ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମେ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ପରେ ବିଧାୟକ ଜିତେନ୍ଦ୍ର ତିୱାରୀ ଟିଏମସିରୁ ଇସ୍ତଫା ଦେବାପରେ ଏବେ ବିଧାୟକ ଶୀଳଭଦ୍ର ଦତ୍ତା ମଧ୍ୟ ଦଳକୁ ବାଏ ବାଏ କହିଛନ୍ତି।

ଶୁକ୍ରବାର ସେ ତାଙ୍କର ଇସ୍ତଫା ପତ୍ର ମଧ୍ୟ ମମତା ବାନାର୍ଜୀଙ୍କୁ ପଠାଇ ଦେଇଛନ୍ତି। କୁହାଯାଉଛି ଯେ ତୃଣମୂଳ କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କ ଋଣନୀତିକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ପ୍ରଶାନ୍ତଙ୍କ ରଣନୀତିକୁ ସେ ମାର୍କେଟିଂ କମ୍ପାନିର କାମ ବୋଲି କହିବା ସହ ଏଭଳି ହେଲେ କାମ କରିବା ମୁସ୍କିଲ ବୋଲି କହିଥିଲେ। ଯେଉଁ କାରଣରୁ ସେ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଜିତେନ୍ଦ୍ର ତିୱାରୀ, ଶୀଳଭଦ୍ର ଦତ୍ତାଙ୍କ ଭଳି ତୃଣମୂଳ କଂଗ୍ରେସର ତମାମ ନେତାଗଣ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୧୯ ତାରିଖରେ ଶାହ ପଶ୍ଚିମବଙ୍ଗ ଗସ୍ତରେ ଯିବାକୁ ଥିବାବେଳେ ଏହି ଅବସରରେ ଏହି ନେତାମାନେ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି।

ତୃଣମୂଳ କଂଗ୍ରେସ ଛାଡ଼ିଲେ ଶୁଭେନ୍ଦୁ

ଗତ ନଭେମ୍ବର ମାସରେ ପଶ୍ଚିମବଙ୍ଗର ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏହାପରେ ବୁଧବାର ସେ ବିଧାୟକ ଏବଂ ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଯାହା ମମତା ସରକାରକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

ଅନ୍ୟପଟେ ଶୁଭେନ୍ଦୁ ଖୁବଶୀଘ୍ର ପଦ୍ମ ଫୁଲ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା କିଛି ଦିନ ଭିତରେ ଅମିତ ଶାହ ପଶ୍ଚିମବଙ୍ଗ ଯିବାର ଯୋଜନା ଅଛି। ଏହି ଅବସରରେ ସେ ଶୁଭେନ୍ଦୁଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରିବେ ବୋଲି ସୂଚନା ମିଳୁଛି; କିନ୍ତୁ ଟିଏମସି ନେତାମାନେ କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।ଶୁଭେନ୍ଦୁଙ୍କ ରାସ୍ତାରେ ଜିତେନ୍ଦ୍ର ତିୱାରୀ

ଶୁଭେନ୍ଦୁ ଅଧିକାରୀଙ୍କ ପରି ମମତାଙ୍କ ଆଉ ଜଣେ ବିଧାୟକ ଜିତେନ୍ଦ୍ର ତିୱାରୀ ମଧ୍ୟ ଗୁରୁବାର ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ରାଜ୍ୟ ସରକାର ତାଙ୍କ ଅଞ୍ଚଳର ବିକାଶ ପାଇଁ କୌଣସି ପଦକ୍ଷେପ ନେଉନି। ଯେଉଁ କାରଣରୁ ସେଠାରେ କାମ କରିବାରେ ତାଙ୍କୁ ବହୁତ ଅସୁବିଧା ହେଉଛି। ଶେଷରେ ବାଧ୍ୟ ହୋଇ ସେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ। ତାଙ୍କ ଇସ୍ତଫା ସହ ମମତାଙ୍କ ପାର୍ଟିରେ ଏବେ ଅନ୍ତଃକନ୍ଦଳ ଆହୁରି ବଢ଼ିଯାଇଥିବା ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି।

Comment