ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାର ୪ ମାସ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍ଆଇଟି) ବୁଧବାର ଦିନ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ପରୀକୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରି ହତ୍ୟା କରିଛି ବୋଲି ଦର୍ଶାଯାଇଥିବା କୁହାଯାଉଛି। ଅନ୍ୟପଟେ ପରୀ ହତ୍ୟା ଘଟଣାର ଅସଲ ଦିଗକୁ ଘୋଡ଼ାଇବାକୁ ଯାଇ ଏସ୍ଆଇଟି ମନଗଢ଼ା କାହାଣୀ ଲେଖିଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଭାଜପା ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା କରାଯାଇଛି।

ପରୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବିରେ ବିଜେପି ନୟାଗଡ଼ରେ ଧାରଣା ଜାରି ରଖିଛି। ବୁଧବାର ଦିନ ଭାଜପା ବରିଷ୍ଠ ନେତା ସୁରେଶ ପୁଜାରୀଙ୍କ ସହିତ ଅନ୍ୟ କେତେକ ନେତା ଓ କର୍ମକର୍ତ୍ତା ନୟାଗଡ଼ର ଯାଇ ପରୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।ଅନ୍ୟପଟେ ପରୀକୁ ନ୍ୟାୟ ଦାବିରେ ବୁଧବାର ସନ୍ଧ୍ୟାରେ ନୟାଗଡ଼ ବସଷ୍ଟାଣ୍ଡ ଛକଠାରେ କଂଗ୍ରେସର ପ୍ରତିବାଦ ସଭା ହୋଇଛି। ଏହି ସଭାରେ ଦଳର ଯୁବନେତା ପ୍ରଦୀପ ମାଝୀ ଓ ନିଶିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ପରୀକୁ ନ୍ୟାୟ ଦାବି କରିଛନ୍ତି। ଏଥିସହ କଂଗ୍ରେସ ଚଳାଇଥିବା ଜିଲ୍ଲାବ୍ୟାପୀ ସ୍ୱାକ୍ଷର ଅଭିଯାନ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ବୋଲି ଦଳର କର୍ମକର୍ତ୍ତାମାନେ କହିଛନ୍ତି। ଏହି ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡ ଦାବିରେ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।ପରୀ ହତ୍ୟା ଘଟଣାରେ ଉଚ୍ଚ ନ୍ୟାୟାଳୟଙ୍କ ଅବଗତି ପାଇଁ ଏସ୍ଆଇଟି ତଦନ୍ତ ରିପୋର୍ଟ ଦାଖଲ କରିଥିବା ବେଳେ ଆସନ୍ତା ୨୪ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି। ସେପଟେ ପରୀ ହତ୍ୟା ମାମଲାରେ ରାଜନୈତିକ ଝଡ଼ ଥମିବାର ନାଁ ନେଉନଥିବା ବେଳେ ଏସ୍ଆଇଟି ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିବା ଜଣେ ଯୁବକଙ୍କୁ ଅଭିଯୁକ୍ତ ହେବାପାଇଁ ୫ ଲକ୍ଷ ଟଙ୍କାର ପ୍ରଲୋଭନ ଦିଆଯାଇଥିବା ଅଭିଯୋଗ ହେଉଛି। ଏହା ମାମଲାକୁ ଆହୁରି ଗୋଳିଆ କରିଛି।

Comment