ଓଡ଼ିଶାଲାଇଭ୍ ବ୍ୟୁରୋ 

  • ଜଗତପୁରୁ ନକଲି ସୋୟାବିନ୍ କାରଖାନା ଠାବ
  • ୧୦ ଲକ୍ଷରୁ ଅଧିକ ସୋୟାବିନ୍, ରାସାୟନିକ ପଦାର୍ଥ, ମେସିନ୍ ଜବତ
  • କାରଖାନା ମାଲିକ ଓ ସହଯୋଗୀ କାରିଗର ଗିରଫ

କଟକର ଜଗତପୁର ଶିଳ୍ପାଞ୍ଚଳ ସମେତ ଏହାର ଆଖପାଖ ଅଞ୍ଚଳରେ କିଛି ଅସାଧୁ ବ୍ୟବସାୟୀ ନକଲି ସାମଗ୍ରୀର ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ଏହାର ମୂଳପୋଛ ପାଇଁ କମିସନରେଟ ପୋଲିସ ପକ୍ଷରୁ ଚଢ଼ଉ ଜାରି ରହିଛି। ଏହିକ୍ରମରେ ଶନିବାର ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ-୨ ଠାରେ  ଦୀର୍ଘଦିନ ଧରି ଚାଲୁଥିବା ଆରଏମ୍ ମିଲସ୍ ନାମକ ଏକ ନକଲି ସୋୟାବିନ୍ କାରଖାନାକୁ ଜଗତପୁର ପୋଲିସ ଠାବ କରିଛି। କାରଖାନା ପରିସରରୁ ଲକ୍ଷାଧିକ ଟଙ୍କାର ସୋୟାବିନ୍ ମିଳିଛି। ଏଥିସହ ପୋକରା ଚାଉଳ ଗୁଣ୍ଡ ଓ ବିଦେଶରୁ ଆମଦାନି ହୋଇଥିବା ରାସାୟନିକ ସାର ଓ ଏକାଧିକ ମେସିନ୍ ଜବତ ହୋଇଛି। ଏହି ଘଟଣାରେ ପୋଲିସ କାରଖାନା ମାଲିକଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବା ସହ କାରଖାନାକୁ ମଧ୍ୟ ସିଲ କରିଛି।ସୂଚନା ଅନୁସାରେ, ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ-୨ ଆର୍ ଏମ୍ ମିଲ୍ସ ନାମରେ ଥିବା ଏକ କାରଖାନାରେ ଦୀର୍ଘ କିଛି ମାସ ଧରି ନକଲି ଓ ନିମ୍ନମାନର ସୋୟାବିନ୍ ବଡି ପ୍ରସ୍ତୁତ କରାଯାଉଥିଲା। କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଥାନା ଅଧିକାରୀ  ରବୀନ୍ଦ୍ରନାଥ ମେହେର, ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ଏହି କାରଖାନା ଉପରେ ଚଢ଼ଉ କରିଥିଲା।

ଚଢଉବେଳେ ଏହି କାରଖାନାଟି ବିନା ଅନୁମତିରେ ଚାଲୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ଏଥିସହ କାରଖାନା ପରିସରରୁ ବିକ୍ରି ପାଇଁ ମହଜୁଦ୍ ଥିବା ଲକ୍ଷାଧିକ ଟଙ୍କାର ମେହେକ୍ ଓ କାକା ବ୍ରଣ୍ଡ୍ ସୋୟାବିନ୍ ପ୍ୟାକେଟ୍ ଏବଂ ଅନେକ ନକଲି ସାମଗ୍ରୀ ଜବତ କରିବା ସହ କାରଖାନା ମାଲିକ ପୱନ ମୋଦୀ ଓ କାରିଗର ଅଶୋକ ସିଂଙ୍କୁ ଗିରଫ କରିଛି ପୋଲିସ।

Comment