ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ଅମିତ ଶାହ।

ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ମମତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଅମିତ ଶାହ। ଶନିବାର ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ମମତା ସରକାରରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ପଦ୍ମ ଧରିବା ସହ ୯ ଜଣ ବିଧାୟକ ଓ ଜଣେ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି; ଯାହାକୁ ନେଇ ଏବେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଚିନ୍ତାରେ ପଡ଼ିଯାଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକି। ଏଥିପାଇଁ ବିଜେପି ଏବେଠୁ ସେଠାରେ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ଶନିବାର ଏଥିରେ ସାମିଲ ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶନିବାର ମେଦିନିପୁର କଲେଜ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧନ କରି ଶାହ ମମତାଙ୍କ ଉପରେ ଜୋରସୋରରେ ବର୍ଷିଛନ୍ତି।ଶାହଙ୍କ ଟାର୍ଗେଟରେ ମମତା

“ମମତା ବାନାର୍ଜୀ କହୁଛନ୍ତି ବିଜେପି ଅନ୍ୟ ଦଳରୁ ଲୋକଙ୍କୁ ନେଇଯାଉଛି। ହେଲେ ସେ ନିଜେ ଦିନେ କଂଗ୍ରେସରେ ଥିଲେ। ଦଳରୁ ଅଲଗା ହୋଇ ସେ ତୃଣମୂଳ କଂଗ୍ରେସ ଗଠନ କରିଛନ୍ତି ବୋଲି ସେ ବୋଧେ ଭୁଲିଯାଉଛନ୍ତି”, କହିଛନ୍ତି ଅମିତ ଶାହ।

ସବୁ ଦଳରେ ଥିବା ଭଲ ଲୋକମାନେ ଏବେ ବିଜେପି ମୁହାଁ ହୋଇଛନ୍ତି। ଆଜି ବି ୯ ଜଣ ବିଧାୟକ ଓ ଜଣେ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି। ଦିନ ଆସିବ ତୃଣମୂଳ କଂଗ୍ରେସରେ କେବଳ ମମତା ଦିଦି ହିଁ ଥିବେ ବୋଲି ଶାହ ମମତାଙ୍କୁ ଟାର୍ଗେଟ କରି କହିଛନ୍ତି। ତା’ସହ ପଶ୍ଚିମବଙ୍ଗରେ ପ୍ରାୟ ୩ ଶହରୁ ଅଧିକ ବିଜେପି କର୍ମୀଙ୍କୁ ମାରି ଦିଆଯାଇଛି। ହେଲେ ବିଜେପି କେବେ ବି ପଛକୁ ଘୁଞ୍ଚିନି। ଯେପର୍ଯ୍ୟନ୍ତ ଟିଏମସି ଏମିତି ଆକ୍ରମଣ କରୁଥିବ, ସେପର୍ଯ୍ୟନ୍ତ ତାଙ୍କ ଦଳ ନିଜର ଆକ୍ରମଣାତ୍ମକ ପନ୍ଥା ଆପଣେଇ ଚାଲିଥିବ ବୋଲି ଶାହ କହିଛନ୍ତି।

ପଦ୍ମ ଧରିଲେ ୯ ବିଧାୟକ, ଜଣେ ସାଂସଦ

ଶନିବାର ଅମିତ ଶାହଙ୍କ ଉପସ୍ଥିତିରେ ବିଭିନ୍ନ ଦଳ ୯ ଜଣ ବିଧାୟକ ଓ ଜଣେ ଟିଏମସି ସାଂସଦ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଭିତରେ ମମତା ସରକାରରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।

ଟିଏମସି ସାଂସଦ ସୁନୀଲ ମଣ୍ଡଳଙ୍କ ସହ ବିଧାୟକ ଶୁଭେନ୍ଦୁ ଅଧିକାରୀ, ତାପସୀ ମଣ୍ଡଳ, ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସାଇକତ ପଞ୍ଜା, ଶୀଳଭଦ୍ର ଦତ୍ତା, ଦିପାଲୀ ବିଶ୍ୱାସ, ଶୁକ୍ରା ମୁଣ୍ଡା, ବିଶ୍ୱଜିତ କୁଣ୍ଡୁ ଓ ବନଶ୍ରୀ ମଇତି ବିଜେପିରେ ସାମିଲ ହୋଇଛନ୍ତି। ଏହାସହ ଆଗାମୀ ଦିନରେ ଆହୁରି ଅଧିକ ନେତା ବିଜେପିରେ ଯୋଗଦେବେ ବୋଲି ଶାହ କହିଛନ୍ତି।ବିଜେପି ମୁହାଁ ଦିଦିଙ୍କ ନେତା

