ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଜିତିବାକୁ ତୃଣମୂଳ କଂଗ୍ରେସ ପାଇଁ ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି ପ୍ରଶାନ୍ତ କିଶୋର।

ପଶ୍ଚିମବଙ୍ଗ ନିର୍ବାଚନୀ ରାଜନୀତିକୁ ନେଇ ଏବେ ସରଗରମ ପାୱାର କରିଡର। ରାଜନୀତିର ଏହି ପଶାପାଲି ଖେଳରେ ଏଥର ଦିଦିଙ୍କୁ ମାତ୍ ଦେବାକୁ ଅଙ୍କ କଷୁଛି ବିଜେପି। ଏପଟେ ମମତା ବି ନିଜ ଗଡ଼ ବଞ୍ଚାଇବାକୁ ପୂରାପୂରି ପ୍ରସ୍ତୁତ ଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ରାଜନୈତିକ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋରଙ୍କ ଏକ ଟୁଇଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକି। ଏହାପୂର୍ବରୁ ଗତ ଦୁଇ ଦିନ ଧରି ଗୃହମନ୍ତ୍ରୀ ଅମିତ ଶାହ ସେଠାରେ ବିଜେପି ପାଇଁ ଘମାସନ ପ୍ରଚାର କରିଛନ୍ତି। ଦଳ ସେଠାରେ ୨୦୦+ର ସରକାର ଗଢ଼ିବ ବୋଲି ବି ଶାହ କହିସାରିଲେଣି। ଏଭଳି ସମୟରେ ବିଜେପି ସେଠାରେ ଦୁଇ ଶହ କ’ଣ ବରଂ ୧୦ଟି ସିଟ୍ ଜିତିବନି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସର ରାଜନୈତିକ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋର।ପ୍ରଶାନ୍ତ କିଶୋରଙ୍କ ଟୁଇଟ୍

ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ପରେ ତୃଣମୂଳ କଂଗ୍ରେସର ରାଜନୈତିକ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋର ଏକ ଟୁଇଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗରେ ଗଣମାଧ୍ୟମ ବିଜେପିକୁ ଯେଉଁଭଳି ଭାବେ ଦେଖାଉଛନ୍ତି ତାହା ଆଦୌ ସତ ନୁହେଁ। ବିଜେପି ସେଠାରେ ଦୁଇ ଅଙ୍କ ବି ଛୁଇଁପାରିବନି ବୋଲି ସେ ଟୁଇଟରେ ଲେଖିଛନ୍ତି।

ଅର୍ଥାତ, ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବିଜେପି ୧୦ଟି ସିଟ୍ ଜିତିପାରିବନି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଯଦି ତାଙ୍କର ଭବିଷ୍ୟତବାଣୀ ଭୁଲ୍ ହୁଏ ତେବେ ସେ ଟୁଇଟରକୁ ସବୁଦିନ ପାଇଁ ଛାଡ଼ିଦେବେ ବୋଲି ଘୋଷଣା କରିଛନ୍ତି।

ପ୍ରଶାନ୍ତଙ୍କ ଜବାବ ଦେଲେ ବିଜୟବର୍ଗୀୟ

ପ୍ରଶାନ୍ତ କିଶୋରଙ୍କ ଏପରି ଟୁଇଟ୍ ପରେ ଏହାକୁ ନେଇ ଜବାବ ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ। ବେଙ୍ଗଲରେ ବିଜେପି ନାମରେ ଏବେ ସୁନାମୀ ବୋହୁଛି। ତେଣୁ ପଶ୍ଚିମବଙ୍ଗରେ ବିଜେପି ସରକାର ହେଲେ ଦେଶ ଜଣେ ରାଜନୈତିକ ରଣନୀତି ପ୍ରସ୍ତୁତକାରୀଙ୍କୁ ହରାଇବ ବୋଲି ସେ ଟୁଇଟରରେ ଲେଖିଛନ୍ତି।

କୈଳାସଙ୍କ ଏହି ଟୁଇଟ୍ ସିଧାସଳଖ ପ୍ରଶାନ୍ତଙ୍କୁ ଟାର୍ଗେଟ କରି ଲେଖାଯାଇଛି ବୋଲି କୁହାଯାଉଛି। ତେବେ ପଶ୍ଚିମବଙ୍ଗରେ ଶେଷରେ କାହା ସରକାର ଗଠନ ହେବ ତାହା ଆଗାମୀ ଦିନରେ ନିଶ୍ଚିତ ହୋଇଯିବ ବୋଲି ରାଜନୈତିକ ଆଲୋଚକମାନେ ମତ ପ୍ରକାଶ କରିଛନ୍ତି।ରାଜନୀତିର ସୂତ୍ରଧର ପ୍ରଶାନ୍ତ କିଶୋର

