଦ ପଟେଲଙ୍କର। କଂଗ୍ରେସ ପାଇଁ ସଂକଟମୋଚକ ଭୂମିକା ଗ୍ରହଣ କରୁଥିଲେ ଅହମ୍ମଦ।

ଏମିତି ବି ସୋନିଆଙ୍କ ଏ ବିଶ୍ୱାସ ପାଇଁ ମନମୋହନଙ୍କ ଦ୍ୱିତୀୟ ପାଳିର ସରକାରରେ ଅହମ୍ମଦଙ୍କର ବହୁତ ପ୍ରଭାବ ଥିଲା। ଦଳର ଆର୍ଥିକ ସ୍ଥିତି ସୁଧାରିବାରେ ସୋନିଆଙ୍କୁ ସହଯୋଗ କରୁଥିଲେ ସ୍ୱର୍ଗତ ପଟେଲ। ଖାଲି ସେତିକି ନୁହେଁ, ମେଣ୍ଟ ରାଜନୀତିରେ କୌଣସି ଅଡୁଆ ପରିସ୍ଥିତି ସୃଷ୍ଟି ହେଲେ ଅହମ୍ମଦ ପଟେଲ ତାକୁ ସମ୍ଭାଳି ନେଉଥିଲେ।

କେଜରିୱାଲ-ସିସୋଦିଆ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ଦୁର୍ନୀତି ବିରୋଧୀ ଆନ୍ଦୋଳନଠାରୁ ଆରମ୍ଭ କରି ଦିଲ୍ଲୀରେ ସରକାର ଗଠନ କରିବା ଯାଏ ଉଭୟଙ୍କ ଯୁଗଳବନ୍ଦୀ ଅତି ଚମତ୍କାର। ଉଭୟ ଆମଆଦମୀ ପାର୍ଟି ଗଠନ କରିଥିଲେ। ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନୀ ପ୍ରଚାର ସବୁଥିରେ ଉଭୟ ଏକାଠି କାମ କରିଛନ୍ତି। ଉଭୟଙ୍କ ମଧ୍ୟରେ ପାର୍ଟନରସିପ୍ ଏତେ ମଜବୁତ ଥିଲା ଯେ, ଦିଲ୍ଲୀଠାରୁ ଆରମ୍ଭ କରି ସମଗ୍ର ଭାରତରେ ମୋଦୀ ହାୱାକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଦିଲ୍ଲୀରେ ୩ ଥର ସରକାର ଗଠନ କରିବାରେ ଦୁହେଁ ସଫଳ ହୋଇଛନ୍ତି।ମୋଦୀ-ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ଅମିତ ଶାହଙ୍କ ଯୋଡ଼ି ଶତାବ୍ଦୀର ଶ୍ରେଷ୍ଠ ରାଜନୈତିକ ଯୋଡ଼ି କହିଲେ କିଛି ଭୁଲ ହେବ ନାହିଁ। କାରଣ ଗୁଜୁରାଟରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଉଭୟ ଆଜି ଯାଏ ଏକାଠି କାମ କରିଛନ୍ତି। ଜଣେ ସଂଗଠନ ସଜାଡୁଥିବା ବେଳେ ଅନ୍ୟ ଜଣେ ଦଳକୁ ଲୋକପ୍ରିୟ କରିବାରେ ଆକାଶଛୁଆଁ ସଫଳତା ପାଇଛନ୍ତି। ଖାଲି ଦିଲ୍ଲୀ ନୁହେଁ, ଅନେକ ରାଜ୍ୟରେ ଉଭୟଙ୍କ ଯୋଡ଼ି ମ୍ୟାଜିକ କରିଛି। ଉତ୍ତର ପୂର୍ବ, ଉତ୍ତର ଭାରତ, ଦକ୍ଷିଣ ଭାରତ, ମଧ୍ୟ ଭାରତ, ପୂର୍ବ ଭାରତ ସବୁଠାରେ ମୋଦୀ ଶାହ ଯୋଡ଼ିଙ୍କ ମ୍ୟାଜିକ କରିଛି। ଉଭୟ ଗୋଟିଏ ପରେ ଗୋଟିଏ ରାଜ୍ୟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି। ଆଗକୁ ଉଭୟ ଯୋଡ଼ି ପଶ୍ଚିମବଙ୍ଗ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛନ୍ତି।

Comment