ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁରର ଜଣେ ମହିଳା ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ମନ୍ଦିରକୁ ଦାନ କରିଦେଇଛନ୍ତି।
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ମୃତ୍ୟୁ ପୂର୍ବରୁ ଲୋକେ ନିଜ ପୁଅ, ଝିଅଙ୍କ ନାଁରେ ସମ୍ପତ୍ତି କରିଦେବା ଏକ ସାଧାରଣ କଥା। କିନ୍ତୁ ଆଖି ବୁଜିବା ଆଗରୁ ନିଜର ସମସ୍ତ ସମ୍ପତ୍ତି ମନ୍ଦିରକୁ ଦାନ କରିବା ଘଟଣା ଖୁବ କମ୍ ଦେଖିବାକୁ ମିଳେ। ତେବେ ନବରଙ୍ଗପୁର ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ବୈଜୟନ୍ତୀ ସାହୁ ନାମରେ ଜଣେ ମହିଳା ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ମନ୍ଦିରକୁ ଦାନ କରିଦେଇଛନ୍ତି, ଯାହାକୁ ନେଇ ପୂରା ଜିଲ୍ଲାରେ ଏବେ ଚର୍ଚ୍ଚା ହେଉଛି।
ସ୍ଵର୍ଗୀୟା ବୈଜୟନ୍ତୀ ସାହୁ ନବରଙ୍ଗପୁର ସହରର ଜଣେ ଧର୍ମ ପରାୟଣ ମହିଳା ଥିଲେ। ପରିବାର କହିଲେ ତାଙ୍କର ତିନୋଟି ଝିଅ। ଝିଅମାନଙ୍କର ବାହାଘର ସରିଛି। ବୈଜୟନ୍ତୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଗାଢ଼ ଭକ୍ତି ରଖୁଥିଲେ। ତେଣୁ ତାଙ୍କ ପରେ ତାଙ୍କର ୩ ମହଲା କୋଠାକୁ ମନ୍ଦିର ପାଇଁ ଦାନ କରିବାକୁ ମନସ୍ଥ କରିଥିଲେ ବୈଜୟନ୍ତୀ।
ବଡ଼ ଝିଅ ପୁଷ୍ପାଞ୍ଜଳିଙ୍କ କହିବା ଅନୁସାରେ କିଛିମାସ ପୂର୍ବେ ବୈଜୟନ୍ତୀଙ୍କ ଦେହ ଅସୁସ୍ଥ ହୋଇଥିଲା। ପେଟରେ ପଥୁରୀଟିଏ ହୋଇଥିବା ଜାଣି ପରିବାର ଲୋକେ ପ୍ରଥମେ ତାଙ୍କୁ ନବରଙ୍ଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଦେହ ଅଧିକ ଖରାପ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵର ନିଆଗଲା। ସେଠାରେ ପରୀକ୍ଷା ପରେ ଜଣାପଡ଼ିଲା ଯେ, ବୈଜୟନ୍ତିଙ୍କୁ କ୍ୟାନ୍ସର ହୋଇଛି।
ସ୍ୱ-ଅର୍ଜିତ ସମ୍ପତ୍ତିରୁ ଯାହା ଆୟ ହେବ ତାହା ନବରଙ୍ଗପୁର ଜଗନ୍ନାଥ ମନ୍ଦିରର ରୀତିକାନ୍ତିରେ ଲାଗିବ ଆଉ ସ୍ଵର୍ଗଦ୍ଵାରରେ ତାଙ୍କର ଚିତା ଜଳିବ ବୋଲି ଶେଷ ଇଚ୍ଛା କରିଥିଲେ ବୈଜୟନ୍ତୀ। ତେଣୁ ଦେହାନ୍ତ ପୂର୍ବରୁ ତିନି ଝିଅ-ଜ୍ୱାଇଁଙ୍କ ସହ କଥା ହୋଇ ବୈଜୟନ୍ତୀ ତାଙ୍କ କୋଠାଘରକୁ “ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗ”କୁ ଦାନ କରିବାକୁ ଠିକ୍ କରିଥିଲେ। ଏଥିପାଇଁ ଗତ ନଭେମ୍ଵର ୨୮ ତାରିଖରେ ତହସିଲଦାର ଓ ଭୂନିବନ୍ଧକ ଅଧିକାରୀଙ୍କୁ ଡକାଇ ଘର କାଗଜପତ୍ରରେ ଦସ୍ତଖତ କରି ମନ୍ଦିରକୁ ସମ୍ପତ୍ତି ଦାନ କରିଥିଲେ ବୈଜୟନ୍ତୀ। ଏହାବାଦ୍ ତାଙ୍କ କିଛି ଜମି ମଧ୍ୟ ରହିଥିଲା। ଏହିସବୁ ଜମିକୁ ସେ ତିନି ଝିଅଙ୍କ ନାମରେ କରିଦେଇଥିଲେ। ଗତ ଡିସେମ୍ଵର ୨ ତାରିଖରେ ବୈଜୟନ୍ତୀଙ୍କ ଦେହାନ୍ତ ହୋଇଥିଲା। ଶେଷ ଇଚ୍ଛା ମୁତାବକ ପୁରୀ ସ୍ଵର୍ଗଦ୍ଵାରାରେ ତାଙ୍କର ଶବ ସତ୍କାର କରାଯାଇଛି।
ମଙ୍ଗଳବାର ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ବୈଜୟନ୍ତୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜପୁରୋହିତ ନରସିଂହ ତ୍ରିପାଠୀ, ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗର ସଭାପତି ନରେଶ ତ୍ରିପାଠୀ, ସମ୍ପାଦକ କୁନା ପାତ୍ର, ଉପସଭାପତି ଭବାନୀ ଶତପଥି, ବୈଜୟନ୍ତୀଙ୍କ ତିନିଝିଅ ପୁଷ୍ପାଞ୍ଜଳି, ଗୀତାଞ୍ଜଳି, ଶ୍ରଦ୍ଧାଞ୍ଜଳିଙ୍କ ସମେତ ତିନି ଜ୍ୱାଇଁ ନରସିଂହ ଚୌଧୁରୀ, ଅଜୟ ଶତପଥି ଓ ହରି ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ।








ନବରଙ୍ଗପୁରର ଜଣେ ମହିଳା ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ମନ୍ଦିରକୁ ଦାନ କରିଦେଇଛନ୍ତି। 