ପ୍ରଶାନ୍ତ କିଶୋରଙ୍କ ଏହି ଟୁଇଟକୁ ନେଇ ଏତେ ଚର୍ଚ୍ଚା ହେବାର ପ୍ରମୁଖ କାରଣ ହେଉଛି ତାଙ୍କର ରାଜନୈତିକ ସଫଳତା। ପୂର୍ବରୁ ସେ ବିଭିନ୍ନ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଥିବାବେଳେ ସବୁଠି ସଫଳତାର ସ୍ୱାଦ ଚାଖିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ପାଇଁ ହେଉ ଅବା ୨୦୧୭ରେ ପଞ୍ଜାବରେ କଂଗ୍ରେସକୁ ଶାସନକୁ ଫେରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜନୀତିର ଅଙ୍କ କଷିବାରେ ପ୍ରଶାନ୍ତ କିଶୋର ବେଶ ମାହିର। ତେଣୁ ତାଙ୍କର ଏହି ଭବିଷ୍ୟତବାଣୀଙ୍କୁ ନେଇ ଏହି ଆଲୋଚନା ଆରମ୍ଭ ହୋଇଯାଇଛି।

୨୦୧୪ରେ ପ୍ରଶାନ୍ତ କିଶୋରଙ୍କ ରଣନୀତି ଯୋଗୁଁ ହିଁ ମୋଦୀ କେନ୍ଦ୍ରରେ ସରକାର ଗଠନ କରିବା ସହ ବିଜେପି କ୍ଷମତାକୁ ଫେରିଥିଲା। ପ୍ରଶାନ୍ତ କିଶୋରଙ୍କ ଯୋଜନା ଅନୁସାରେ ଚାଏ ପେ ଚର୍ଚ୍ଚା, ଥ୍ରୀଡି ରାଲି, ଏକତା ପାଇଁ ଦୌଡ଼, ମନ୍ଥନ ଭଳି ସାମାଜିକ କାର୍ଯ୍ୟକ୍ରମ ମୋଦୀଙ୍କୁ ଲୋକପ୍ରିୟ କରିପାରିଥିଲା ବୋଲି କୁହାଯାଏ।ସେହିପରି ୨୦୧୫ରେ ମଧ୍ୟ ବିହାରରେ ନୀତିଶ-ଲାଲୁ ଯୋଡ଼ିକୁ ନିର୍ବାଚନୀ ସଫଳତା ଦେଇଥିଲେ ପ୍ରଶାନ୍ତ କିଶୋର। ତାଙ୍କ ରଣନୀତି ଯୋଗୁଁ ସେଠାରେ ମହାମେଣ୍ଟ ନିର୍ବାଚନ ଜିତିବା ସହ ବିଜେପି ପଛରେ ପଡ଼ିଯାଇଥିଲା। ଅବଶ୍ୟ କିଛି ବର୍ଷ ପରେ ନୀତିଶ ମହାମେଣ୍ଟ ଛାଡ଼ି ଏନଡିଏରେ ଯୋଗଦେଇଥିଲେ।

ଏହାବାଦ୍ ୨୦୧୭ କଂଗ୍ରେସ ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନ, ୨୦୧୯ରେ ଜଗନମୋହନ ରେଡ୍ଡିଙ୍କ ପାଇଁ ଆନ୍ଧ୍ରପ୍ରଦେଶ ନିର୍ବାଚନ, ୨୦୨୦ରେ କେଜରିୱାଲଙ୍କ ପାଇଁ ଦିଲ୍ଲୀ ନିର୍ବାଚନରେ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିଲେ। ତାଙ୍କ ନେତୃତ୍ୱରେ ସବୁ ଦଳ ସଫଳତାର ସ୍ୱାଦ ମଧ୍ୟ ଚାଖିଥିଲା। ତେଣୁ ଆଗାମୀ ଦିନରେ ତାଙ୍କ ଋଣନୀତିରେ ଦିଦି କେତେ ସିଟ୍ ହାତଉଛନ୍ତି ଏବଂ ବିଜେପି ପଶ୍ଚିମବଙ୍ଗ ଦଖଲ କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Comment