ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ୧୭ ବର୍ଷିୟ ଲେଖକ ଶୁଭ୍ରାଂଶୁ ଦାସ ଏବେ ଅନ୍ତର୍ଜାତୀୟ ଲେଖକ ପାମ୍‌ ରସ୍‌ଙ୍କ ସହ ମିଶି ଲେଖୁଛନ୍ତି ରହସ୍ୟ ରୋମାଞ୍ଚଭରା ଉପନ୍ୟାସ।

(କଟକରୁ ବିଶ୍ଵଜିତ ସାହୁ): ମାତ୍ର ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରର ଲେଖକ ହୋଇପାରିଛନ୍ତି କଟକର ଶୁଭ୍ରାଂଶୁ ଦାସ। ଛୋଟବେଳୁ ଲେଖାଲେଖିରେ ରୁଚି ରଖୁଥିବା ଶୁଭ୍ରାଂଶୁ ଏବେ ଆମେରିକାର ଜଣେ ବିଶିଷ୍ଟ ଲେଖିକା ପାମ୍ ରସ୍‌ଙ୍କ ସହ ମିଶି ‘ଷ୍ଟିଲିଙ୍ଗ ଦି ବ୍ଲୁ ବଟରଫ୍ଲାଏ ଡାଇମଣ୍ଡ ଫ୍ରମ ଓ୍ଵେଷ୍ଟ ଆଫ୍ରିକା’ ନାମକ ଏକ ଉପନ୍ୟାସ ଲେଖୁଛନ୍ତି। ଏହି ଉପନ୍ୟାସକୁ ଆମାଜନ୍ ଭଳି ଖ୍ୟାତନାମା ପ୍ରକାଶନ ସଂସ୍ଥା ଛାପିବ। ଏତେ କମ୍ ବୟସରୁ ଶୁଭ୍ରାଂଶୁଙ୍କର ଏହି କୀର୍ତ୍ତି ପାଇଁ ତାଙ୍କୁ ଏବେ ଅନେକ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।କଟକ ରାଜାବଗିଚା ନିବାସୀ ସୂର୍ଯ୍ୟନାରାୟଣ ଦାସ ଏବଂ ରୀନା ଦାସଙ୍କ ପୁତ୍ର ହେଉଛନ୍ତି ଶୁଭ୍ରାଂଶୁ। ବର୍ତ୍ତମାନ ସେ ଡିପିଏସ୍ କଳିଙ୍ଗରେ ଦ୍ଵାଦଶ ଶ୍ରେଣୀରେ ପଢୁଛନ୍ତି। ନବମ ଶ୍ରେଣୀରେ ପାଠ ପଢ଼ିଲା ବେଳେ ଶୁଭ୍ରାଂଶୁ ଲେଖାଲେଖି ଆରମ୍ଭ କରିଥିଲେ। ପ୍ରଥମେ ଓଡ଼ିଆ ଏବଂ ପରେ ଇଂରାଜୀ ଭାଷା ସାହିତ୍ୟରେ ଶୁଭ୍ରାଂଶୁ ଏକାଧିକ କବିତା ଏବଂ ଗଳ୍ପମାନ ରଚନା କରିଛନ୍ତି। ମା’ ରୀନା ଦାସଙ୍କଠାରୁ ଅନୁପ୍ରାଣିତ ହୋଇ ଛୋଟବେଳୁ ବିଭିନ୍ନ ବହି ପଢ଼ିବା ଆରମ୍ଭ କରିଥିଲେ ଶୁଭ୍ରାଂଶୁ।ଲେଖାଲେଖିରେ ରୁଚି ରଖୁଥିବା ଶୁଭ୍ରାଂଶୁଙ୍କ ଏକ ଲେଖାକୁ ଥରେ ହ୍ଵାଟ୍‌ସଆପ୍‌ର ଏକ ଗ୍ରୁପରେ ଦେଖି ବେଶ୍ ଆକର୍ଷିତ ହୋଇଥିଲେ ଆମେରିକୀୟ ଲେଖିକା ପାମ୍ ରସ୍। ପାମ୍ ନିଜଆଡୁ ଶୁଭ୍ରାଂଶୁଙ୍କୁ ମେସେଜ କରି ତାଙ୍କ ଲେଖାର ବେଶ୍ ପ୍ରଶଂସା କରିଥିଲେ। ଏହାପରେ ପାମ୍‌ଙ୍କ ଉପନ୍ୟାସରେ ସହଲେଖକ ହେବାକୁ ଶୁଭ୍ରାଂଶୁଙ୍କୁ ସୁଯୋଗ ଦେଇଥିଲେ ପାମ୍।

“୫ ବର୍ଷ ବୟସରୁ ବହି ପଢ଼ିବା ପ୍ରତି ମୋର ଆଗ୍ରହ ବଢ଼ିଥିଲା। ଧିରେ ଧିରେ ବହି ପଢ଼ିବା ମୋର ଏକ ନିଶା ପାଲଟି ଗଲା। ଏହାପରେ ମୁଁ ଛୋଟ ଛୋଟ କବିତା, ଗଳ୍ପ ଲେଖିବାକୁ ଲାଗିଲି। ପୂର୍ବରୁ ମୋର ଅନେକ କବିତା, ଗଳ୍ପ ଜାତୀୟ ଜାତୀୟ ଏବଂ ଅନ୍ତର୍ଜାତୀୟ ମାଗାଜିନ୍‌ରେ ପ୍ରକାଶ ହୋଇସାରିଛି। କିନ୍ତୁ ପ୍ରଥମଥର ପାଇଁ ଜଣେ ଅନ୍ତର୍ଜାତୀୟ ଲେଖିକାଙ୍କ ସହ ଉପନ୍ୟାସ ଲେଖିବାର ସୁଯୋଗ ପାଇ ମୁଁ ବହୁତ ଖୁସି ଅଛି। ମୋ ବାପା, ମାଆ ସମସ୍ତେ ମୋ ସଫଳତା ପାଇଁ ବେଶ୍ ଖୁସି ଅଛନ୍ତି”, କହିଛନ୍ତି ଶୁଭ୍ରାଂଶୁ ଦାସ।