ଶନିବାର ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭିତରୁ ଅଧିକାଂଶ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର ବୋଲି ଜଣାପଡ଼ିଛି। କିଛି ଦିନ ତଳେ ମମତା ସରକାରର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀ ଆଜି ପଦ୍ମ ଧରିଛନ୍ତି।

ସେହିପରି ଟିଏମସି ବିଧାୟକ ବନଶ୍ରୀ ମଇତି, ଶୀଳଭଦ୍ର ଦତ୍ତ ମଧ୍ୟ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି। ସେମାନଙ୍କ ସହ ପୂର୍ବ ବର୍ଦ୍ଧମାନର ଟିଏମସି ସାଂସଦ ସୁନୀଲ ମଣ୍ଡଳ ମଧ୍ୟ ଦିଦିଙ୍କ ଶରଣ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଖୁବଶୀଘ୍ର ଆହୁରି ଅନେକ ଟିଏମସି ନେତା ଦଳ ଛାଡ଼ିବେ ବୋଲି ରାଜନୈତିକ ଆଲୋଚକମାନେ ଅନୁମାନ କରୁଛନ୍ତି।୨୦୦ ସିଟ୍ ଜିତିବ ବିଜେପି – ଶାହ

ପୂର୍ବରୁ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ଅନେକ ଥର କହିସାରିଛନ୍ତି। ଶନିବାର କିନ୍ତୁ ରାଲିକୁ ସମ୍ବୋଧନ କରିବା ସମୟରେ ବିଜେପି ସେଠାରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ସିଟ୍ ସଂଖ୍ୟା ୨୯୪ ଥିବାବେଳେ ସେଠାରେ ସରକାର ଗଢ଼ିବା ପାଇଁ କୌଣସି ଦଳକୁ ୧୪୮ ବିଧାୟକଙ୍କ ସମର୍ଥନ ଦରକାର। ବିଜେପି କିନ୍ତୁ ଏଠାରେ ଏଥର ୨୦୦+ର ସରକାର ଗଢ଼ିବ ବୋଲି ଶାହ କହିଛନ୍ତି।ବିଜେପି ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ?

ପୂର୍ବ ଭାରତର ଏହି ରାଜ୍ୟରେ ପ୍ରଥମରୁ କଂଗ୍ରେସ ଏବଂ ପରେ ବାମଦଳର ରାଜୁତି ଚାଲିଆସିଛି। ଗତ ୧୦ ବର୍ଷ ହେଲା ସେଠାରେ ମମତା ସରକାର କ୍ଷମତାରେ ଅଛି। ତେଣୁ ପଶ୍ଚିମବଙ୍ଗରେ ରାଜନୈତିକ ଇତିହାସକୁ ଦେଖିଲେ ବିଜେପି ସେଠାରେ କଦାପି ସରକାର ଗଢ଼ିନଥିବା ଦେଖିବାକୁ ମିଳିବ। ୨୦୧୪ରେ ସାରା ଦେଶରେ ମୋଦୀ ଲହର ବୋହିବା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ। ପଶ୍ଚିମବଙ୍ଗରେ କିନ୍ତୁ ଏହି ହାୱା କିଛି କାମ ଦେଇନଥିଲା। ୪୨ ଲୋକସଭା ଆସନରୁ ବିଜେପି ମାତ୍ର ୨ଟିରେ ବାଜିମାତ୍ କରିଥିବାବେଳେ ତୃଣମୂଳ କଂଗ୍ରେସ ୩୪ ଲୋକସଭା ଆସନ ଦଖଲ କରିଥିଲା।

ଏହାପରେ ପଶ୍ଚିମବଙ୍ଗରେ ମମତା ସରକାରକୁ ମାତ୍ ଦେବାକୁ ବିଜେପି ଗେମପ୍ଲାନ ପ୍ରସ୍ତୁତ କରିଥିଲା। ଯାହାର ଫଳ ଏଥର ୨୦୧୯ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ୪୨ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ଖାତାକୁ ମାତ୍ର ୨୨ଟି ଆସନ ଯାଇଥିବାବେଳେ ବିଜେପି ୧୮ଟି ଆସନ ଦଖଲ କରିନେଇଥିଲା। ତେଣୁ ଆଗାମୀ ୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ପଶ୍ଚିମବଙ୍ଗରେ ପଦ୍ମ ଫୁଲ ଫୁଟିବ ବୋଲି ବିଜେପି ଆଶା ବାନ୍ଧିଛି।

Comment