ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏସଆଇଟି କେଉଁ ଦେଷୀକୁ ସୁରକ୍ଷା ଯୋଗାଉଛି। ମନ୍ତ୍ରୀ ଅରୁଣ ସାହୁଙ୍କୁ ଏଯାଏ ତଦନ୍ତ ପରିସରକୁ କ’ଣ ପାଇଁ ଅଣାଯାଇନି ବୋଲି କହି ଏସଆଇଟି ଉପରେ ଖୁବ ବର୍ଷଇଛନ୍ତି ଲେଖାଶ୍ରୀ।

“ପରୀ ମାମଲାରେ ଯଦି ଏସଆଇଟି ଏତେ ଶୀଘ୍ର ତଦନ୍ତ କରି ପ୍ରମାଣ ସହ ଅଭିଯୁକ୍ତକୁ ଧରିପାରିଲା ତେବେ ନୟାଗଡ଼ ପୋଲିସ ଏତେଦିନ ଯାଏ କ’ଣ କରୁଥିଲେ। ଦୀର୍ଘ ପାଞ୍ଚମାସ ଧରି ନୟାଗଡ଼ ପୋଲିସ ଚୁପ୍ ହୋଇ ବସିଛି। ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି”, କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର।

ଶନିବାର ଏକ ସାମ୍ଵାଦିକ ସମ୍ମିଳନୀ କରି ପୋଲିସ ଡିଜି ଅଭୟଙ୍କୁ ଟାର୍ଗେଟ କରି ଲେଖାଶ୍ରୀ କହିଛନ୍ତି ଯେ, ପୋଲିସ ଡିଜି ମିଛ କହୁଛନ୍ତି। ପରୀ ମୃତ୍ୟୁ ଘଟଣା ପଛରେ ଅଙ୍ଗ ତସ୍କରୀ ରାକେଟ ରହିଛି। ଏହାକୁ ଚପାଇବା ପାଇଁ ଚେଷ୍ଟା କରାଯାଉଛି। ଏସଆଇଟି ମୁଖ୍ୟଙ୍କ ନାଁରେ ଲାଞ୍ଚ ଯାଚିବା ଅଭିଯୋଗ ଆସିବା ପରେ ମଧ୍ୟ ସେ ତଦନ୍ତ କରୁଛନ୍ତି। ଏସବୁ ପଛରେ ବିଜୁ ଜନତା ଦଳର ହାତ ରହିଛି। ସରକରାଙ୍କ ଇସାରାରେ ସବୁ ଚାଲିଛି।

ଉଲ୍ଲେଖ ଥାଉକି, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଲାଞ୍ଚ ଯାଚିବାର ଅଭିଯୋଗ ଆଣିଥିଲେ ନୟାଗଡ଼ର ଜଣେ ଯୁବକ। ବୋଥ୍ରାଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ ଓଡ଼ିଶା ପୋଲିସ ଶୁକ୍ରବାର ସ୍ପଷ୍ଟୀକରଣ ରଖି ଏକ ପ୍ରେସ ଇସ୍ତାହାର ଜାରି କରିଥିଲା। ଏଥିରେ କୁହାଯାଇଥିଲା ଯେ, ଏସ୍ଆଇଟି ଗାଁ’ର ଲୋକଙ୍କ ସହ ପଚାରାଉଚୁରା କରିବା ସହ ନିଜର ତଦନ୍ତ କରିଛି। ହେଲେ ଏହାକୁ ନେଇ ଗଣମାଧ୍ୟମରେ ବିଭିନ୍ନ କଥା ଦେଖିବାକୁ ମିଳୁଛି। ଏହାଦ୍ୱାରା ତଦନ୍ତ ପ୍ରକ୍ରିୟାରେ କାମ କରୁଥିବା ଅଫିସରମାନେ ନିରୁତ୍ସାହିତ ହୋଇପାରନ୍ତି। ଏଥିସହ ହାଇକୋର୍ଟର ଜର୍ଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତଦନ୍ତ ପ୍ରକ୍ରିୟା ହେଇଛି। ତେଣୁ ଗଣମାଧ୍ୟମ ଏହାକୁ ନେଇ କୌଣସି ମିଛ ଖବର ପରିବେଷଣ ନକରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଶେଷରେ ପରୀକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଓଡ଼ିଶା ପୋଲିସ ନିଜର ପ୍ରେସ ଇସ୍ତାହାରରେ କହିଛି।

ନୟାଗଡ଼ର ପରୀ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ଚାରିଆଡ଼େ ଚର୍ଚ୍ଚା। ଏସ୍ଆଇଟି ମଧ୍ୟ ବନ୍ଦ ଲଫାପା ଭିତରେ ପ୍ରାଥମିକ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିସାରିଛି। କୁହାଯାଉଛି ଯେ, ପରୀକୁ ପ୍ରଥମେ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରାଯାଇଛି। ହେଲେ ଏହା କେତେ ଠିକ୍ ଏବଂ କେତେ ଭୁଲ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି।

Comment