ଭବିଷ୍ୟତରେ ଜଣେ ଇଂରାଜୀ ପ୍ରଫେସର ହେବାକୁ ଲକ୍ଷ ରଖିଛନ୍ତି ଶୁଭ୍ରାଂଶୁ। ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ଡିଗ୍ରୀ ହାସଲ କରି ସେ ଭାରତରେ ଜଣେ ଭଲ ଇଂରାଜୀ ପ୍ରଫେସର ହେବାକୁ ଚାହୁଁଛନ୍ତି। ଯେଉଁ ପିଲାମାନେ ଇଂରାଜୀ ପଢ଼ିବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ଇଂରାଜୀ ପଢ଼ାଇବେ ଶୁଭ୍ରାଂଶୁ।   ଉପନ୍ୟାସର ସ୍ଵତନ୍ତ୍ରତା

ଆମେରିକୀୟ ଲେଖିକା ପାମ୍ ରସ୍‌ଙ୍କ ସହ ମିଶି ଶୁଭ୍ରାଂଶୁ ଯେଉଁ ଉପନ୍ୟାସ ଲେଖୁଛନ୍ତି ସେଥିରେ ରହସ୍ୟ ଏବଂ ରୋମାଞ୍ଚ ଭରି ରହିଛି। ଲେଖିକା ପାମଙ୍କ ଦ୍ଵାରା ଏହି ଉପନ୍ୟାସଟିର ପ୍ରଥମ ଖଣ୍ତ ପ୍ରକାଶ ହୋଇସାରିଛି। ଯାହାର ନାଁ ଥିଲା ‘ଷ୍ଟିଲିଙ୍ଗ ଦି ବ୍ଲୁ ବଟରଫ୍ଲାଏ ଡାଇମଣ୍ଡ ଫ୍ରମ ଓ୍ଵେଷ୍ଟ ଆଫ୍ରିକା’। ଦୁନିଆର ସବୁଠାରୁ ବଡ଼ ହୀରା ଚୋରିର କାହାଣୀକୁ ଅତ୍ୟନ୍ତ ରହସ୍ୟ ଏବଂ ରୋମାଞ୍ଚ ଶୈଳୀରେ ଏହି ଉପନ୍ୟାସ ମାଧ୍ୟମରେ ଉପସ୍ଥାପନା କରାଯାଇଥିବା କୁହନ୍ତି ଶୁଭ୍ରାଂଶୁ।

ଏହି ଉପନ୍ୟାସର ଦ୍ଵିତୀୟ ଭାଗ ଲେଖିବାରେ ପାମ୍‌ଙ୍କୁ ସାହାଯ୍ୟ କରୁଛନ୍ତି ଶୁଭ୍ରାଂଶୁ। ଦ୍ଵିତୀୟ ଭାଗରେ ଭାରତ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପନ୍ୟାସର ଅନ୍ୟ ଏକ ସ୍ଵତନ୍ତ୍ରତା ହେଉଛି, ଉପନ୍ୟାସର ପ୍ରଚ୍ଛଦରେ ପାଠକ ଏକ ସୁରିଲା ସଂଗୀତ ଶୁଣିବାକୁ ପାଇବେ। ଯାହାକି ବିଶ୍ଵରେ ପ୍ରଥମ। ଲେଖିକା ପାମ୍‌ ନିଜେ ଏହି ମ୍ୟୁଜିକଟିକୁ ତିଆରି କରିଛନ୍ତି। ଯେଉଁ ପାଠକମାନେ ଉପନ୍ୟାସଟିକୁ ଇ-ବୁକ୍‌ ଆକାରରେ କିଣିବେ ସେମାନେ ହିଁ ଏହାର ସୁବିଧା ପାଇପାରିବେ।

ଶୁଭ୍ରାଂଶୁଙ୍କ କହିବା ମୁତାବକ, ଇ-ବୁକ୍‌ର ଏକ କୋଣରେ ଏକ ପ୍ଲେ ବଟନ ରହିଛି। ଏହା ଉପରେ କ୍ଲିକ୍ କଲେ ମ୍ୟୁଜିକଟି ବାଜିବ। ପାଠକମାନେ ଏହି ସୁନ୍ଦର ମ୍ୟୁଜିକ ଶୁଣିବା ସହ ଉପନ୍ୟାସ ପଢ଼ିବାର ମଜା ନେଇପାରିବେ। ଏଥିସହିତ ଉପନ୍ୟାସରେ ଅନେକ ମିଷ୍ଟ୍ରି ବା ରହସ୍ୟ ଭରି ରହିଛି। ଯାହାକି ପାଠକମାନଙ୍କୁ ଉପନ୍ୟାସ ସହ ଯୋଡ଼ିକରି ରଖିପାରିବ।

Comment